Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲରେ ପେଟପାଟଣା ପାଲଟିଛି କାଳ: ମାସକରେ ୩ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଲା; ଶୋଇଛି ପ୍ରଶାସନ, ଆଖି ବୁଜିଛନ୍ତି ସରକାର ।

ବଲାଙ୍ଗୀର,୩୦।୮: ରାଜ୍ୟରେ ବିକାଶର ବଡ଼ ବଡ଼ ଡିଣ୍ଡିମ୍ ପିଟାଯାଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ଦାଦନ ଦୁଃଖ ଅସମ୍ଭାଳ ହୋଇପଡ଼ିଛି। ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଅଞ୍ଚଳରେ ରୋଜଗାରର ଅଭାବ ଏବଂ ପ୍ରଶାସନିକ ଆନ୍ତରିକତାର ଶୂନ୍ୟତା ଯୋଗୁଁ ନିରୀହ ଗ୍ରାମବାସୀ ବିପଦପୂର୍ଣ୍ଣ ସ୍ଥିତିରେ ବାହାର ରାଜ୍ୟକୁ ଭାଗ୍ୟ ପରଖିବାକୁ ବାଧ୍ୟ ହେଉଛନ୍ତି। ମାସକ ମଧ୍ୟରେ କେବଳ ଏହି ଗୋଟିଏ ବ୍ଲକରୁ ୩ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁକୁ ଫେରିବା ଘଟଣା ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଦାଦନ ନିୟନ୍ତ୍ରଣ ଯୋଜନାର ଅସଲ ଚେହେରାକୁ ପଦାରେ ପକାଇଦେଇଛି।
ନିକଟରେ ମୁରିବାହାଲ ଥାନା ସଦର ପଞ୍ଚାୟତ ବରାବୁରା ଗ୍ରାମର କୈଳାସ ହଂସ (୩୭) ରୋଜଗାର ଆଶାରେ ମହାରାଷ୍ଟ୍ରର ମୁମ୍ବାଇ (କଲ୍ୟାଣ ଅଞ୍ଚଳ)କୁ ଯାଇଥିଲେ। ସେଠାରେ ଏକ କୋଠା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ୩ୟ ମହଲାରୁ ଖସିପଡ଼ି ତାଙ୍କର କରୁଣ ମୃତ୍ୟୁ ଘଟିଛି। ମୃତ କୈଳାସଙ୍କ ନିରୁପାୟ ପତ୍ନୀ ଯଯାତି ହଂସ ଓ ଦୁଇ ସନ୍ତାନ ଏବେ ନିଶ୍ଚିନ୍ହ ଭବିଷ୍ୟତ ଆଗରେ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି।
ଏହା କୌଣସି ବିଚ୍ଛିନ୍ନ ଘଟଣା ନୁହେଁ। ଏହା ପୂର୍ବରୁ ମୁରିବାହାଲ ସଦର ମହକୁମାର ନବବିବାହିତ ଧନୁ ମହାକୁର (୩୯) ଏବଂ ସର୍ଗୁଲ ଗ୍ରାମର ଟଙ୍କଧର ଭୋଇ (୨୧) ଏବଂ ଙ୍କ ମୃତଦେହ ମଧ୍ୟ ବାହାର ରାଜ୍ୟରୁ ଗାଁକୁ ଫେରିଥିଲା। ତଥାପି ନିଦାବିଷ୍ଣୁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ଆଖି ଖୋଲୁନାହିଁ।
ସରକାରୀ ଯୋଜନା କାହା ପାଇଁ ? ସ୍ଥାନୀୟ ସ୍ତରରେ ଶ୍ରମିକଙ୍କ ପାଇଁ ଶହ ଶହ କୋଟି ଟଙ୍କାର ଯୋଜନା ଓ ‘ମନରେଗା’ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗ୍ରାମବାସୀ କାହିଁକି ଜୀବନ ବାଜି ଲଗାଇ ବାହାରକୁ ଯାଉଛନ୍ତି?
ଅବୈଧ ଦାଦନ ଚାଲାଣ ଓ ଶ୍ରମିକଙ୍କ ସୁରକ୍ଷା ପଞ୍ଜୀକରଣ ପାଇଁ ଦାୟୀ ଅଫିସରମାନେ କେବଳ କାଗଜପତ୍ରରେ ସୀମିତ କି ?
ବାହାର ରାଜ୍ୟରେ ପ୍ରାଣ ହରାଉଥିବା ଏହି ନିରୀହ ଶ୍ରମିକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଏବଂ ଦୋଷୀ ନିର୍ମାଣ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ?
ଜିଲ୍ଲାରୁ ଦାଦନ ପ୍ରବୃତ୍ତି ରୋକିବା ପାଇଁ ସରକାର ତୁରନ୍ତ ଠୋସ୍ କାର୍ଯ୍ୟାନୁଷ୍ଠାନ ନ ନେଲେ ଏବଂ ମୃତ ଶ୍ରମିକଙ୍କ ଅନାଥ ପରିବାରକୁ ଉଚିତ ସହାୟତା ଓ ପୁନର୍ବାସ ଯୋଗାଇ ନ ଦେଲେ ସାଧାରଣରେ ଜନଅସନ୍ତୋଷ ତୀବ୍ର ହେବାର ଆଶଙ୍କା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ