Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରସିଦ୍ଧ ପାତାଳି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଓ ଶ୍ରୀଜିଉଙ୍କ ଗଜାବେଶ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପାତାଳି ଶ୍ରୀକ୍ଷେତ୍ର ଯେଉଁ ଠାରେ ଶ୍ରୀଜୀଉ ୧୪୪ ବର୍ଷ ଧରି ପାତାଳୀ ହୋଇଥିଲେ କୋଟସମଲାଇ ପୀଠ ଠାରେ ବହୁ ଆଡମ୍ବର ସହକାରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଛଳିଆ ପାହାଡ଼ ସ୍ଥିତ ସୁନା କୂଅରୁ ୫୪ ଜଣ ଭାରୁଆଙ୍କଦ୍ଵାରା ସ୍ନାନ ଜଳ ସ୍ନାନବେଦୀକୁ ବିଜେ ହୋଇଥିଲେ।ଆଜି ପ୍ରଥମେ ଦ୍ଵାର ଫିଟା , ସୂର୍ଯ୍ୟପୂଜା, ଦ୍ଵାର ପାଦପୂଜା, ମଙ୍ଗଳ ଆଳତୀ ଖେଚୁଡ଼ି ଭୋଗ ପରେ ବେଶ ମଙ୍ଗଳାର୍ପଣ ତାପରେ ଧାଡ଼ି ପହଣ୍ଡିରେ ଶ୍ରୀଜିଉଙ୍କ ସ୍ନାନବେଦୀକୁ ବିଜେ କରିଥିଲେ। ସେଥିରେ ପୂଜା ହୋମ ଓ ଜଳ ବିଶୁଦ୍ଧି କରିବାପରେ ଶ୍ରୀ ବଳଭଦ୍ରଙ୍କ ଠାରେ ୩୩ କୁମ୍ଭ, ଶ୍ରୀ ଜଗନ୍ନାଥଙ୍କୁ ୩୫ କୁମ୍ଭ, ଦେବୀ ସୁଭଦ୍ରାଙ୍କ ଠାରେ ୨୨ କୁମ୍ଭ ଓ ଶ୍ରୀ ସୁଦର୍ଶନଙ୍କ ଠାରେ ୧୮ କୁମ୍ଭ ସୁବାସିତ ଜଳ ଦ୍ଵାରା ସ୍ନାନ ନୀତି କରାଯାଇଥିଲା‌। ପରେ ଶ୍ରୀଜୀଉ ଙ୍କ ଦୁର୍ଲ୍ଲଭ ଗଜାନନ ବେଶ କରାଯାଇଥିଲା। ଆଜିର ଏହି ସମସ୍ତ କାର୍ଯ୍ୟକୁ ମୁଖ୍ୟ ପୂଜକ ବିଶେଶ୍ୱର ପାଢ଼ୀ, ଗୁଣାକର ପଣ୍ଡା, ଯଜ୍ଞାଚାର୍ଯ୍ୟ ଦେବାର୍ଚ୍ଚନ ଦାଶ, ବେଦପାଠ ଶ୍ରୀରାମ ପଣ୍ଡା, ବଦ୍ରି ନାରାୟଣ ଶତପଥୀ, ଆଚାର୍ଯ୍ୟ ନନ୍ଦ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ଗ୍ରାମରୁ ଆସିଥିବା ବ୍ରାହ୍ମଣ ସେବାୟତ, ପାଣି ଭାରୁଆ, ଟ୍ରଷ୍ଟ ସଦସ୍ୟ ସମସ୍ତ କାମରେ ସହଯୋଗ କରିଥିଲେ। ଆଜିର ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ। ଭକ୍ତ ଙ୍କ ହରିବୋଲ ଓ ହୁଳହୁଳି ଧ୍ବନିରେ ସମଗ୍ର ପାତାଳି ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ