Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଆଦିବାସୀ କଲ୍ୟାଣ ପରିଷଦ ପକ୍ଷରୁ ସନ୍ଥ କବି ଭୀମଭୋଇ ଜୟନ୍ତୀ ପାଳନ

ଜମନକିରା : ଜିଲ୍ଲା ଆଦିବାସୀ କଲ୍ୟାଣ ପରିଷଦ ପକ୍ଷରୁ ଆଜି ଶୁକ୍ରବାର ଦିନ କୁସୁମୀ ଜମନକିରା ଗ୍ରାମ ପଞ୍ଚାୟତ ପାଣ୍ଡିଆଢ଼ିପା ସ୍ଥିତ ବିରାଟ ବାରଗଛ ମୂଳ ତଥା ପ୍ରାକୃତିକ ପରିବେଶ ମଧ୍ୟରେ ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କଲ୍ୟାଣ ପରିଷଦର ଉପ-ସଭାପତି କରୁଣାକର କିଶାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାହିତ୍ୟିକ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ନାୟକ ଯୋଗ ଦେଇ ସନ୍ଥ କବିଙ୍କ ଜୀବନୀ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ସେ ଜଣେ ବିପ୍ଳବୀ ଓ ସଂସ୍କାରକ ଥିଲେ ବୋଲି ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦ ପାଣ୍ଡେ, ରବୀନ୍ଦ୍ର ପଟେଲ, ପୂର୍ବତନ ଲାମ୍ପସ ସଭାପତି ଅଚ୍ୟୁତ ନାଏକ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଶ୍ରଦ୍ଧା ସୁମନ ଜଣାଇଥିଲେ। ଏହି ଦିନ ଆଦିବାସୀ ବିପ୍ଳବୀ ଧରଣୀ ଧର ନାଏକ, ଆଦିବାସୀ ଭାଷାବିତ୍ତ ପଣ୍ଡିତ ଦ୍ରୌପଦୀ ମୁର୍ମୁ, ଏସିଆର ଆଲୋକ ଗୌତମ ବୁଦ୍ଧ ଓ ବିପ୍ଳବୀ ଲେଖକ କାର୍ଲ ମାର୍କସ ପ୍ରମୁଖଙ୍କ ଜୟନ୍ତି ହୋଇ ଥିବାରୁ ସେ ମହା ମଣିଷ ମାନଙ୍କ ଜୀବନୀ ଓ ମାନବ ସମାଜ ପ୍ରତି ଅବଦାନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ଗୀତବାଦ୍ୟ ମାଧ୍ୟମରେ ଅତିଥି ଗଣଙ୍କୁ ସ୍ୱାଗତ କରାଯାଇଥିଲା। ସନ୍ଥ କବିଙ୍କ ସହ ଅନ୍ୟ ମହାପୁରୁଷଙ୍କ ତୈଲ୍ୟ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧା ସୁମନ ପ୍ରଦାନ କରାଯାଇଥିଲା। ସ୍ଥାନୀୟ କମିଟି ସଭାପତି ଲାଲିନ୍ଦ୍ର ପଢନ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ମଙ୍କି ପୂର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ମହିଳା ସ୍ବେଚ୍ଛାସେବୀ ମାର୍ଗରେଟ କେରକେଟା ଓ କ୍ଷିରୋଦିନି ଦେହୁରୀ ଆଦିବାସୀ ଭାଷାରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।