ସମ୍ବଲପୁର:ବନ୍ଧ, ପୋଖରୀକୁ ନେଇ କାହାର ଚିନ୍ତା ନାହିଁ। ଫଳରେ ଇତିହାସ ପାଲଟିବାକୁ ବସିଲାଣି ସମ୍ବଲପୁର ଜିଲ୍ଲାର ଐତିହ୍ୟ ପୁଷ୍କରିଣୀ ସବୁ। ଫେଲ ମାରିଲା ମୁକ୍ତା ଯୋଜନା। ପ୍ରହସନ ପାଲଟିଗଲା ଆମ ପୋଖରୀ ଜଳାଶୟ ନବୀକରଣ । ଫଳକ ଦେଖାଇ ଉଠିଲା ସିନା ବିଲ, କିନ୍ତୁ ଫଳକ ସବୁ କରିଦେଲା ଖେଳ। ପୋଖରୀ ନବୀକରଣ ନାମରେ ସଚ୍ଚା ଯାଦୁଗର ମାନେ କରିଦେଲେ ଯାଦୁ। ଫଳରେ ଜଳାଶ୍ରୟ ଉପରେ ଆଶ୍ରିତଙ୍କ ପାଇଁ ଏହା ସାଜିଲା କାଳ।ଏବେ ଜିଲ୍ଲା ସାରା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ସହର ଠୁ ପୁର ପଲ୍ଲୀ ବାସୀ।
ଜିଲ୍ଲା ସାରା ବନ୍ଧ, ପୋଖରୀ ସବୁ ନେଉଛନ୍ତି ଶେଷ ନିଶ୍ୱାସ।ସତେ ଯେମିତି ସହର ଠାରୁ ଗାଁ ଯାଏ ଲୋପ ପାଇବାକୁ ବସିଛି ଏହି ସବୁ ଐତିହ୍ୟ ସମ୍ପର୍ଣ୍ଣ ଜଳାଶୟ। ପୁଣ୍ୟତା ପାଇଁ ଖୋଲା ଯାଇଥିବା ବନ୍ଧ, ପୋଖରୀ ସବୁ ହରାଇବାକୁ ବସିଛି ନିଜର ପୁଣ୍ୟତା।
ସାରା ଜିଲ୍ଲାରେ କାଁ ଭାଁ କେତେକ ଜଳାଶୟକୁ ବାଦ ଦେଲେ ଶହ ଶହ ବନ୍ଧ, ପୋଖରୀ ହରାଇବାକୁ ବସିଲାଣି ନିଜର ସତ୍ତା। ଆପଦ ବୋଲି ଜଳାଶୟ ଗୁଡିକ ଉପରେ ପାଖାପାଖି ୭୦% ଭାଗ ଲୋକେ ନିର୍ଭର କରୁଥିବା ବେଳେ କାଳକ୍ରମେ ଏହି ଜଳାଶୟ ଗୁଡିକ ବର୍ତ୍ତମାନ ବିପଦ ଆଡକୁ ମୁହାଁଇଲାଣି।ଯାହାକୁ ନେଇ ବଢୁଲାଣି ଚିନ୍ତା ।ଚିର ଅବହେଳିତ ଅବସ୍ଥାରେ ପଡି ରହିଛି ହଜାର ହଜାର ବନ୍ଧ, ପୋଖରୀ। ପରିତ୍ୟକ୍ତ ଭାବେ ଅନେକ ଜଳାଶୟ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବା ବେଳେ ଅନେକ ଜଳାଶୟ ଆବର୍ଜନା, ନର୍ଦମାରେ ପରିପୂର୍ଣ୍ଣ ହେଲାଣି। କେଉଁଠି ଦଳ ଭର୍ତ୍ତି ହୋଇ ରହିଛି ତ କେଉଁଠି ଅନାବନା ଘାସ ଓ ଅମରୀ ବାଡ଼ିରେ ଭର୍ତ୍ତି ହେଲାଣି। ପୁତ୍ତ ଗନ୍ଦମୟ ପରିବେଶରେ ଅନେକ ଜଳାଶୟ ପ୍ରଦୂଷଣରେ ପୋତି ହୋଇଗଲାଣି। ଏପରିକି ଜୁଯୋମୁରା ବ୍ଲକର ଡ଼ଙ୍ଗରପଡା ପଞ୍ଚାୟତର ହିରୋ, ବାହାମ ପଞ୍ଚାୟତର ମା ମାଉଲି ମା ବନ୍ଧ ଭଳି ଅନେକ ଅଳିଆ କୁଣ୍ଡରେ ପରିଣତ ହୋଇ ଗନ୍ଧମୟ ପରିବେଶରେ ସୃଷ୍ଟି କଲାଣି। ଟାମ୍ପରଗଡ଼ ପଞ୍ଚାୟତର ଖଜୁରପାଲି, ବାହାମ ପଞ୍ଚାୟତର ଖଲିଆପାଲି, ପଧାନପାଲି ଭଳି ବନ୍ଧର ପାଣି ରଙ୍ଗ ବଦଳି ଯାଇ ସବୁଜ ପାଣି ଲୋକଙ୍କ ଭରସା ହୋଇଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ରେଙ୍ଗାଲି ଭଳି ଶିଳ୍ପ ସମୃଦ୍ଧ ବ୍ଲକରେ ଜଳାଶୟ ଗୁଡିକ ଅବସ୍ଥା ଦେଖିଲେ ଆଖିରୁ ଲୁହ ଝରିବ। ୨୫ ବର୍ଷ ତଳୁ ରେଙ୍ଗାଲି ଶିଳ୍ପ ସଂସ୍କୃତିରେ ପରିଣତ ହୋଇଥିବା ବେଳେ ଐତିହ୍ୟ ସମ୍ପର୍ଣ୍ଣ ବନ୍ଧ, ପୋଖରୀ ଅତୀତ ନକ୍ସାରେ ସାଜିଛି ଉଲଗ୍ନ। ଲୋକଙ୍କ ଭାବାବେଗ ଓ ଆଧ୍ୟାତ୍ମିକ ଭାବ ରହିଥିବା ଶତାଧିକ ଜଳାଶୟ ନିଜର ସତ୍ତା ହରାଇବାକୁ ବସିଲାଣି। ଉଦାହରଣ ସ୍ୱରୂପ ହୀରାକୁଦ ଜଳ ଭଣ୍ଡାର ର ଶହେ ମିଟର ଦୂରରେ ଅବସ୍ଥିତ ସପନେ ବନ୍ଧ ଓ ୨ ଶହ ମିଟର ଦୁରବର୍ତ୍ତୀ ଯୁଗିପାଲି ବନ୍ଧ ନିଜର ଜଳଧାରଣ କ୍ଷମତା ହରାଇଲେଣି। ସଲାଟ ବନ୍ଧ ବୁରୋ ଝାଞ୍ଜିରେ ପରିଣତ ହୋଇଥିବା ବେଳେ କାସିପାଲି ବନ୍ଧ ଅଳିଆ ଆବର୍ଜନରେ ପରିପୂର୍ଣ୍ଣ। ଏହିଭଳି ସାରା ଜିଲ୍ଲାର ବନ୍ଧ, ପୋଖରୀ ଓ ଜଳାଶୟ ଗୁଡିକର ଅବସ୍ଥା ଏଭଳି ସ୍ଥିତିରେ ପହଞ୍ଚିଥିବା ବେଳେ ଏହାର ପୁନଃ ଋଦ୍ଦାର ପାଇଁ ସତେ ଯେମିତି ପଞ୍ଚାୟତ ଠାରୁ ବ୍ଲକ, ଜିଲ୍ଲା ପ୍ରଶାସନ ଏପରିକି ସରକାର ମଧ୍ୟ ନିରବଦ୍ରଷ୍ଟା ସାଜିବା ଘୋର ପରିତାପର ବିଷୟ ହୋଇଛି।
ସାଧାରଣତଃ ବନ୍ଧ, ପୋଖରୀ ଉପରେ ହିନ୍ଦୁ ସମାଜର ବିଶ୍ୱାସ ଅଲଗା ରହିଥାଏ। ପୁରୁଖା ଲୋକଙ୍କ ଆଧ୍ୟାତ୍ମିକ ଭାବ ବି ରହିଥାଏ ବନ୍ଧ,ପୋଖରୀ ଉପରେ। ବନ୍ଧ ବିହା କରାଯାଇ ପୋଖରୀ ଜଳ ଉପରେ ଆଧ୍ୟାତ୍ମିକ ବିଶ୍ୱାସ ଥିବାରୁ ପିତୃ ପୁରୁଷଙ୍କ ସ୍ମରଣ କରି ଏହି ସବୁ ବନ୍ଧ, ପୋଖରୀ ମାନଙ୍କରେ ତିଳ ତର୍ପଣ କରାଯିବାର ପରମ୍ପରା ଏଯାଏ ରହିଛି। ଏପରିକି ଯଜ୍ଞ ଭଳି ବିଭିନ୍ନ ଦେବ ଦେବୀ ପୂଜା ସମୟରେ ବନ୍ଧ, ପୋଖରୀ ଜଳ ବ୍ୟବହାର ଉପରେ ବିଶ୍ୱାସ ଓ ପରମ୍ପରା ରହିଛି। ଏଭଳି ବିଶ୍ୱାସ ଏବେ ବିଶ୍ୱାସରେ ରହିଯାଇ ସବୁ ଯେମିତି କାମ ଚଳାଇଦେବା ଭଳି ଏକ ରକମ ନିଜକୁ ବାଧ୍ୟ ବାଧ୍ୟ୍ୟକତା ଶିକାର ହେବାକୁ ପଡ଼ିଲାଣି।
ବାସ୍ତବରେ ଦେଖିବାକୁ ଗଲେ ସମଗ୍ର ଜିଲ୍ଲାର ଜଳାଶୟ ବିଷାକ୍ତ ହେଲାଣି। ଯାହା ସ୍ନାନ ପାଇଁ ମଧ୍ୟ ଅନୁପଯୁକ୍ତ। ତେଣିକି ପ୍ରାଣୀ ଧନକୁ ପଚାରେ କିଏ?
ପ୍ରାଣୀ ଓ ଯିବ ଜଗତ ଏବେ ପାଣି ପାଇଁ ହାହାକାର ହେଉଥିବା ବେଳେ ଜଳାଶୟ ଗୁଡିକର ପୁନଃ ଋଦ୍ଧାରପାଇଁ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।
ଗାଁ ଗାଁ ରେ ନଳ ସେ ଜଳ ଦୁସ୍ବପ୍ନ ହୋଇଥିବା ବେଳେ ବସୁଧା ଯୋଜନା ସାତ ସପନ ହୋଇଛି। ମୁକ୍ତା ଯୋଜନା ଶାମୁକା ଭିତରେ ଲୁଚି ରହିଥିବା ବେଳେ ଆମ ପୋଖରୀ ଜଳାଶୟ ନବୀକରଣ ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ କେବଳ ସାଇନ ବୋର୍ଡ ହୋଇ ରହିଯାଇଛି।
ସ୍ୱଚ୍ଛ ପାନୀୟ ଜଳ ଏବେ ସମଗ୍ର ଜନତା ପାଇଁ ସାତ ସପନ ହୋଇଥିବା ବେଳେ ଜଳାଶୟ ଗୁଡିକର ପୁନଃ ଋଦ୍ଧାର ସହିତ ଜଳ ସଂରକ୍ଷଣ ଏକ ବଡ଼ ଆହ୍ୱାନ ହୋଇ ସମାଜ ଦର୍ପଣ ଆଗରେ ଛିଡା ହୋଇଛି।
୨୦୨୨ ଓ ୨୦୨୩ ପରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନେସନାଲ କଣ୍ଟ୍ରୋଲ ମନିଟାରିଙ୍ଗ ପୋଗ୍ରାମ ଦ୍ୱାରା ଜଳାଶୟ ଗୁଡିକର ଗୁଣାତ୍ମକ ମାନ ନିର୍ଦ୍ଧାରଣ କରି ଜଳାଶୟ ଗୁଡିକର ସଂରକ୍ଷଣ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଏହେଉଛି ପ୍ରକୃଷ୍ଟ ସମୟ। ନେଡି ଗୁଡ଼ କହୁଣୀକୁ ବହିଯିବା ଆଗରୁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ସହିତ ମୃତ୍ତିକା ସଂରକ୍ଷଣ, ଜଳ ସେଚନ ପ୍ରମୁଖ ଉତ୍ତର ଦାୟିତ୍ୱ ସମ୍ପର୍ଣ୍ଣ ବିଭାଗ ଗୁଡିକ ଜଳାଶୟ ଗୁଡିକର ପୁନଃ ଋଦ୍ଧାର ଓ ଏହାର ବ୍ୟବହାର ଦିଗରେ ଯତ୍ନଶୀଳ ହୋଇ ନିଜର ଦକ୍ଷତା ପ୍ରତିବାଦନ କରିବା ନେଇ ସବୁ ମହଲରେ ଚିନ୍ତା କରାଯାଉଛି।
ବନ୍ଧ , ପୋଖରୀକୁ ନେଇ କାହାର ଚିନ୍ତା ନାହିଁ:ଇତିହାସ ପାଲଟିଯିବ ଐତିହ୍ୟ ପୁଷ୍କରିଣୀ
