କମୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର:ଉପର ମୁଣ୍ଡରେ ଛଡିଶଗଡର ବ୍ୟାରେଜ, ନଦୀବନ୍ଧ ରେ ପଟୁ ମାଟି ଚିନ୍ତା


ସମ୍ବଲପୁର:ହୀରାକୁଦ ନଦୀ ବନ୍ଧ କୁ ଘାରିଛି ଜଳ ଚିନ୍ତା। ଉପର ମୁଣ୍ଡରେ ଛତିଶଗଡ ର ବ୍ୟାରେଜ ନିର୍ମାଣ ସାଙ୍ଗକୁ ହୀରାକୁଦ ନଦୀବନ୍ଧରେ ଦିନକୁଦିନ ପଟୁ ମାଟିରେ ପୋତି ହେବାକୁ ବସିଥିବା ଯୋଗୁଁ ନଦୀବନ୍ଧରେ ଅସଲ ଜଳ ସ୍ତର ସ୍ପଷ୍ଟ ହେଉନାହିଁ। ନଦୀବନ୍ଧରେ ପ୍ରାୟ ୭ ଫୁଟ ପଟୁ ମାଟି ପୋତି ହେଉଥିବା ଅନୁମାନ କରାଯାଉଥିବା ବେଳେ ଏହା ସରକାରୀ ସ୍ତରରେ କିଛି ସ୍ପଷ୍ଟ ହେଉନାହିଁ। ତେଣୁ ହୀରାକୁଦ ନଦୀବନ୍ଧକୁ ବର୍ତ୍ତମାନ ଉପର ମୁଣ୍ଡରୁ ଜଳ ଧାରଣ ଓ ନଦୀବନ୍ଧରେ ପଟୁ ମାଟି ଚିନ୍ତା ଘାରିଛି।
ହୀରାକୁଦ ଡ୍ୟାମର ଜଳସ୍ତର ସାଙ୍ଘାତିକ ଭାବେ କମିବାରେ ଲାଗିଛି । ବିଗତ ବର୍ଷର ରେକର୍ଡ ଭାଙ୍ଗି ଜଳସ୍ତର ୩.୧୭ଫୁଟ ଖସିଛି । କ୍ରମାଗତ ଭାବେ ଜଳସ୍ତର ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ହୀରାକୁଦ ଡ୍ୟାମର ଜଳସ୍ତର ୬୦୮.୦୪ଫୁଟ ରହିଛି । ଗତବର୍ଷ ଆଜିର ଦିନରେ ଜଳସ୍ଥର ୬୧୧, ୨୧ଫୁଟ ରହିଥିଲା । ଏହାକୁ ନେଇ ମହାନଦୀ ଉପରେ ନିର୍ଭର କରୁଥିବା ଲୋକେ ଚିନ୍ତାରେ ପଡି ଯାଇଛନ୍ତି । ଛତିଶଗଡ ଉପରମୁଣ୍ଡରେ ଡ୍ୟାମ ଓ ଆନିକଟ ନିର୍ମାଣ କରି ପାଣିକୁ ଅଟକାଇ ରଖିଛି। ଏହାଦ୍ବାରା ଜଳସ୍ତର ଚିନ୍ତାଜନକ ଭାବେ ହ୍ରାସ ପାଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ହଜାର ୨୪୭ଘନଫୁଟ ଜଳ ପ୍ରବେଶ କରୁଛି। ଲକ୍ଷାଧିକ ବଦଳରେ ମାତ୍ର ଅଳ୍ପ ପରିମାଣର ଜଳ ପ୍ରବେଶ କରୁଥିବାରୁ ୭ହଜାର୬୨୮ଘନଫୁଟ ଜଳ ନିଷ୍କାସିତ କରାଯାଉଛି । ସେଥିମଧ୍ୟରୁ ୪ହଜାର ୨୯୪ଘନ ଫୁଟ ପାଞ୍ବାର ଚେନାଲ, ୧ହଜାର ୯୯୭ଘନଫୁଟ ଜଳସେଚନ, ୨୬୩ଘନଫୁଟ ଶିଳ୍ପ, ୯୩୫ଘନଫୁଟ ଜଳ ବାଷ୍ପୀଭୂତ ହେଉଛି । ଅଣମୌସୁମୀ ସମୟରେ ହୀରାକୁଦକୁ ଅଳ୍ପ ପରିମାଣ ଜଳ ପ୍ରବେଶ କରୁଥିବା ବେଳେ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ହାର ମଧ୍ୟ କମୁଛି । ଏହାଦ୍ବାରା ମହାନଦୀର ତଳମୁଣ୍ଡରେ ରହୁଥିବା ଲୋକେ ପାଣି ଟୋପେ ପାଇଁ ବେଶ ହନ୍ତସନ୍ତ ହେଉଛନ୍ତି । ମହାନଦୀ ଓଡିଶାର ଜୀବନ ରେଖା । ମହାନଦୀ ପାଣିକୁ ଅଟକାଇ ହୀରାକୁଦ ନଦୀବନ୍ଧ ସ୍ଥାପନ କରା ଯାଇଛି । ଡ୍ୟାମରେ ଜଳସ୍ତର କମୁଥିବା ବେଳେ ମହାନଦୀ ଉପରେ ତାହାର ବେଶ ପ୍ରଭାବ ପଡ଼ୁଛି । ଅନେକ ସ୍ଥାନରେ ମହାନଦୀର ଶର୍ଯ୍ୟା ଶୁଖିଲା ପଡି ରହିଛି । ଯେଉଁଠି ଦିନେ ପାଣି ଜମି ରହୁଥିଲା ତାହା ପୁଣି ପାଣି ବିନା ଟାଙ୍ଗରା ଭୂଇଁ ଦେଖାଗଲାଣି । ଏହାର ପ୍ରଭାବ ଜଳସେଚନ, ପାନୀୟ ଜଳ, ବିଦ୍ୟୁତ୍‌ ଉତ୍ପାଦନ ଉପରେ ପଡ଼ୁଛି। ସେହିପରି ମତ୍ସ୍ୟଜୀବୀଙ୍କ ଜୀବିକା ଓ ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେଉଛି।
ପାଣି ଅଭାବରୁ ୱାଟର ସ୍ପୋର୍ଟ୍ସ ଉପରେ ପ୍ରଭାବ ପଡ଼ୁଥିବା ବେଳେ ପର୍ଯ୍ୟଟନ ଶିଳ୍ପରେ ବାଧା ଉପୁଜୁଛି । ଓଡିଶା ଓ ଛତିଶ ଗଡ ମଧ୍ୟରେ ମହାନଦୀ ଜଳକୁ ନେଇ ବିବାଦ ରହିଛି । ବର୍ତ୍ତମାନ ଟ୍ରିବୁନାଲରେ ମାମଲା ଥିବାବେଳେ ଉଭୟ ରାଜ୍ୟ ସରକାର ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଜରୁରୀ ଅଟେ। ସମନ୍ନୟ ଅଭାବରୁ ଏଭଳି ସମସ୍ୟା ଉପୁଜୁଛି । ଛତି ଶଗଡ ସରକାରଙ୍କ ମନମାନୀ ଯୋଗୁଁ ମହାନଦୀ ଜଳ ସୁପରିଚାଳନା ହୋଇପାରୁନାହିଁ । ଯାହାର ପ୍ରଭାବ ବିଶେଷ ଭାବେ ଅଣମୌସୁମୀ ସମୟରେ ଦେଖିବାକୁ ମିଳୁଛି। ତେବେ ଖରାଦିନେ ମହାନଦୀରେ ପାଣି କମିବା ସ୍ଵାଭାବିକ ଅଟେ। ମାତ୍ର ମହାନଦୀର ଉପର ମୁଣ୍ଡରେ ଛଡିଶଗଡ ସରକାର ବ୍ୟାରେଜ ନିର୍ମାଣ କରିବା ପରେ ଏଭଳି ସ୍ଥିତି ଉପୁଜିଥିବା ସାଧାରଣରେ ଆଲୋଚନା ହେବା ସହ ନଦୀବନ୍ଦରେ ପଟୁ ମାଟି ଅନ୍ୟ ଏକ ଚିନ୍ତାର କାରଣ ସାଜିଛି।