Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏ ଥର କାହା ହାତକୁ ଯିବ ରେଙ୍ଗାଲି

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ୱପୂର୍ଣ୍ଣ ମଣ୍ଡଳୀ। ରେଙ୍ଗାଲି ବ୍ଲକ ରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନ ପାଇଁ ଏହି ନିର୍ବାଚନ ମଣ୍ଡଳୀ ର ଗୁରୁତ୍ୱ ବହୁତ ବେଶୀ। ସମସ୍ତ ରାଜନୀତି ଦଳ ପାଇଁ ଏହି ଆସନ ଜିତିବା ଏକ ସମ୍ମାନ ର ଉତ୍ସ। ୨୦୦୯ ମସିହା ସାଧାରଣ ନିର୍ବାଚନରେ ରେଙ୍ଗାଲି ବ୍ଲକ, ଧନକଉଡା ବ୍ଲକ ଓ ମାନେଶ୍ୱର ବ୍ଲକ ର ୧୦ ଟି ପଞ୍ଚାୟତ କୁ ନେଇ ପ୍ରଥମ ଥର ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିଲା। ୨୦୦୯ ମସିହା ରେ ଅନୁଷ୍ଠିତ ପ୍ରଥମ ନିର୍ବାଚନ ରେ ରେଙ୍ଗାଲି ରେ ଉଭୟ ବିଜେଡି ଓ ବିଜେପି ରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଥିଲା। ସେତେବେଳ ରେଙ୍ଗାଲି ବିଜେଡି ର ସର୍ବେସର୍ବା ଥିଲେ ସ୍ୱର୍ଗୀୟ ଏମ. ବି ପ୍ୟାରିରାଜ। ସେ ନିଜେ ବିଜେଡି ଟିକେଟ ପାଇଁ ଲବି କରିଥିଲେ ମଧ୍ୟ ସେସରେ ପୂର୍ବତନ ମନ୍ତ୍ରୀ ସନାତନ ବିଶି ଙ୍କୁ ଦଳ ଟିକେଟ ଦେଇଥିଲା। ଦଳ ବିରୋଧ ରେ ଯାଇ ସ୍ୱର୍ଗୀୟ ଏମ. ବି ପ୍ୟାରିରାଜ ସ୍ୱାଧୀନ ନିର୍ବାଚନ ଲଡି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହି ପରି ବିଜେପି ରୁ ମଧ୍ୟ ଦୁଇ ଜଣ ନିର୍ବାଚନ ମଇଦାନକୁ ଓଲ୍ହାଇଥିଲେ। ଦଳ ଦେବାନନ୍ଦ ଭୁସାଗର ଙ୍କୁ ଟିକେଟ ଦେଇଥିବା ବେଳେ ଏହା ବିରୋଧ ରେ ବିଜେପି ର ବର୍ତ୍ତମାନ ବିଧାୟକ ନାଉରି ନାୟକ ସ୍ୱାଧୀନ ଲଡିଥିଲେ।ଏହି ଗୋଷ୍ଠୀ କନ୍ଦଳ ର ଫାଇଦା କଂଗ୍ରେସ କୁ ମିଳିଥିଲା ଓ ଦୁର୍ଯୋଧନ ଗରଡ଼ିଆ ରେଙ୍ଗାଲି ର ପ୍ରଥମ ବିଧାୟକ ହୋଇଥିଲେ। ପରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ କଡା ଟକର ଦେଖିବାକୁ ମିଳିଥିଲା। ବିଜେଡି ସ୍ୱର୍ଗୀୟ ଏମ. ବି ପ୍ୟାରିରାଜଙ୍କ ସମର୍ଥିତ ପ୍ରାର୍ଥୀ ରମେଶ ପଟୁଆ ଙ୍କୁ ଟିକେଟ ଦେଇଥିବା ବେଳେ ବିଜେପି ନାଉରି ଙ୍କୁ ଟିକେଟ ଦେଇଥିଲା। ବିଜେଡି ୧୮୩୦ ଖଣ୍ଡ ଅଧିକ ଭୋଟ ପାଇ ରେଙ୍ଗାଲି ଆସନ କୁ ଅକ୍ତିଆର କରିଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏମ ବି ପ୍ୟାରୀରାଜ ଙ୍କ ଦେହାନ୍ତ ହୋଇଯାଇଥିଲା। ୨୦୧୯ ରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗୀୟ ନବ କିଶୋର ଦାସ ଙ୍କ ସମର୍ଥିତ ରୀନା ତନ୍ତୀ ଙ୍କୁ ବିଜେଡି ଟିକେଟ ଦେଇ ୨୦୧୪ ରେ ବିଜୟୀ ହୋଇଥିବା ରମେଶ ପଟୁଆ ଙ୍କ ଟିକେଟ କାଟି ମହିଳା କାର୍ଡ ଖେଳିଥିଲା। କିନ୍ତୁ ବିଜେଡି ରେ ଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେପି ବାଜି ମାରି ନେଇଥିଲା। ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ, ବିଜେଡି, ବିଜେପି ଥରେ ଲେଖା ଜିତି ସାରିଛନ୍ତି। ଏବେ ନବ ଦାସ ଙ୍କ ଅନୁପସ୍ଥିତି କି ପ୍ରଭାବ ଦେଖାଇବ ଆଗକୁ ଜଣାପଡିବ।