ଭୁବନେଶ୍ଵର: ଦୁନିଆର ନୀତି ମଧ୍ୟରୁ ଶ୍ରେଷ୍ଠ ହେଉଛି ରାଜନୀତି। ଏହା ଜରିଆରେ ଅର୍ଥ, ପଦବୀ, ବୈଭବ ସବୁ କିଛି ମିଳିବା ସମ୍ଭବ। ବାସ୍ ବ୍ୟକ୍ତି ଚତୁର, ସ୍ଵାର୍ଥପର, ସୁବିଧାବାଦୀ ହେବା ସହ ସାଲିସ୍ କରି ଜାଣିଥିବା ଦରକାର। ଯଦି ବିଗତ ଦୁଇ ଦଶନ୍ଧି ଏବଂ ସାଂପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟ ଉପରେ ନଜର ପକାଇବା ତେବେ ଦେଶର ସବୁଠୁ ସୁବିଧାବାଦୀ ନେତା ହେଉଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନିଜ ରାଜ୍ୟର ପାଣିପାଗ ହିସାବରେ ଏବଂ ନିଜର ମୁଖ୍ୟମନ୍ତ୍ରୀ ଗାଦିକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ କେତେବେଳେ କେଉଁ ଦଳ ସହ ସେ ହାତ ମିଳାଇଛନ୍ତି ତାହା ସମସ୍ତେ ଜାଣିଥିବେ। କିନ୍ତୁ ଏଥର ନୀତୀଶଙ୍କ ନିକଟରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେ ବିଜେପି ବିରୋଧରେ ଆରପାର ଲଢେଇ କରିବାକୁ ଅଣ୍ଟା ଭିଡିଛନ୍ତି। ତେଣୁ ଭାରତୀୟ ଜନତା ପାର୍ଟି ବିରୋଧରେ ବିରୋଧୀଙ୍କୁ ଏକଜୁଟ୍ କରିବାର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ଆସନ୍ତା ୯ ତାରିଖରେ ଓଡିଶା ଗସ୍ତରେ ଆସିବେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହାର ଉଦ୍ଦେଶ୍ୟ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଏକାଠି କରି ଏକ ବୃହତ ଏବଂ ଦୃଢ ବିରୋଧୀ ମେଣ୍ଟ ଗଠନ କରିବା।
ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲଗାତାର ଭାରତୀୟ ଜନତା ପାର୍ଟି ବିରୋଧରେ ବିରୋଧୀଙ୍କୁ ଏକଜୁଟ୍ କରି ଦୃଢ ବିରୋଧୀ ମେଣ୍ଟ ଗଠନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ସେ ଦେଶର ଅନେକ ବିରୋଧୀ ଦଳର ନେତା ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବା ପାଇଁ ସେ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆସନ୍ତା ୯ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି। ନବୀନ ନିବାସରେ ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବିଶ୍ଵସ୍ତ ସୂତ୍ର ଅନୁଯାୟୀ, ଦୁଇ ନେତାଙ୍କ ମଧ୍ୟରେ ବୈଠକ ପାଖାପାଖି ୩୦ ମିନିଟ୍ ଧରି ଚାଲିବ। ନୀତୀଶ ନିଶ୍ଚିତ ଭାବେ ନବୀନଙ୍କୁ ତୃତୀୟ ସାମ୍ମୁଖ୍ୟରେ ମିଶିବାକୁ ପ୍ରସ୍ତାବ ଦେବେ ଏବଂ ଭବିଷ୍ୟତ ରାଜନୀତିର ରୋଡମ୍ୟାପ୍ ଉପରେ ଆଲୋଚନା କରିବେ।
ବିଜେଡି ଦେଶରେ ଏକ ମଜବୁତ ଆଞ୍ଚଳିକ ପାର୍ଟି। ବିହାରର ମୁଖ୍ୟମନ୍ତ୍ରୀ ଭବିଷ୍ୟତ ରାଜନୀତିର ରୋଡମ୍ୟାପ୍ ଉପରେ ଆଲୋଚନା ପାଇଁ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆସୁଛନ୍ତି। ଏହା ନବୀନ ବାବୁଙ୍କ ଉପରେ ନିର୍ଭର କରେ ଯେ, ସେ କୌଣସି ମେଣ୍ଟରେ ସାମିଲ୍ ହେବେ ନା ସମଦୂରତା ବଜାୟ ରଖିବେ ବୋଲି କହିଛନ୍ତି ବିଜେଡିର ଜନୈକ ବରିଷ୍ଠ ନେତା। ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜେଡିର ଲୋକସଭାରେ ୧୨ ସାଂସଦ ରହିଥିବା ବେଳେ ରାଜ୍ୟସଭାରେ ୮ ସଦସ୍ୟ ରହିଛନ୍ତି। ଏହା ପୂର୍ବରୁ ନୀତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଏବଂ ଡି ରାଜାଙ୍କୁ ସାକ୍ଷାତ କରି ସାରିଛନ୍ତି। ଗତ ମାର୍ଚ୍ଚ ମାସରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।
ହେଲେ ବିଜେଡି ସର୍ବଦା ବିଜେପି ଏବଂ କଂଗ୍ରେସଠୁ ସମଦୂରତା ରକ୍ଷା କରି ଆସିଛି। ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ପୂର୍ବରୁ ହୋଇଥିବା ବିରୋଧୀ ନେତାମାନଙ୍କ ବୈଠକରୁ ବିଜେଡି ନିଜକୁ ଦୂରେଇ ରଖି ଆସିଛି। କିନ୍ତୁ ବିଭିନ୍ନ ପ୍ରସଙ୍ଗରେ ବିଜେଡି କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟିକୁ ଭରପୁର ସମର୍ଥନ ଦେଇ ଆସିଛି। ସେ ଲୋକସଭା ହେଉ ଅବା ରାଜ୍ୟସଭା ଯେ କୌଣସି ଗୁରୁତ୍ଵପୂର୍ଣ୍ଣ ବିଧେୟକ ଗୃହୀତ ସମୟରେ ବିଜେପିକୁ ଅକୁଣ୍ଠ ସମର୍ଥନ ଦେଇ ଆସିଛି ବିଜେଡି। କଂଗ୍ରେସ କେନ୍ଦ୍ରରେ କ୍ଷମତାସୀନ ଥିବା ସମୟରେ ଠିକ୍ ଏହି ସମଦୂରତା ନୀତିକୁ ଆପଣେଇଥିଲା ବିଜେଡି, ଯାହା ଏବେ ବିଜେପି ସହ କରୁଛି। ବର୍ତ୍ତମାନ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରକୁ ବିଜେଡି ସମର୍ଥନ ଦେବାର ମଧ୍ୟ ଅନେକ କାରଣ ରହିଛି। ସବୁଠୁ ପ୍ରମୁଖ କାରଣ ସିବିଆଇ ବହୁତ ଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଛି। ଆଉ ସିବିଆଇ କେନ୍ଦ୍ର ସରକାରଙ୍କ ସଖୀ କଣ୍ଢେଇ। ଏହି ଜାତୀୟ ତଦନ୍ତକାରୀ ସଂସ୍ଥା କେତେବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ତତ୍ପର ହେଉଛି ତ କେତେବେଳେ ଶିଥିଳ ପଡି ଯାଉଛି ତାହା କହିବା ବହୁତ ମୁସ୍କିଲ। ଯଦି ବିଜେଡି ପରୋକ୍ଷ ହେଉ ବା ପ୍ରତ୍ୟକ୍ଷରେ ବିଜେପିକୁ ସମର୍ଥନ ନଜଣାଏ ଏବଂ ବିରୋଧୀ ମେଣ୍ଟ ସହ ହାତ ମିଳାଇ ସ୍ଵର ଉତ୍ତୋଳନ କରେ ତେବେ ସିବିଆଇ ବିଜେଡି ଶିବିରରେ କେଉଁ ନେତାଙ୍କ ଉପରେ କେତେବେଳେ ଝାମ୍ପ ପକାଇବ ତାହା କହି ହେବ ନାହିଁ।
ଏମିତି ଅନେକ ନଜିର ରହିଛି, ଯେଉଁ ରାଜ୍ୟରେ ବିଜେପି ଶାସନରେ ନାହିଁ ସେଠାରେ ଇଡି କେମିତି ନେତାଙ୍କ ଉପରେ ଚଢାଉ କରୁଛି ଏବଂ କାର୍ଯ୍ୟାନୁଷ୍ଠାନ ନେଉଛି। ଏପରିକି ନିଜର ଚରମ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ବିଜେପି ନିଜର ଯାଞ୍ଚ ଏଜେନ୍ସି ଜରିଆରେ ଚପାଇ ରଖିବାକୁ ଉଦ୍ୟମ କରୁଛି। କିନ୍ତୁ ଓଡ଼ିଶାରେ ଏସବୁରେ ବ୍ୟତିକ୍ରମ ଦେଖାଯାଏ। ଏଠି ମଧ୍ୟ ମାଳ ମାଳ ନେତା ଦୁର୍ନୀତି ଏବଂ ଅପରାଧିକ ମାମଲାରେ ବୁଡି ରହିଛନ୍ତି। କିନ୍ତୁ ନା ଓଡ଼ିଶାରେ ଇଡି ଚଢାଉ ହେଉଛି ନା ସିବିଆଇର ଛାଟ ଦେଖିବାକୁ ମିଳୁଛି। ଏହାର କାରଣ ବିଜେପି ଏବଂ ବିଜେଡି ମଧ୍ୟରେ ସଲାସୁତୁରା ରାଜନୀତି ଚାଲିଛି। ତେଣୁ ବିଜେଡି ଜାତୀୟ ରାଜନୀତିରେ ସର୍ବଦା ତୃତୀୟ ସାମ୍ମୁଖ୍ୟ ମେଣ୍ଟ ଗଠନରୁ ଦୂରେଇ ରହି ସମଦୂରତା ନୀତି ଅବଲମ୍ବନ କରି ଆସିଛି ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମମତାଙ୍କ ପରେ ନୀତିଶ କୁମାରଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ନୀତିଶ କୁମାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ମେଣ୍ଟରେ ସାମିଲ୍ ହେବାକୁ ନିଶ୍ଚୟ ମନାଇବେ। କିନ୍ତୁ ରାଜନୈତିକ ବିଶେଷଜ୍ଞଙ୍କ ମତରେ ବିଜେପିକୁ ଅସନ୍ତୁଷ୍ଟ କରି ବିରୋଧୀ ମେଣ୍ଟ ସହ ହାତ ମିଳାଇ ନିଜ ଗୋଡ଼ରେ କୋରାଢି ମାରିବେ ନାହିଁ। ଓଡ଼ିଶାରେ ବିଜେଡି ଏତେ ସମୟ ତିଷ୍ଠି ରହିବାର ଗୋଟିଏ ମାତ୍ର କାରଣ ସୁବିଧାବାଦୀ ରାଜନୀତି ଏବଂ କେନ୍ଦ୍ରରେ କ୍ଷମତାସୀନ ଦଳ ସହିତ ସଲାସୁତୁରା। ତେବେ ଦେଖିବା ବାକି ରହିଲା ବିଜେଡି ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରି ତୃତୀୟ ସାମ୍ମୁଖ୍ୟରେ ମିଶିବ ନା ସମଦୂରତା ନୀତି ଆପଣେଇବ ?