ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଦୁର୍ବୃତ୍ତଙ୍କ ଆତଙ୍କ: ଛାତ୍ରଙ୍କୁ ଟଙ୍କା ମାଗି ବାଇକ୍ ଭାଙ୍ଗିଲେ, ଆକ୍ରମଣ ଭିଡିଓ ଭାଇରାଲ୍ ।
ବଲାଙ୍ଗୀର,୧।୯: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଦୁର୍ବୃତ୍ତଙ୍କ ଗୁଣ୍ଡାଗର୍ଦ୍ଦି ଏବଂ ଆତଙ୍କରାଜ ଦେଖିବାକୁ ମିଳିଛି। ଖୋଦ୍ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଦୁର୍ବୃତ୍ତମାନେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ସ୍ଥାନୀୟ ଅଶାନ୍ତି ସୃଷ୍ଟି କରିଛନ୍ତି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିଶ୍ୱବିଦ୍ୟାଳୟ ଗେଟ୍ ନିକଟରେ କିଛି ଦୁର୍ବୃତ୍ତ ସାଧାରଣ ଛାତ୍ରଛାତ୍ରୀଙ୍କୁ ଅଟକାଇ ବେଆଇନ ଭାବେ ଟଙ୍କା/ଦାଦାବଟି ମାଗିଥିଲେ। ଛାତ୍ରମାନେ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ଲୁହା ରଡ୍ରେ ଏକ ବାଇକ୍କୁ ଭାଙ୍ଗି ଚୁରମାର୍ କରିଥିଲେ ଏବଂ ଉପସ୍ଥିତ ଛାତ୍ରଙ୍କୁ ଆକ୍ରମଣ କରିଥିଲେ।
ଏହି ସମ୍ପୂର୍ଣ୍ଣ ଘଟଣା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସୁରକ୍ଷା ପ୍ରହରୀଙ୍କ ସମ୍ମୁଖରେ ଘଟିଥିବା ବେଳେ କେହି ଏହାକୁ ରୋକିବାକୁ ସାହସ କରିନଥିଲେ।
ଲକ୍ଷ୍ମୀଯୋର ଥାନା ଠାରୁ ମାତ୍ର ୨୦୦ ମିଟର ଦୂରତାରେ ଏଭଳି କାଣ୍ଡ ଘଟିବା ଏବଂ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯିବା ବିଶ୍ୱବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଓ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ରସଂସଦ ଓ ସାଧାରଣ ଛାତ୍ରଛାତ୍ରୀ ଦାବି କରିଛନ୍ତି।

