ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂଗଠନ(ଇସ୍ରୋ) ପାଇଁ ଆଜିର ଦିନଟି ବହୁତ ଖାସ୍ ରହିଛି । କାରଣ ସୂର୍ଯ୍ୟର ଅଧ୍ୟୟନ ପାଇଁ ପଠାଯାଇଥିବା ଦେଶର ପ୍ରଥମ ମିଶନ ଆଦିତ୍ୟ ଏଲ-୧ ନିଜର ଲକ୍ଷ୍ୟସ୍ଥଳର ନିକଟତର ହୋଇ ଗଲାଣି । ଆଜି ଅପରାହ୍ଣ ପ୍ରାୟ ୪ଟାରେ ପୃଥିବୀର ପୃଷ୍ଠରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ନିଜର ଚୂଡାନ୍ତ କକ୍ଷପଥରେ ଏହାକୁ ଅବସ୍ଥାପିତ କରାଯିବ । ପ୍ରାୟ ତିନି ମାସର ଲମ୍ବା ଯାତ୍ରା ପରେ ଆଦିତ୍ୟ ଏଲ ୧କୁ ଅର୍ବିଟରେ ପ୍ରବେଶ କରାଇବା ପାଇଁ କାଉଂଟଡାଉନ ଆରମ୍ଭ ହୋଇ ଯାଇଛି । ଏହାର ଶେଷ ପ୍ରକ୍ରିୟା ବହୁତ ଜଟିଳ ରହିଛି ।
ଆଦିତ୍ୟ ଏଲ-୧ ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ସାଟେଲାଇଟ । ଏହାର ଓଜନ ପାଖାପାଖି ୧୫୦୦ କିଲୋଗ୍ରାମ ରହିଛି । ଏହା ପୃଥିବୀ ପୃଷ୍ଠରୁ ପ୍ରାୟ ୧୫ ଲକ୍ଷ କିମି ଦୂରରେ ରହି ସୂର୍ଯ୍ୟର ଅଧ୍ୟୟନ କରିବାରେ ଭାରତର ପ୍ରଥମ ମିଶନ । ଇସ୍ରୋର ଅଧିକାରୀଙ୍କ ଅନୁଯାୟୀ, ଅନ୍ତରୀକ୍ଷ ଯାନ ଆଦିତ୍ୟ ଏଲ-୧କୁ ଲାଗ୍ରାଞ୍ଜିଆନ ପଏଂଟର ନିକଟରେ ଏକ ହାଲୋ କକ୍ଷରେ ଆଜି ଅପରାହ୍ଣ ୪ଟାରେ ଅବସ୍ଥାପିତ କରାଯିବ । ଏହା ଏକ ଏମିତି ପଏଣ୍ଟ ଯେଉଁଠି ପୃଥିବୀର ଆକର୍ଷଣ ଶେଷ ହେଉଥିବା ବେଳେ ସୂର୍ଯ୍ୟର ଆକର୍ଷଣ ଆରମ୍ଭ ହୁଏ। ତେଣୁ ଏଠାରେ କୌଣସି ବି ଜିନିଷକୁ ଅଧିକ ସମୟ ରହିବା ପାଇଁ ଉର୍ଜାର ଆବଶ୍ୟକତା ପଡ଼ି ନ ଥାଏ।
ଆଦିତ୍ୟ -୧ ପଏଣ୍ଟରେ ସ୍ଥାପିତ ଏକ ଉପଗ୍ରହର ସବୁଠୁ ବଡ଼ ସୁବିଧା ହେଉଛି ଏହା କୌଣସି ପ୍ରକାରର ମହାଜାଗତିକ ଘଟଣା ବା ଗ୍ରହଣଜନିତ ବାଧା ବ୍ୟତିରକେ ସୂର୍ଯ୍ୟକୁ ନିରବଚ୍ଛିନ୍ନ ଭାବେ ନିରୀକ୍ଷଣ କରି ପାରିବ। ସୂର୍ୟ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ବାହ୍ୟସ୍ତର କରୋନା ଉପରେ ପର୍ୟ୍ୟବେକ୍ଷଣ କରିବା ପାଇଁ ଏଥିରେ ୭ଟି ପେଲୋଡ ରହିଛି। ମହାକାଶ ପାଣିପାଗ ଓ ପୃଥିବୀ ଉପରେ ଏହାର ପ୍ରଭାବ ଆଦି ଉପରେ ଏଗୁଡ଼ିକ ତଥ୍ୟ ସଂଗ୍ରହ କରିବ।
ଆଦିତ୍ୟ-ଏଲ୧କୁ ଲାଗ୍ରାଞ୍ଜିଆନ ପଏଣ୍ଟ-୧ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୧୨୫ ଦିନର ସମୟ ଲାଗିଛି। ଏହି ସମୟରେ ୧୫ ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡ଼ିଛି। ଚନ୍ଦ୍ରଯାନ-୩ ପରି ଏହା ମଧ୍ୟ ଅଲଗା ଅଲଗା କକ୍ଷରେ ଗତି କରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଅର୍ଥାତ ଆଦିତ୍ୟ-ଏଲ୧କୁ ସିଧାସଳଖ ପଠାଯାଇ ନାହିଁ।
ସୂଚନାଯୋଗ୍ୟ, ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦେଶର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୧ ସୂର୍ଯ୍ୟ ମିଶନରେ ରହିଛି। ଗତ ବର୍ଷ ସେପ୍ଟେମ୍ବର ୨ ତାରିଖ ଶନିବାର ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୭ ଜରିଆରେ ଆଦିତ୍ୟ-ଏଲ୧କୁ ସଫଳତାପୂର୍ବକ ଉତକ୍ଷେପଣ କରାଯାଇଥିଲା। ପିଏସଏଲଭି ହେଉଛି ଇସ୍ରୋର ସବୁଠୁ ବଡ଼ ଭରସାଯୋଗ୍ୟ ରକେଟ୍।