ପଟ୍ଟା ପାଇଁ ସୀତାବୋର୍ଡି ପଡା ବସ୍ତି ବାସିନ୍ଦା ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ଘେରାଉ


କଳାହାଣ୍ଡି, ୦୮/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ୱାର୍ଡ ନମ୍ବର ୨ ସ୍ଥିତ ଆଇ. ଟି. ଆଇ. ସମ୍ମୁଖରେ ଥିବା ସୀତାବୋର୍ଡି ପଡା ବାସି ରଜା ରାଜୁଡା ଅମଳରୁ ବସତି ସ୍ଥାପନ କରି ରହି ଆସୁଛନ୍ତି । ଓଡିଶା ସରକାରଙ୍କ ବସ୍ତି ଆଇନ ୨୦୧୭ ଅନୁଯାୟୀ ପଡ଼ାର ୪୨ ଗୋଟି ପରିବାର କୁ ସର୍ଭେ ଭୁକ୍ତ କରାଯାଇ ତନମଧ୍ୟରୁ ୧୩ ଗୋଟି ପରିବାରକୁ ପଟ୍ଟା ଦିଆଯାଇଥିଲା ଏବଂ ଅନ୍ୟ ୨୯ ଗୋଟି ପରିବାରକୁ ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା । ଆଜକୁ ୩ ବର୍ଷରୁ ଅଧିକ ସମୟ ହେଲାଣି ବସ୍ତିବାସିନ୍ଦା ମାନେ ମୁନ୍ସିପାଲଟି ଅଫିସ ଦୌଡ଼ି ଦୌଡ଼ି ହଈରାଣ ହେଲେ ମଧ୍ୟ ସେମାନେ ଘର ଡିହପଟ୍ଟା ଖଣ୍ଡିକ ପାଇପାରିଲେ ନାହିଁ । ଓଡିଶା ସରକାର ବସ୍ତିଆଇନ କୁ ଏକ ଐତିହାସିକ ଆଇନ କହି ସହରର ବିଭନ୍ନ ବସ୍ତିରେ ବଡ ବଡ ହୋଡିଂ ଲଗେଇଛନ୍ତି । କିନ୍ତୁ ଆଜିବି ସହରର ଅନେକ ବସ୍ତି ସର୍ଭେରୁ ବାଦ ପଡ଼ିଥିବା ବେଳେ ପାଖାପାଖି ଦଶ ହଜାରରୁ ଉର୍ଦ୍ଧ ପରିବାର ପଟ୍ଟା ପାଇବାରୁ ବଂଚିତ ଅଛନ୍ତି ।
ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି ର ବରିଷ୍ଠ ସଦସ୍ୟ ସରୋଜ ବାଗ ଙ୍କ ନେତୃତ୍ୱ ରେ ସୀତାବୋର୍ଡି ପଡା ବସ୍ତିବାସିନ୍ଦା ମୁନ୍ସିପାଲଟି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ଆବାହକ ଗିରିଧାରୀ, ଅଭୟ ନାୟକ, ଜଗନ୍ନାଥ ନାଏକ, ଚତୁର୍ଥଭୁଜ ନାଏକ, ବବିତାରାଣୀ ଦାସ, ମନ୍ଦାକିନୀ ବଣୁଆ, ତପସ୍ୱିନୀ ନାଏକ, ସ୍ନିଗ୍ଧ। ରାଣୀ ପଟନାୟକ, ରୋହିଣୀ ମାଝୀ, ରଶ୍ମିତା ମାଝୀଓ ଅନେକ ବସ୍ତିବାସିନ୍ଦା ଯୋଗଦେଥିଲେ ।
ସୂଚନା ପାଇ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ସତ୍ୟସମ୍ପନ୍ନା ରାଉତ ଘଟଣାସ୍ଥଳ କୁ ଆସି ଦାବିପତ୍ର ଗ୍ରହଣ କରିବାସହ ସାତ ଦିନ ଭିତରେ ତହସିଲଦାରଙ୍କ ସହ ବସ୍ତିକୁ ଯାଇ ଅନୁସନ୍ଧାନ କଲାପରେ ନିଶ୍ଚୟ ପଦକ୍ଷେପ ନେବିବୋଲି କଥାଦେଇଥିଲେ ।
ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।