Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଚାର ସରିଲା, ହେଲେ ଝାରସୁଗୁଡ଼ା ଆସିଲେନି ଅପରାଜିତ ଏବଂ ସମ୍ବିତ, ରାଜ୍ୟ ବିଜେପିରେ ସବୁ ଠିକ୍ ତ ?

ଭୁବନେଶ୍ଵର: ବିନା ସେନାପତିରେ କୌଣସି ଯୁଦ୍ଧ ଲଢାଯାଏ ନାହିଁ। ଯଦିଓ ଲଢାଯାଏ ତାର ପରିଣାମ କଣ ହୋଇଥାଏ ପାଠକ ବେଶ ଭଲ ଭାବେ ଜାଣିଥିବେ। ଯଦି ସେନାପତି ଥିବେ କିନ୍ତୁ ସମସ୍ତଙ୍କୁ ଗୋଟିଏ ଛତ୍ରଛାୟା ତଳେ ନେଇଯିବାର ସାମର୍ଥ୍ୟ ଏବଂ ଦକ୍ଷତା ନଥିବ ତେବେ ସେ ରାଜ୍ୟ କେବେ ବି ସୁରକ୍ଷିତ ରହି ନପାରେ। ଏମିତି କିଛି ସ୍ଥିତି ରାଜ୍ୟ ବିଜେପିର। ଏଠାରେ ଦଳର ନେତୃତ୍ଵ କିଏ ନେଉଛି ଚିତ୍ର ଅସ୍ପଷ୍ଟ ରହିଛି। ଦଳର ସଭାପତି ପୂର୍ବରୁ ଯେଉଁମାନେ ଥିଲେ କିମ୍ବା ବର୍ତ୍ତମାନ ଯିଏ ଅଛନ୍ତି, ତାହା କେବଳ ନାମକୁ ମାତ୍ର କହିଲେ କିଛି ଅତ୍ୟୁକ୍ତି ହେବନି। କାରଣ ଏଠି କିଛି ମୁଷ୍ଟିମେୟ ନେତାଙ୍କ ଇସାରାରେ ସବୁ କିଛି ଚାଲେ। ରାଜ୍ୟ ବିଜେପିର ସଂପ୍ରତି ଗତିବିଧି ଦେଖିଲେ ଲାଗୁଛି ଏହା ଏକ ସେନାପତି ବିହୀନ ଦଳ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗରେ ରଖି ରାଜ୍ୟରେ ଦଳ ଉପନିର୍ବାଚନ ଲଢୁଥିଲେ ହେଁ ସମସ୍ତ ଦଳୀୟ ନେତାଙ୍କ ଦ୍ଵାରା ସେ ଗ୍ରହଣୀୟ ହୋଇ ପାରୁ ନାହାନ୍ତି। ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ ଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ନୂଆଦିଲ୍ଲୀର କେନ୍ଦ୍ରୀୟ ନେତୃବୃନ୍ଦ ଦୃଢ ଥିବାରୁ ନେତାଙ୍କ ଅସନ୍ତୋଷ ଖୋଲାଖୋଲି ସାମ୍ନାକୁ ଆସି ପାରୁନି। ଓଡ଼ିଶା ବିଜେପିରେ ଦଳୀୟ କନ୍ଦଳ ଥିବା ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡା ଉପନିର୍ବାଚନରେ।

ଝାରସୁଗୁଡା ଉପନିର୍ବାଚନ ପାଇଁ ଗତକାଲି ପ୍ରଚାର ଥମି ଯାଇଛି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡାଙ୍କ ସମେତ ଅନେକ ନେତା ପ୍ରଚାର କରିଥିଲେ। ହେଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଦେଖିବାକୁ ମିଳିଲା ନାହିଁ। ଉଭୟ ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଥିଲେ। ହେଲେ ନା ଷଡଙ୍ଗୀ ନା ସମ୍ବିତ କେହି ହେଲେ ଝାରସୁଗୁଡା ମାଟି ମାଡ଼ିଲେ ନାହିଁ। ଏହାକୁ ନେଇ ରାଜନୈତିକ ମହଲରେ ନାନାଦି ଚର୍ଚ୍ଚା। ଏହା ପୂର୍ବରୁ ଧାମନଗର ଏବଂ ପଦ୍ମପୁର ଉପନିର୍ବାଚନରେ ଅପରାଜିତା ଏବଂ ସମ୍ବିତଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା। ଧାମନଗରରେ ସୂର୍ଯ୍ୟବଂଶୀ ସୂରଜ ଏବଂ ପଦ୍ମପୁରରେ ବରିଷ୍ଠ ନେତା ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରି ଜନମତ ଲୋଡିଥିଲେ ଅପରାଜିତା। ତେବେ ଝାରସୁଗୁଡ଼ା ଉପନିର୍ବାଚନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅପରାଜିତାଙ୍କ ରାଜ୍ୟରେ ବେଶ ଭଲ ଜନାଧାର ରହିଛି। ସେ ଯେଉଁ ସ୍ଥାନକୁ ଯାଆନ୍ତି ସ୍ଵତଃପ୍ରବୃତ ଭାବେ ସାଧାରଣ ଜନତାଙ୍କ ଭିଡ଼ ଜମିଥାଏ। ସମ୍ବିତ ପାତ୍ର ମଧ୍ୟ ଜାତୀୟସ୍ତରଠୁ ନେଇ ରାଜ୍ୟସ୍ତରରେ ଜଣେ ଜଣାଶୁଣା ଚେହେରା। ଯଦିଓ ସେ ୨୦୧୯ ଲୋକସଭା ନିର୍ବାଚନରେ ପୁରୀ ଆସନରୁ ହାରିଥିଲେ, ତଥାପି ସେଠାରେ ବିଜେପିର ପ୍ରଦର୍ଶନ ବେଶ ଭଲ ରହିବା ସହ ଭୋଟ୍ ପ୍ରତିଶତ ବଢିଛି।

ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଜମାରୁ ପଡ଼େ ନାହିଁ ତାହା ସବୁଠି ଚର୍ଚ୍ଚା। ଦଳ ଭିତରେ ଧର୍ମେନ୍ଦ୍ରଙ୍କ ପତିଆରା ଅଧିକ ଥିଲେ ହେଁ ଅପରାଜିତ ନିଜସ୍ଵ ଶୈଳୀରେ କାମ କରିଥାନ୍ତି। ସେ ଦଳର ଚିରାଚରିତ ପ୍ରଥାଠୁ କିଛି ଭିନ୍ନ ଧାରାରେ ଜନତାଙ୍କ ସହ ମିଶନ୍ତି। ଦୁଇ ନେତା ପରସ୍ପର ବିରୋଧରେ କେବେ ଖୋଲାଖୋଲି ମନ୍ତବ୍ୟ ଦେଇନଥିଲେ ହେଁ ଉଭୟ ପରସ୍ପରକୁ ପସନ୍ଦ କରନ୍ତି ନାହିଁ ତାହା ସାଂପ୍ରତିକ ରାଜନୀତିରୁ ସ୍ପଷ୍ଟ ବାରି ହୋଇ ପଡୁଛି। କୁହାଯାଉଛି ଧର୍ମେନ୍ଦ୍ର ପ୍ରଧାନଙ୍କ କହିବାନୁସାରେ ହିଁ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡା ଉପନିର୍ବାନ ପାଇଁ ଦଳର ପ୍ରାର୍ଥୀ କରାଯାଇଥିଲା। ଟଙ୍କଧର କେନ୍ଦ୍ର ମନ୍ତ୍ରୀଙ୍କ ଖାସ୍ ବୋଲି ମଧ୍ୟ କୁହାଯାଏ। ତେଣୁ ଧର୍ମେନ୍ଦ୍ରଙ୍କ ଦ୍ଵାରା ପ୍ରାର୍ଥୀ ଚୟନକୁ ଅପରାଜିତ ସ୍ଵାଭାବିକ ଭାବେ ପସନ୍ଦ କରିନଥିଲ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ତେଣୁ ଅପରାଜିତ ଝାରସୁଗୁଡ଼ା ଉପନିର୍ବାଚନରେ ଟଙ୍କଧରଙ୍କ ପାଇଁ ପ୍ରଚାର କରିଥିନଥିବା ଚର୍ଚ୍ଚା ଚାଲିଛି। କିନ୍ତୁ ସମ୍ବିତ ପାତ୍ର କାହିଁକି ପ୍ରଚାର ମଇଦାନକୁ ଓହ୍ଲାଇଲେ ନାହିଁ ତାହା ସ୍ପଷ୍ଟ ଜଣା ପଡିନାହିଁ।

ଷ୍ଟାର ପ୍ରଚାରକ ତାଲିକାରେ ଥାଇ ସୁଦ୍ଧା ଯଦି ନେତାମାନେ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ନାହିଁ ତେବେ ବୁଝିବାକୁ ହେବ ଯେ, ବାହାରୁ ସବୁ କିଛି ଠିକ୍ ଜଣା ପଡୁଥିବା ରାଜ୍ୟ ବିଜେପିର ଭିତରେ କିଛି ଠିକ୍ ନାହିଁ। ରାଜ୍ୟ ବିଜେପିରେ ଏମିତି ଅନେକ ବରିଷ୍ଠ ନେତା ଅଛନ୍ତି ଯେଉଁମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ସେମାନେ ଦଳୀୟ କାର୍ଯ୍ୟକ୍ରମକୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ତେଣୁ ରାଜ୍ୟ ବିଜେପି ଯେତିକି ଦୃଢ ହେବା କଥା ହୋଇ ପାରୁନାହିଁ, ଆଉ ଏହାର ପରିଣାମ ବିଗତ ନିର୍ବାଚନଗୁଡିକରେ ଦେଖିବାକୁ ମିଳୁଛି। ଆଗାକୁ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଯଦି ରାଜ୍ୟ ବିଜେପିରେ ଏମିତି ସ୍ଥିତି ଲାଗିରହେ ତେବେ ଏହା କେବଳ ଦଳ ପାଇଁ ନୁହେଁ ବରଂ ରାଜ୍ୟର ଏକ ବିରୋଧୀ ଦଳ ଦୃଢ ନହେବାର ପରିଣାମ ଜନତାଙ୍କୁ ଆହୁରି ଭୋଗିବାକୁ ପଡିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ