ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ହାଇସ୍କୁଲରେ ଓଷ୍ଟା ଆନୁକୁଲ୍ୟରେ ଶିଶୁ ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ହାଇସ୍କୁଲରୁ ପ୍ରାୟ ୮୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ , କଣ୍ଠ ସଙ୍ଗୀତ , ଚିତ୍ରାଙ୍କନ , ଜଣା ଅଜଣା , ସାଧାରଣ ଜ୍ଞାନ , କବିତା ଲିଖନ , ଗଳ୍ପ ଲିଖନ , ଏକକ ଅଭିନୟ ଓ ଏକକ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତି ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ । ସମୁଦାୟ ୧୪ ଜଣ ପ୍ରତିଯୋଗୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଜିଲ୍ଲାସ୍ତର ଉତ୍ସବକୁ ମନୋନୀତ ହୋଇଛନ୍ତି । ଉତ୍ସବରେ ଓଷ୍ଟାର ଜିଲ୍ଲା ସଭାପତି ତଥା ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଖୋଜ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏଥିରେ ଖଣ୍ଡହତା ହାଇସ୍କୁଲର ସ୍କୁଲ ପରିଚାଳନା କମିଟିର ସଭାପତି ରତ୍ନାକର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷକ ସନ୍ତୋଷ ରଥ ସଭା ପରିଚାଳନା କରିଥିବାବେଳେ ରଣଜିତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ରଦେଇ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଉଜ୍ଜ୍ଵଳ ପ୍ରଧାନ ପୁରସ୍କାର ବିତରଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଅନନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଆସନ୍ତା ୨୩ ତାରିଖରେ ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ଖଣ୍ଡହତା ରେ ଓଷ୍ଟା ତରଫରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ
