ସମ୍ବଲପୁର:ପ୍ରକୃତି ମନୋରମ ଗୁଦଗୁଦା ଜଳ ପ୍ରପାତ ର ଶୋଭା ରାଜି ଆଜି ଦିନରେ ଆହୁରି ରଙ୍ଗାୟିତ।ଖୁବ ମନଲୋଭା ଦେଖାଯାଉଛି ଏହି ପ୍ରକୃତିର ପରିବେଶ। ଚାରିଆଡେ ନେସି ହୋଇଛି ମାଳ ମାଳ ଲିଚୁ ଫଳ। ଯାହାରି ଫଳରେ ଜାତୀୟ ଫଳ ବ୍ୟବସାୟୀଙ୍କ ନଜର ଏବେ କୁଚିଣ୍ଡା ଉପରେ। ଆଉ କୁଚିଣ୍ଡା ର ଲିଚୁ ପସରା ଏବେ କଲିକତାରୁ ଲମ୍ବିଛି ମୁମ୍ବାଇ ବଜାରରେ।
କୁଚିଣ୍ଡା ସବଡ଼ିଭିଜନ ଅନ୍ତର୍ଗତ କୁସୁମୀ ନିକଟସ୍ତ ଗୁଦଗୁଦା ଜଳପ୍ରପାତ ଏଥିପାଇଁ ଆକୃଷ୍ଟ କରିଛି ପର୍ଯଟକ ଙ୍କ ଠାରୁ ବ୍ୟସାୟିଙ୍କୁ। କୁଚିଣ୍ଡାର ଲଙ୍କା ଚାଷ ପରି ଲିଚୁ ର ଚାହିଦା ବଢିଛି ଜାତୀୟ ବଜାରରେ।ଜଳ ପ୍ରପାତ ର ଝରଣା ଜଳ ତଳ ମୁଣ୍ଡ କୁ ପ୍ରବାହିତ ହୋଇ ଯାଉଥିବା ବେଳେ ଅନୀତି ଦୂରରେ ସରକାର ଜଳ ସେଚନ ବ୍ୟବସ୍ଥା ପାଇଁ ଛୋଟିଆ ବନ୍ଦ ଟିଏ ନିର୍ମାଣ କରି ତାରି ପାଣିରେ ତଳ ମୁଣ୍ଡ ରେ ଶହ ଶହ ଏକର ଚାଷୀ ଜମିରେ ସୁନାର ଫସଲ ପାଇଁ ପ୍ରୟାସ କରିଛନ୍ତି। ଚାଷୀ ନିଜ ଜମିରେ ଲଙ୍କା, ଧାନ, ବିରି, କୋଲଥ,ମାଣ୍ଡିଆ,ଚିନା ବାଦମ,ସୋରିଷ ସହିତ ବିଭିନ୍ନ ପନିପରିବା ଚାଷ କରି ବେଶ ଦୁଇ ପଇସା ଉପାର୍ଜିତ କରି ନିଜର ପରିବାର ପ୍ରତିପୋଷଣ କରିଥାଏ। ଏଠାକାର ଜଳବାୟୁକୁ ନେଇ ରାଜା ରାଜୁଡା ସମୟରୁ ଉନ୍ନତ ଧରଣ ର ଆମ୍ବ, ପଣସ, ଲିଚୁ ,କମଳା ଚାଷ ହୋଇଆସୁଛି। ସେହି ସମୟରୁ ଏହି ଅମଳ କ୍ଷମ ଫଳ ସବୁ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ ଠାରୁ ବିଭିନ୍ନ ସ୍ଥାନକୁ ରପ୍ତାନୀ ହେଉଥିଲା।ରାଜା ଙ୍କର ରାଜୁତି ପରଠୁ ଅଞ୍ଚଳ ର ଚାଷୀ ମାନେ ନିଜ ଚାଷ ଜମିରେ ଏ ସବୁ ଫଳ ଗଛ ଗୁଡିକ ଲଗାଇ ଆଶା ଠାରୁ ଅଧିକ ଲାଭ ପାଇବା ସହ ଦେଶ ,ବିଦେଶ କୁ ଏଠାରୁ ଆମ୍ବ,ଲିଚୁ,ଲଙ୍କା ରପ୍ତାନି ହୋଇ ଆନ୍ତଃରାଜ୍ୟ ବଜାର ରେ କୁଚିଣ୍ଡା ର ଲିଚୁ ,ଆମ୍ବ ଓ ଲଙ୍କା ବେଶ ନା କରିଥିଲା। ଏବେବି ଏହା ବଜାୟ ରହିଛି।
ପ୍ରଥମେ ବଡ଼ବାହାଲ , ରାନେକେଲା, ଲୁନ୍ଦୁରୁଡ଼ିହି ,ସାଲେଭାଡ଼ି ଆଦି ଅଞ୍ଚଳରେ ଆମ୍ବ ,ଲିଚୁ ଚାଷ ହେଉଥିବା ବେଳେ ଏବେ କୁନ୍ତୁରା,ବୁମଲେଇକେଲା,କୁସୁମୀ ,କେନ୍ଦଖୁଣ୍ଡି ,ଗୋଛରା ସହ ଏନଏସି ର ନର୍ସରୀ ରେ ଚାଷ ହେବା ସହ ଅଞ୍ଚଳର ବହୁ ଘର ବାଡ଼ି ରେ ଉନ୍ନତ ମାନର ଆମ୍ବ,ପଣସ,ଲିଚୁ ଆଦି ଚାଷ କରି ବିକ୍ରି ଚାଲିଛି । କୁଚିଣ୍ଡା ବଜାର ରେ ଗତ ବୁଧବାର ପ୍ରଥମ କରି କିଛି ଲିଚୁ ପସରା ଦେଖିବାକୁ ମିଳିଥିଲା। ୫୦ଟି ଲିଚୁ ଥିବା ଏକ ପେନ୍ଥା କୁ ୧୫୦ ଟଙ୍କା ଦରରେ ବିକ୍ରି ଚାଲିଛି । ଏବର୍ଷ ଲିଚୁ ଗଛରେ ସେତେ ଟା ଫଳ ଆସିନଥିବା ରୁ ଅଧିକ ରେଟ ରେ ବିକ୍ରି ହେବାର ସମ୍ଭାବନା ଜଣାପଡୁଛି ।ଆଗକୁ ସାବିତ୍ରୀ ଅମାବାସ୍ୟା ଥିବାରୁ ଲିଚୁ ସହିତ ଆମ୍ବ, ପଣସ ର ଚାହିଦା ମଧ୍ୟ୍ୟ ରହିଛି। ଆମ୍ବ ମଧ୍ୟ ସେତେ ଫଳ ଆସି ନାହିଁ।ତେଣୁ ଆଗକୁ ଏସବୁର ମୂଲ୍ୟ ବଢିବା ନେଇ ଆଶଙ୍କା ରହିଛି।ଏଠାକାର ସୁମଧୁର ରସାଳ ଆମ୍ବ ବହୁ ଦୂର କୁ ମିଶନ ଶକ୍ତି ମା ମାନେ ଜୀବିକା ମିଶନ ମାଧ୍ୟମରେ ରପ୍ତାନି କରିଥାନ୍ତି।ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଏଥିରୁ ବେଶ ଭଲ ପଇସା ରୋଜଗାର ମଧ୍ୟ କରିଥାନ୍ତି।
ଅପରପକ୍ଷରେ ସରକାରୀ ଚାପରେ କେବଳ ଉଦ୍ୟାନ ବିଭାଗ ନିଜର କାର୍ଯ୍ୟ ସାରିଦେଉଥିବାରୁ କୁଚିଣ୍ଡା ଫଳ ଚାଷ ସୁଦୂର ପ୍ରସାରୀ ହୋଇପାରୁନି। ଫଳ ଉଦ୍ୟାନ ପାଇଁ ବହୁ ଉଦ୍ୟୋଗୀ ଏହାକୁ ନିଜର ମୁଖ୍ୟ ପେସା ଭାବେ ଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଥିଲେ ମଧ୍ୟ୍ୟ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ସେତେଟା ଉପଯୋଗୀ ହୋଇପାରୁନି। ଉଦ୍ୟାନ ବିଭାଗ ନିଜର ଦକ୍ଷତା ପ୍ରତିବାଦନ କରି ଯଦି ଲଙ୍କା ପରି ଲିଚୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଫଳ ଉଦ୍ୟୋଗୀଙ୍କ ପ୍ରତି ବିଶେଷ ଯୋଜନା ସହିତ ସାମିଲ କରି କାର୍ଯ୍ୟ କରନ୍ତା ତେବେ କୁଚିଣ୍ଡା ଏହି ଫଳ ଚାଷ ଜାତୀୟ କାହିଁକି ଆନ୍ତର୍ଜାତୀୟ କୃଷି ବଜାର ଉପରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିପାରନ୍ତା।
ଚାଷୀଙ୍କ ଉତ୍ପାଦନ ପରେ ଏହାକୁ ସୁରକ୍ଷିତ ଭାବେ ସଂରକ୍ଷଣ କରି ରଖିବାକୁ ଶୀତଳ ଭଣ୍ଡାର ର ଅଭାବ ଯୋଗୁଁ ଚାଷୀ ନିଜର ଉତ୍ପାଦିତ ଫସଲକୁ କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛି। କୁଚିଣ୍ଡାର କୁସୁମୀ, କୁଚିଣ୍ଡା, ଭୋଜପୁର, ଜମନକିରା, ପରୁଆଭାଡି,ବାମରା, ଫାଶୀମାଲ ପ୍ରଭୃତି ସ୍ଥାନରେ ଶୀତଳ ଭଣ୍ଡାର ସ୍ଥାପନା ପାଇଁ ଚାଷୀ ମହଲରେ ଦାବି କରାଯାଉଛି। ଚାଷୀଙ୍କ ଦାବି ମୁତାବକ ଚାହିଦା କୁ ଅନୁଧ୍ୟାନ କରି ଯଦି ଏହି ସ୍ଥାନ ମାନଙ୍କରେ ଯଦି ଶୀତଳ ଭଣ୍ଡାର ଗୁଡିକ ହୁଅନ୍ତା ତେବେ ଚାଷୀ ସେମାନଙ୍କ ଅଣ୍ଟା ସଳଖ କରି ଲାଭବାନ ହୋଇପାରିବେ ବୋଲି ମତ ପୋଷଣ କରୁଛନ୍ତି।କିନ୍ତୁ ଏହାରି ଅଭାବରେ ଅମଳକ୍ଷମ ଫଳ ଆଗକୁ ନଷ୍ଟ ହୋଇଯିବାର ଭୟ ଥିବାରୁ ଓ ଦୈବୀ ଦୁର୍ବିପାକ କୁ ଭୟ କରି ଚାଷୀ ତାର ଫଳକୁ ବାହାର ବ୍ୟବସାୟୀଙ୍କ ହାରେ ଟେକି ଦେବାକୁ ବାଧ୍ୟ ହୋଇଥାଏ।
ଏଭଳି ପରିସ୍ଥିତିରେ ସରକାରଙ୍କ ଆନ୍ତରିକତା ଓ କାର୍ଯ୍ୟକାରିତା ଉପରେ କୁଚିଣ୍ଡାର ପରିବା ଓ ଫଳ ଚାଷ ର ଭବିଷ୍ୟତ ନିର୍ଭର କରୁଛି। ଚାଷ ଓ ଚାଷୀ ଙ୍କ ମଙ୍ଗଳ ସହିତ କୁଚିଣ୍ଡା ର ଖ୍ୟାତି ବଜାୟ ରଖିବାକୁ ସରକାର ଆଗେଇ ଆସିବେ ବୋଲି କୁଚିଣ୍ଡା ବାସୀ ଆଶା ରଖିଛନ୍ତି। ଏପରିକି ଅଞ୍ଚଳର ଜଣେ ଚାଷୀ ପୁଅ ରବିନାରାୟଣ ନାଏକ ରାଜ୍ୟ ସରକାରଙ୍କ ଭଲ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଓ କୁଚିଣ୍ଡାକୁ ବହୁତ ଭଲ ପାଉଥିବା ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଥିବାରୁ ଜାତୀୟ କୃଷି ବଜାରରେ କୁଚିଣ୍ଡା ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ ବୋଲି ଯେ କେହିନା ଆଶା କରୁଛନ୍ତି।
ଲଙ୍କା ପରେ,କଲିକତା ରୁ ମୁମ୍ବାଇ ଯାଏ କୁଚିଣ୍ଡା ଲିଚୁର ପସରା
