Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି ଗୋଡ଼ କଟା ଘଟଣା: ୨ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ ।

ବଲାଙ୍ଗୀର,୩୦।୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଥିବା ନୃଶଂସ ଆକ୍ରମଣ ଓ ଯୁବକଙ୍କ ଗୋଡ଼ କାଟିଦେବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ରିଙ୍କୁ ଦାସ ଓ ବିକୁ କାଣ୍ଡଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପୂର୍ବ ଶତ୍ରୁତା ଓ ପାରିବାରିକ କଳହକୁ କେନ୍ଦ୍ର କରି ଡଙ୍ଗାମରା ଗାଁର ବଳଦେବ ବନଛୋରଙ୍କୁ ଗତକାଲି ସେହି ଗାଁର ରିଙ୍କୁ ଦାସ ଓ ବିକୁ କାଣ୍ଡ ଘରୁ ଡାକି ବାଇକରେ କଣ୍ଟାବାଞ୍ଜି ଆଣୁଥିଲେ। ଡଙ୍ଗାମରା ନିକଟସ୍ଥ ଚଟୁଅନକା ରାସ୍ତାରେ ଥିବା ଏକ ଅଟା ଫ୍ୟାକ୍ଟ୍ରି ନିକଟରେ ପୂର୍ବରୁ ଛକି ବସିଥିବା ଦୁର୍ବୃତ୍ତମାନେ ବଳଦେବଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ସଂଘାତିକ ଆକ୍ରମଣ କରିଥିଲେ।
ଆକ୍ରମଣ ଏତେ ନୃଶଂସ ଥିଲା ଯେ ବଳଦେବଙ୍କ ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ କଟି ଯାଇଥିଲା। ଆକ୍ରମଣ ହେବା ମାତ୍ରେ ବାଇକରେ ଥିବା ରିଙ୍କୁ ଓ ବିକୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସ୍ଥାନୀୟ ଲୋକ ଓ ପରିବାର ଲୋକେ ଗୁରୁତର ବଳଦେବଙ୍କୁ ଉଦ୍ଧାର କରି ପ୍ରଥମେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ କଣ୍ଟାବାଞ୍ଜି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ଚଢ଼ାଉ ଜାରି ରଖିଥିଲା। ଶେଷରେ ଘଟଣାରେ ସମ୍ପୃକ୍ତ ୨ ପ୍ରମୁଖ ଅଭିଯୁକ୍ତ ରିଙ୍କୁ ଦାସ ଓ ବିକୁ କାଣ୍ଡଙ୍କୁ ପୋଲିସ କାବୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ