Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାସନର ଅନ୍ଧ ନିୟମ, ବାରଣ୍ଡାରେ ବିତୁଛି ବେସାହାରା କୁନାଙ୍କ ଜୀବନ: ବଇରାସର ପଞ୍ଚାୟତରୁ ସାଂଘାତିକ ଚିତ୍ର !;

ବଲାଙ୍ଗୀର,୧୫।୭: ସ୍ଵାଧୀନତାର ଅମୃତ ମହୋତ୍ସବ ପରେ ବି ଆଜି ଆମ ସମାଜରେ ଏମିତି କିଛି ଚିତ୍ର ସାମ୍ନାକୁ ଆସୁଛି, ଯାହା ମାନବିକତାକୁ ଆନ୍ଦୋଳିତ କରୁଛି ଏବଂ ସ୍ଥାନୀୟ ପ୍ରଶାସନର ଦାୟିତ୍ୱହୀନତାକୁ ପଦାରେ ପକାଉଛି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ୍ ବଇରାସର ଗ୍ରାମପଞ୍ଚାୟତରୁ ଆସିଛି ଏଭଳି ଏକ ଅଭାବନୀୟ ତଥା ଦୁଃଖଦ ଖବର। ଏଠାକାର ଜଣେ ଯୁବକ କୁନା ଗୁରୁ ଆଜି ସମ୍ପୂର୍ଣ୍ଣ ବେସାହାରା ଅବସ୍ଥାରେ ଦିନ କାଟୁଛନ୍ତି, ଯାହା ସ୍ଥାନୀୟ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଲଜ୍ଜାର ବିଷୟ ପାଲଟିଛି।
ମିଳିଥିବା ସୂଚନା ମୁତାବକ, କୁନା ଗୁରୁଙ୍କର ଏ ଦୁନିଆରେ ବୋଲିବାକୁ କେହି ନାହାନ୍ତି। ନା ଅଛନ୍ତି ବାପା-ମାଁ, ନା ଅଛି ନିଜର ବୋଲି ଘରଦ୍ୱାର କି ଡିହ ଜମି। ପେଟର ବିକଳରେ ଦୁଇ ଓଳି ଗଣ୍ଡେ ଖାଇବା ପାଇଁ ସେ ଏକ ସ୍ଥାନୀୟ ହୋଟେଲରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଯେଉଁ ବୟସରେ ଜଣେ ନିଜର ସଂସାର ଗଢ଼ିବା କଥା, ସେହି ବୟସରେ କୁନା କେବଳ ପେଟ ପୋଷିବା ପାଇଁ ସଂଘର୍ଷ କରୁଛନ୍ତି।
ଆଶ୍ଚର୍ଯ୍ୟର କଥା ଏହା ଯେ, ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଏବଂ ବେସାହାରାଙ୍କ ପାଇଁ ପକ୍କାଘର ଓ ଆଶ୍ରୟସ୍ଥଳର ପେଡ଼ି ଖୋଲି ଦେଇଥିବା ବେଳେ କୁନାଙ୍କ ଭାଗ୍ୟରେ କିନ୍ତୁ ତାହା ଜୁଟିନାହିଁ। ଖରା ହେଉ କି ବର୍ଷା, ଅବା ଶୀତ କାକର— କୁନାଙ୍କ ପାଇଁ ସବୁ ଋତୁର ଏକମାତ୍ର ଆଶ୍ରୟସ୍ଥଳ ହେଉଛି ଅନ୍ୟ ଜଣକର ଘର ବାରଣ୍ଡା। ପର ଦୁଆରେ ପଡ଼ି ରହି ସେ ନିଜର ଜୀବନ କାଟୁଛନ୍ତି।
ସରକାରୀ ସାହାଯ୍ୟ କହିଲେ କୁନାଙ୍କୁ ପଞ୍ଚାୟତ ପକ୍ଷରୁ କେବଳ ମିଳୁଛି ମାସିକ ୫ କିଲୋ ଚାଉଳ । ପ୍ରଶ୍ନ ଉଠୁଛି, ଯେଉଁ ବ୍ୟକ୍ତିର ମୁଣ୍ଡ ଗୁଞ୍ଜିବାକୁ ନିଜର ଚାଳିଆଟିଏ ନାହିଁ, ଯିଏ ପର ବାରଣ୍ଡାରେ ଜୀବନ ମରଣ ସହ ସଂଗ୍ରାମ କରୁଛି, ତାକୁ କେବଳ ଚାଉଳ ଟିକେ ଦେଇ ପ୍ରଶାସନ ନିଜ କର୍ତ୍ତବ୍ୟ ଶେଷ କରିଦେଇଛି କେମିତି? କାହିଁକି ଆଖି ବୁଜି ଦେଇଛି ସ୍ଥାନୀୟ ଗ୍ରାମପଞ୍ଚାୟତ ଓ ବ୍ଲକ ପ୍ରଶାସନ? କାହିଁକି ଏହି ବେସାହାରା ଯୁବକଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ କିମ୍ବା କୌଣସି ସରକାରୀ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇ ନାହିଁ?
ପ୍ରଶ୍ନ ଉଠୁଛି ବଇରାସର ପଞ୍ଚାୟତ ଏବଂ ପୁଇଁନ୍ତଳା ବ୍ଲକର ଜନପ୍ରତିନିଧି ଓ ଅଧିକାରୀମାନେ କେବେ ଏହି ବେସାହାରା ଯୁବକଙ୍କ ଦୁଃଖ ବୁଝିବେ? କେବେ ଜିଲ୍ଲା ପ୍ରଶାସନର ଶୁଭଦୃଷ୍ଟି ପଡ଼ିବ ଏହି ଗରିବ ଉପରେ?
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। କୁନା ଗୁରୁଙ୍କୁ ତୁରନ୍ତ ସରକାରୀ ଜମି ସହ ଏକ ସ୍ଥାୟୀ ଆଶ୍ରୟସ୍ଥଳ କିମ୍ବା ଆବାସ ଗୃହ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ନନିଏ, ତେବେ ଆଗାମୀ ଦିନରେ ଏହା ବଲାଙ୍ଗିର ଜିଲ୍ଲା ପ୍ରଶାସନର ମାନବିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories