ଖଇରଡିହି ଗ୍ରାମର ବିଶିଷ୍ଟ ସାହିତ୍ୟିକ ନଗେନ୍ଦ୍ର କୁମାର ନାୟକଙ୍କ ପରଲୋକ
ଜମନକିରା : ଖଇରଡିହି ଗ୍ରାମର ବିଶିଷ୍ଟ ସାହିତ୍ୟିକ ତଥା କୃଷିଜୀବୀ ନଗେନ୍ଦ୍ର କୁମାର ନାୟକଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି। ଗତକାଲି ରାତିରେ ହଠାତ୍ ତଳେ ଖସିପଡ଼ି ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
୧୯୪୪ ମସିହା ଜୁନ୍ ୬ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ନାୟକ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥିଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଗଭୀର ରୁଚି ଥିଲା। ସେ ଅନେକ ଓଡ଼ିଆ ଗୀତ ରଚନା କରିବା ସହ ରାମାୟଣ, ମହାଭାରତ ଏବଂ ଉପେନ୍ଦ୍ର ଭଞ୍ଜ, ଗଙ୍ଗାଧର ମେହେରଙ୍କ ଭଳି ପ୍ରମୁଖ କବିଙ୍କ ସାହିତ୍ୟ କୃତି ଉପରେ ତାଙ୍କର ଅଗାଧ ଜ୍ଞାନ ଥିଲା। ସେ ବୃତ୍ତିରେ ଜଣେ କୃଷକ ଥିଲେ।
ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଧର୍ମପତ୍ନୀ ସ୍ନେହଲତା ନାୟକ, ପୁତ୍ର ଡାକ୍ତର ସୁବୋଧ କୁମାର ନାୟକ, ବୋହୂ ଗୀତାଞ୍ଜଳି ପଟେଲ ସାନ ପୁଅ ସୁନୀଲ କୁମାର ନାୟକ ତାଙ୍କ ଧର୍ମପତ୍ନୀ ସ୍ନିଗ୍ଧା ପଟେଲ, ଝିଅ ସୁଜାତା ଓ ନମିତା, ଜ୍ୱାଇଁ ସୁଜ୍ଞାନ, ନାତି ସମ୍ପତ ଓ ଶାଶ୍ୱତ, ନାତୁଣୀ ସୁଶ୍ରୀ ଓ ଶ୍ରୀଷା ଉପସ୍ଥିତ ଥିଲେ। ଏଥିସହ ଗ୍ରାମର ପ୍ରତାପ, ମନୋଜ, ସୁରଜିତ, ଶୁଭମ, ପ୍ରବୀରଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

