Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ICC ଦିନିକିଆ ରାଙ୍କିଙ୍ଗରେ ପ୍ରଥମ ଥର ଶୀର୍ଷରେ ପାକିସ୍ତାନ, ଗୋଟିଏ ମାସରେ କଲା କମାଲ

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ବିଶ୍ଵକପ୍ ୨୦୨୩ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ଦୁନିଆରେ ବଡ଼ ଧମାକା କରିଛି। ଦଳ କ୍ରିକେଟ୍ ଜଗତରେ ପ୍ରଥମ ଥର ଦିନିକିଆ ମାନ୍ୟତାରେ ଶୀର୍ଷ ସ୍ଥାନକୁ ଉଠିଛି। ଆଇସିସି ୨୦୦୫ରେ ଯେବେଠୁ ମାନ୍ୟତା ଦେବା ଆରମ୍ଭ କଲା ତେବେଠୁ ପାକିସ୍ତାନ କେବେ ବି ନମ୍ବର ଓ୍ଵାନ ଦଳ ହୋଇ ପାରିନଥିଲା। ବାବର ଆଜମଙ୍କ ନେତୃତ୍ଵରେ ପାକିସ୍ତାନ ଶୁକ୍ରବାର ନ୍ୟୁଜିଲାଣ୍ଡକୁ ଚତୁର୍ଥ ଦିନିକିଆରେ ପରାସ୍ତ କରି ଏହି ଐତିହାସିକ ସଫଳତା ହାସଲ କରିଛି। କରାଚିରେ ଖେଳା ଯାଇଥିବା ଉକ୍ତ ମ୍ୟାଚରେ ପାକିସ୍ତାନ ଭ୍ରମଣକାରୀ କିଓ୍ଵି ଦଳକୁ ୧୦୨ ରନରେ ହରାଇଛି। ଏଥିସହ ଘରୋଇ ପାକିସ୍ତାନ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୪-୦ରେ ଅଗ୍ରଣୀ ହାସଲ କରିଛି।

ତୃତୀୟ ସ୍ଥାନରେ ଭାରତ
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ପାକିସ୍ତାନ ମାନ୍ୟତାର ୫ମ ସ୍ଥାନରେ ଥିଲା। ଏବେ ଗୋଟିଏ ମାସ ପରେ ଶୀର୍ଷ ସ୍ଥାନ ଦଖଲ କରିଛି ପାକିସ୍ତାନ। ୧୧୩ ରେଟିଂ ସହ ଆମର ଏହି ପଡୋଶୀ ଦେଶ ଶୀର୍ଷରେ ଥିବା ବେଳେ ସମାନ ପଏଣ୍ଟ ଥାଇ ବି ଦଶମିକ ହିସାବରେ ଅଷ୍ଟ୍ରେଲିଆ ଦ୍ଵିତୀୟ ସ୍ଥାନରେ ରହିଛି। ଭାରତର ପଏଣ୍ଟ ୧୧୩ ଥିଲେ ହେଁ ଦଳ ତୃତୀୟ ସ୍ଥାନରେ ରହିଛି। ଚତୁର୍ଥରେ ଇଂଲଣ୍ଡ ଏବଂ ପଞ୍ଚମରେ ନ୍ୟୁଜିଲାଣ୍ଡ ରହିଛି।

ପାକିସ୍ତାନ ଦଳ ଆଇସିସି ଦିନିକିଆ ମାନ୍ୟତାରେ ପ୍ରଥମ ଥର ଶୀର୍ଷ ସ୍ଥାନରେ ପହଞ୍ଚିଲେ ହେଁ ଏହାକୁ କାଏମ ରଖିବା ପାଇଁ ଦଳକୁ ଶେଷ ଦିନିକିଆ ଯେମିତି ହେଲେ ଜିତିବାକୁ ପଡିବ। ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦିନିକିଆ ମେ ୭ ତାରିଖରେ ଖେଳାଯିବ। ଯଦି ପାକିସ୍ତାନ ଏହି ମ୍ୟାଚ୍ ହାରିଯାଏ ତେବେ ତୃତୀୟ ସ୍ଥାନକୁ ଖସି ଆସିବ ଏବଂ ଅଷ୍ଟ୍ରେଲିଆ ପୁନର୍ବାର ଶୀର୍ଷକୁ ଉଠିବ। ଏମିତି ସ୍ଥିତିରେ ଭାରତ ଦ୍ଵିତୀୟକୁ ଉଠିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ