ଭାଗ ଚାଷୀଙ୍କ ଭାଗ୍ୟ ଖୋଲିବ କେବେ ?


ସମ୍ବଲପୁର:ରାଜ୍ୟର ଅଧିକାଂଶ ଚାଷୀ ଭାଗ ଚାଷୀ ଅଛନ୍ତି l ମାଲିକାନା ଥିବା ଚାଷୀ ପ୍ରାୟତଃ କମ ଚାଷ କରୁଥିବା ବେଳେ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଚାଷୀ ଜମି ଭାଗ ସୂତ୍ରରେ ଚାଷ କରୁଛନ୍ତି l ଅତଏବ ରାଜ୍ୟରେ ପ୍ରାୟ ୭୦ ପ୍ରତିଶତ ଭାଗ ଚାଷୀ ଅଛନ୍ତି ବୋଲି କହିଛନ୍ତି ସମ୍ବଲପୁର ର ଚାଷୀ ନେତା ତଥା ପଶ୍ଚିମ ଓଡିଶା କୃଷକ ସଂଗଠନ ସମ୍ୱନ୍ମୟ ସମିତି ର ଆବାହକ ଅଶୋକ ପ୍ରଧାନ l ସେ କହିଛନ୍ତି ଯେ ରାଜ୍ୟରେ ଭାଗ ଚାଷୀ ଙ୍କ ସମସ୍ୟା ଏକ ବହୁତ ବଡ଼ ସମସ୍ୟା l ଚାଷ ଜମିରେ ସବୁ ଖର୍ଚ୍ଚ କରି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ଭାଗ ଚାଷୀ କୁ କିଛି ସରକାରୀ ସହାୟତା ମିଳେ ନାହିଁ l ତେଣୁ ଭାଗ ଚାଷୀ ଙ୍କ ପାଇଁ କୌଣସି ଆଇନ ନଥିବା ରୁ ଏହା ଚାଷୀ ଆତ୍ମହତ୍ୟା ର ଏକ ପ୍ରମୁଖ କାରଣ ସାଜିଛି l ଏଥିପାଇଁ ପୂର୍ବ ବିଜେଡି ସରକାର କମିଟି ଗଠନ କରି ସର୍ଭେ କରି ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିଲେ, ତେବେ ବର୍ତ୍ତମାନ ବିଜେପି ସରକାର ଭାଗ ଚାଷୀ ଆଇନ ଆଣିବେ ବୋଲି କହିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବାରୁ ଏହାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହା ଉପରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି l
ପୂର୍ବରୁ ବିଧାନସଭା ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଙ୍କ ପ୍ରଶ୍ନ ର ଉତ୍ତର ରେ ମତ ରଖି କହିଥିଲେ ଯେ ରାଜ୍ୟରେ ଭାଗ ଚାଷୀ ଙ୍କ ସଂଖ୍ୟା ୨୦୧୫-୧୬ କୃଷି ଗଣନା ଅନୁଯାଇ ପ୍ରାୟ ୨ ଲକ୍ଷ ୮୩ ହଜାର ୭୧ ଜଣ ବୋଲି l ତେବେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଙ୍କ ଆଉ ଏକ ପ୍ରଶ୍ନ ର ଉତ୍ତର ରେ ସେ ଭାଗ ଚାଷୀ ଙ୍କ ସଂଖ୍ୟା ୨୦୧୫-୧୬ କୃଷି ଗଣନା ଅନୁଯାଇ ୯ ଲକ୍ଷ ୫ ହଜାର ୧୮୪ ବୋଲି କହିଥିଲେ l ଏହା ସହ କୃଷକମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ପ୍ରୋତ୍ସାହିତ କରିବା ସହ ସଶକ୍ତିକରଣ କରିବା ପାଇଁ ରାଜ୍ୟ ସରକାର ମୋଟ୍ ୩୯ଟି ଯୋଜନା ପ୍ରଣୟନ କରୁଛନ୍ତି ଏବଂ ଏଥିରେ ଭାଗଚାଷୀମାନଙ୍କୁ କୃଷି ଋଣ,ବିଭିନ୍ନ ପ୍ରକାର ବିହନ,ସାର,ଯନ୍ତ୍ରପାତି ଇତ୍ୟାଦି ସବ୍ ସିଡି ଦରରେ ଯୋଗାଇ ଦିଆଯାଉଅଛି।
ଭାଗଚାଷୀଙ୍କର ଚାଷ କାର୍ଯ୍ୟ ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଇ ଦେବା ନିମନ୍ତେ “ବଳରାମ ଯୋଜନା’” ମାଧ୍ଯମରେ କୃଷି ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଅଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ l ସେପଟେ ଭାଗ ଚାଷୀ ଙ୍କ ପାଇଁ ନୁଆଁ ଆଇନ ଆଣିବେ ବୋଲି ରାଜସ୍ବ ମନ୍ତ୍ରୀ ପୂର୍ବରୁ କହିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନି l
ଏଭଳି ସ୍ଥିତି ରେ ରାଜ୍ୟ ରେ ଭାଗ ଚାଷୀ ଙ୍କ ସମସ୍ୟା ସବୁବେଳେ ରହି ଆସୁଥିବା କହିଛନ୍ତି ଚାଷୀ ନେତା ଅଶୋକ ପ୍ରଧାନ l ଶ୍ରୀଯୁକ୍ତ ପ୍ରଧାନ ଏହି ପ୍ରସଙ୍ଗ ରେ ନିଜ ର ମତ ରଖି ଆହୁରି କହିଛନ୍ତି ଯେ ସ୍ୱାଧୀନତା କୁ ୭୫ ବର୍ଷ ହୋଇଗଲା ଏତେ ସରକାର ଆସିଲା ଆଉ ଗଲା କିନ୍ତୁ ଏହି ସମସ୍ୟା ଉପରେ କେହିବି ଗମ୍ଭୀର ନୁହନ୍ତି l ସେମାନଙ୍କ ରାଜନୈତିକ ଇଚ୍ଛା ଶକ୍ତି ହିଁ ନାହିଁ ଆଉ ଆମେ ଖାଲି କୁମ୍ଭୀର କାନ୍ଦଣା କାନ୍ଦିଲେ କଣ ହେବ l ବିଗତ ସରକାର ସମୟ ରେ ୨୦୧୧-୧୨ ମସିହା ରେ ଏକ ପ୍ରୟାସ ଆରମ୍ଭ ହୋଇଥିଲା l ସେ ସମୟରେ ଗାଁ ଗାଁ ରେ ବୈଠକ ହୋଇଥିଲା ଓ ଚାଷୀ ମାନଙ୍କ ଠାରୁ ଫିଡ଼ ବ୍ୟାକ ନିଆ ଯାଇଥିଲା l ଆମେ ବହୁତ ସ୍ଥାନରେ ମିଟିଙ୍ଗ ମଧ୍ୟ କରିଥିଲୁ କିନ୍ତୁ ଫଳାଫଳ ଶୂନ l ନୁଆଁ ସରକାରଙ୍କୁ ୯ ମାସ ହୋଇଗଲାଣି, ଯଦି ସରକାର କିଛି ଗୋଟିଏ କରିବାକୁ ଚାହୁଁଛନ୍ତି ତାହାଲେ ଏହା ଏକ ସ୍ପର୍ଶ କାତର କଥା କହିଦେଲେ ହେବନି ସେମାନଙ୍କୁ କିଛି ଗୋଟିଏ କରିବାକୁ ପଡିବ କାରଣ ଏହା ଚାଷୀର ସମ୍ମାନ ର କଥା ନୁହେଁ ଜୀବନ ଜୀବିକା ର କଥା ଅଟେ l ଏବେ ଏମିତି ବ୍ୟବସ୍ଥା ରହିଛି ଯେ ଜମି ମାଲିକ ବାହାରେ ରହୁଛନ୍ତି, ଜମି ଚାଷ କରୁଛି ଏକ ଭାଗ ଚାଷୀ କିନ୍ତୁ ସରକାରୀ ଅନୁଦାନ କି ସହାୟତା ଯାହା ଆସେ ତାହା ଜମି ମାଲିକ ଆକାଉଣ୍ଟ କୁ ଯାଉଛି l ଫଳରେ ଭାଗ ଚାଷୀ ଜମି ମାଲିକ ର ଦୟା ଉପରେ ନିର୍ଭରଶୀଳ l ଜମି ମାଲିକ ଦେଇ ପାରେ ନଦେଇ ପାରେ l କିନ୍ତୁ ପଇସା ଲଗାଉଛି ଭାଗ ଚାଷୀ l ଦ୍ଵିତୀୟ ରେ କୌଣସି ଦୈବୀ ଦୁର୍ବିପାକ ଯଥା ମରୁଡି ହୁଏ ସେତେବେଳେ ଚାଷୀ ଅସହାୟ ହୋଇ ଯାଏ, ସେତେବେଳେ ଯେଉଁ ସରକାରୀ ସହାୟତା ଆସେ ତାହା ଜମି ମାଲିକ ପାଖକୁ ଯାଏ l ଆଉ ଆଜି ଚାଷୀ ଆତ୍ମହତ୍ୟା ଯାହା ହେଉଛି ତାର ବିଭିନ୍ନ କାରଣ ଭିତରୁ ଏହାବି ଏକ ପ୍ରମୁଖ କାରଣ ଅଟେ l ତେଣୁ ୨୫ ବର୍ଷ ହେଲା ଆମେ ଭାଗ ଚାଷୀର ଅଧିକାର ପାଇଁ ଦାବୀ କରି ଆସୁଛୁ କାରଣ ମୋ ହିସାବରେ ୭୦ ରୁ ୭୫% ଚାଷୀ ଭାଗ ଚାଷୀ ଅଟନ୍ତି l
ଅନ୍ୟପଟେ ଏହି ପ୍ରସଙ୍ଗ ରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଭାଗ ଚାଷୀ ଙ୍କ ସମସ୍ୟା ବହୁତ ପୁରୁଣା ସମସ୍ୟା l ଆମ ଦେଶ ଓ ରାଜ୍ୟରେ ବହୁତ ପରିମାଣ ର ଭାଗ ଚାଷୀ ଅଛନ୍ତି ଯେଉଁମାନେ ଅନ୍ୟ ଜମି ମାଲିକ ଙ୍କ ଜମି ନେଇକି ଚାଷ କରୁଛନ୍ତି ତେବେ ଅନେକ ସମୟରେ ଯେତେବେଳେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହୁଏ ଆଉ ଚାଷୀ ଙ୍କୁ କ୍ଷତିପୂରଣ ମିଳେ ସେତେବେଳେ ଅନେକ କ୍ଷେତ୍ର ରେ ଭାଗ ଚାଷୀମାନେ ସେଥିରୁ ବଞ୍ଚିତ ହେଉଛନ୍ତି l ଜମିରେ ସବୁ ଖର୍ଚ୍ଚ କରିବା ସହ ପରିଶ୍ରମ ସବୁ ଭାଗ ଚାଷୀ କରୁଛନ୍ତି ତେବେ କ୍ଷତିପୂରଣ ଜମି ମାଲିକ କୁ ମିଳୁଛି l ଏଥିପାଇଁ ଅନେକ ଅନୁସଙ୍ଗିକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଭାଗ ଚାଷୀ l ସେଥିପାଇଁ ଯେତେବେଳେ ବିଜେଡି ସରକାର ଥିଲା ଏ ସମ୍ପର୍କିତ ଏକ ଆଇନ ପ୍ରଣୟନ କରିବା ପାଇଁ ଏକ କମିଟି ଗଠନ କରି ଅନୁଧ୍ୟାନ କରିଥିଲା l ବର୍ତ୍ତମାନ ର ସରକାର ମଧ୍ୟ ପ୍ରତିଶୃତି ଦେଇଥିଲେ ଏ ସମ୍ପର୍କିତ ଆଇନ ପ୍ରଣୟନ କରିବା ପାଇଁ ତେବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାର ମୋର ଦୃଷ୍ଟିଗୋଚର ହୋଇ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ lତେବେ ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଭଗଚାଷୀ ଆଇନ ବାବଦରେ ଆମେ ଗୋଟିଏ ରାଉଣ୍ଡ କଥାବାର୍ତ୍ତା ହୋଇ ସାରିଛୁ, ଡାଟାବେସ ମଧ୍ୟ ପ୍ରସ୍ତୁତ କରିବାକୁ ପ୍ରଶାସନ କୁ ନିର୍ଦ୍ଦେଶ ଦେଇ ସାରିଛୁ l ଏଥିପାଇଁ ଓଡିଶା ଲେଣ୍ଡ ରିଫର୍ମ ଆକ୍ଟ କୁ ସଂଶୋଧନ କରିବାକୁ ପଡିବ l ତେବେ ଭାଗଚାଷୀ ଆଇନ ପ୍ରଣୟନ କରିବାକୁ ଆମେ ଯେଉଁ ନିୟମାବଳୀ ପ୍ରସ୍ତୁତ କରିବୁ ସେହି ନିୟମାବଳୀ ର ପ୍ରଥମ ସର୍ତ୍ତ ରହିବ ଯେ ଜମି ମାଲିକ ର ସତ୍ତ୍ୱ ଓ ଅଧିକାର ଆଦୌ ହନନ ହେବ ନାହିଁ।