Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ୍ ଫାସ ନେଲା ନିରୀହ ଯୁବକଙ୍କ ଜୀବନ: ପ୍ରମାଣ ନଷ୍ଟ ପାଇଁ ଜଙ୍ଗଲରେ ଶବ ପୋତିଲେ ଶିକାରୀ ।

ବଲାଙ୍ଗୀର,୧୨।୬: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କୁଠୁର୍ଲା ଗ୍ରାମରେ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବାରହା ଶିକାର ପାଇଁ ବେଆଇନ ଭାବେ ବିଛାଯାଇଥିବା ହାଇ-ଭୋଲ୍ଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନିରୀହ ଯୁବକଙ୍କ ପ୍ରାଣହାନି ଘଟିଛି। କେବଳ ସେତିକି ନୁହେଁ, ନିଜର ପାପକୁ ଲୁଚାଇବା ଏବଂ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଶିକାରୀମାନେ ମୃତଦେହକୁ ଜଙ୍ଗଲ ଭିତରେ ପୋତି ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ସ୍ଥାନୀୟ କୁଠୁର୍ଲା ଗ୍ରାମର ଗଦାଧର ମଲ୍ଲିକ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଗଦାଧର ମଲ୍ଲିକ ଗ୍ରାମ ନିକଟସ୍ଥ ଏକ ପ୍ରାକୃତିକ ଝରଣାକୁ ମାଛ ଧରିବା ପାଇଁ ଯାଇଥିଲେ। ତେବେ ସେହି ସମୟରେ କିଛି ଦୁର୍ବୃତ୍ତ ଜଙ୍ଗଲୀ ବାରହା ଶିକାର ଉଦ୍ଦେଶ୍ୟରେ ଉକ୍ତ ଅଞ୍ଚଳରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରର ଫାସ ବିଛାଇ ରଖିଥିଲେ। ଅନ୍ଧାର ଥିବାରୁ ଗଦାଧର ଏହାକୁ ଦେଖିପାରି ନଥିଲେ ଏବଂ ଦୁର୍ଭାଗ୍ୟବଶତଃ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। କରେଣ୍ଟର ଝଟକା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଗଦାଧରଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ଶିକାରୀମାନେ ଭୟଭୀତ ହୋଇ ପୋଲିସ ଆଖିରେ ଧୂଳି ଦେବାକୁ ଏକ ଦୁର୍ଭିସନ୍ଧି ରଚିଥିଲେ। ମାନବିକତାକୁ ଜଳାଞ୍ଜଳି ଦେଇ ସେମାନେ ମୃତଦେହକୁ ଉକ୍ତ ସ୍ଥାନରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ନୂଆଁପାଲି ଜଙ୍ଗଲ ଭିତରକୁ ଟେକି ନେଇଥିଲେ। ସେଠାରେ ମାଟି ଖୋଳି ଶବକୁ ପୋତି ଦେଇ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବା ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଯୁବକ ଜଣକ ଘରକୁ ନଫେରିବା ଏବଂ ପରବର୍ତ୍ତୀ ସମୟରେ ଜଙ୍ଗଲରୁ ଶବ ପୋତାଯାଇଥିବା ଖବର ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। କୁଠୁର୍ଲା ଏବଂ ଆଖପାଖ ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି। ଜଙ୍ଗଲ ଅଞ୍ଚଳରେ ବେଆଇନ ଶିକାର ଏବଂ ଖୋଲାଖୋଲି ଭାବେ ବିଦ୍ୟୁତ ତାର ବିଛାଯିବା ସ୍ଥାନୀୟ ବନ ବିଭାଗ ଓ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପରିବାର ପକ୍ଷରୁ ଖପ୍ରାଖୋଲ ଥାନାରେ ଏନେଇ ଅଭିଯୋଗ କରାଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ଉଦ୍ଧାର କରିବା ସହ ଏହି ସଂଘାତିକ କାଣ୍ଡରେ ସଂପୃକ୍ତ ଥିବା ୬ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories