ଭୁବନେଶ୍ବର: ଭାରତର ପୂର୍ବ ରାଜ୍ୟ ଓଡିଶାରେ ମହା ବିଷୁବ ସଂକ୍ରାନ୍ତିକୁ ନୂତନ ବର୍ଷ ଭାବରେ ପାଳନ କରାଯାଏ। ଏହା ପଣା ସଂକ୍ରାନ୍ତି ଭାବେ ବେଶ୍ ଜଣାଶୁଣା। ଏହି ଦିନକୁ ହନୁମାନଙ୍କ ଜୟନ୍ତୀ ଭାବରେ ପାଳନ କରାଯାଏ। ଓଡ଼ିଆ ପରସ୍ପରାରେ ଏହା ଏକ ସ୍ବତନ୍ତ୍ର ଦିନ। ଆଜିଠାରୁ ଖରାର ପ୍ରକୋପ ବଢିଥାଏ। ସୂର୍ଯ୍ୟ ଆଜିଠାରୁ ବିଷୁବ ରେଖାକୁ ଚଳନ କରୁଥିବାରୁ ଏହି ଦିନକୁ ମହାବିଷୁବ ସଂକ୍ରାନ୍ତି କୁହାଯାଇଥାଏ । ଏହି ଦିନ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ତୁଳସୀ ଚଉରା ମୂଳରେ ଏକ ଛୋଟ ମାଠିଆରେ ପଣା ରଖି ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇ ଥାଏ । ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ ।
ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଆଜିଠୁ ଅଧିକ ଗରମ ଅନୁଭୂତ ହୁଏ। ଗରିଷ୍ଠ ଖାଦ୍ୟ ସହଜରେ ହଜମ ହେଉଥିବାରୁ ବୁଟ ଛତୁଆ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ପାଳନ କରାଯାଏ ।