ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ୍ ସୁନିଲ ଗାଭାସ୍କର କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ କ୍ରିକେଟରୁ କିଛି ସମୟ ବିରତି ନେବା ଉଚିତ୍। ଆଇପିଏଲ ଇତିହାସରେ ସବୁଠୁ ସଫଳ ଫ୍ରାଞ୍ଚାଇଜି ଦଳ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସଂସ୍କରଣରେ ବହୁତ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି। ୨୦୨୨ ସିଜିନ ମଧ୍ୟ ମୁମ୍ବାଇ ପାଇଁ ବହୁତ ନିରାଶଜନକ ଥିଲା। ରୋହିତ ଶର୍ମାଙ୍କ ନେତୃତ୍ଵରେ ପାଞ୍ଚ ଥର ଟାଇଟଲ୍ ଜିତିଥିବା ମୁମ୍ବାଇ ଚଳିତ ସଂସ୍କରଣର ୩୫ଟି ମ୍ୟାଚ୍ ପରେ ପଏଣ୍ଟ ତାଲିକାର ସପ୍ତମରେ ରହିଛି। ମଙ୍ଗଳବାର ମୁମ୍ବାଇକୁ ଗୁଜରାଟ୍ ହାତରୁ ୫୫ ରନର ପରାଜୟ ମିଳିଛି। ୨୦୧୭ ପରଠୁ ରନ ବ୍ୟବଧାନରେ ଏହା ମୁମ୍ବାଇର ସବୁଠୁ ବଡ ପରାଜୟ।
ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଲେ ଗାଭାସ୍କର କହିଛନ୍ତି, ମୁଁ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ଅର୍ଡରରେ କିଛି ପରିବର୍ତ୍ତନ ଦେଖିବାକୁ ଚାହୁଁଛି। କହିବାକୁ ଗଲେ ରୋହିତ ଶର୍ମାଙ୍କୁ କିଛି ସମୟ ବିରତି ନେବା ଉଚିତ୍। ନିଜକୁ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ପାଇଁ ଫିଟ୍ ରଖନ୍ତୁ। ଏହା ପରେ ଶେଷ କିଛି ମ୍ୟାଚ୍ ମୁମ୍ବାଇ ପାଇଁ ଖେଳନ୍ତୁ। କିନ୍ତୁ ବର୍ତ୍ତମାନ ତାଙ୍କୁ ଏକ ଛୋଟ ବ୍ରେକର ଆବଶ୍ୟକତା ରହିଛି। ସଂପ୍ରତି ସେ ବହୁତ ବିଚଳିତ ଜଣା ପଡୁଛନ୍ତି। ହୋଇପାରେ ରୋହିତ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ବିଷୟରେ ଚିନ୍ତା କରୁଥିବେ। ଏବେ ବିଶ୍ରାମ ନେଇ ଶେଷ ତିନି-ଚାରି ମ୍ୟାଚ୍ ପାଇଁ ଦଳକୁ ଫେରନ୍ତୁ। ଫଳରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲ୍ ପାଇଁ ଅଭ୍ୟାସ୍ ବି ହୋଇଯିବ ଏବଂ ଲୟ ଫେରି ପାଇବାରେ ସହାୟକ ହେବ। ଏବେ କୌଣସି ଚମତ୍କାର ହିଁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ଲେ ଅଫରେ ପହଞ୍ଚାଇପାରିବ ବୋଲି ଗାଭାସ୍କର କହିଛନ୍ତି।