Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପତ୍ରାପାଲି ଶାଳବନ ନିଛିନ୍ନ :ଆଁ କରି ଧରିତ୍ରୀ ଖୋଜୁଛି ନୁଆଁ ଜୀବନ

ପ୍ରକୃତିର ଧରିତ୍ରୀ ମାଁ ଉପରେ ଚାଲିଛି ବଡ଼ ପ୍ରଘାତ। ପ୍ରତିଦିନ ହେଉଛି ଧର୍ଷିତା। ଧରିତ୍ରୀ ମାଁ ଉପରେ ବଢ଼ୁଥିବା ଛନଛନିଆ ଜୀବନ ଉପରେ ମଧ୍ୟ ଚାଲିଛି କୁଠାରଘାତ। ଟାଙ୍ଗିଆ ଓ କରତରେ କଟି ମାଟିରେ ମିଶିଯାଉଛି ମହା ପୁଣ୍ୟର ମହାଜୀବନ। ସମ୍ବଲପୁର- ଝାରସୁଗୁଡ଼ା ଜିଲ୍ଲା ସୀମାବର୍ତ୍ତୀ ପତ୍ରାପାଲି ଜଙ୍ଗଲର ଏଭଳି କରୁଣ କାହାଣୀ ପରିବେଶବିତ ମାନଙ୍କୁ ହତ ଚକିତ କରି ଦୋହଲାଇ ଦେଇଛି।
ଏହି ପତ୍ରାପାଲି ଦିନେ ଥିଲା ଶାଳବନରେ ପରିପୂର୍ଣ୍ଣ। ଏହାର ସୁରକ୍ଷା ପାଇଁ ଦିନରାତି ଏକ କରି ଦେଇଥିବା ତ୍ୟାଗୀ ପ୍ରକୃତି ବନ୍ଧୁ ଙ୍କୁ ଦିନେ ଭାରତ ସରକାରଙ୍କ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର ଦିଆଯାଇଥିଲା। ସେହି ପ୍ରକୃତି ପୁରୁଷ କିନ୍ତୁ ଆଜି ଲଙ୍ଗଳା।ନିଜ ମନ ପ୍ରାଣ ଦେଇ ଶାଳବନର ଗାରିମା ଆଣିଥିବା ଜଙ୍ଗଲ ହତ୍ୟାର ବିରୋଧ କରି ଥାନା ହାଜତକୁ ଯିବା ଭଳି ଘଟଣା ଘଟିସାରିଲାଣି। ଦୁଲ୍ଲଭ ଜୀବନ ପାଇଁ ତ୍ୟାଗୀ ମଣିଷକୁ ମହାଙ୍ଗା ହୋଇଗଲାଣି ଶିଳ୍ପ ମନ୍ତ୍ରଣା। ଶିଳ୍ପଯଜ୍ଞରେ ଛନ୍ଦି ହୋଇପଡିଥିବା ପ୍ରଶାସନ ପ୍ରକୃତିମିତ୍ର ବା ପ୍ରକୃତିବନ୍ଧୁକୁ ବି ଛାଡୁନି। ଦେଉଛି ଯନ୍ତ୍ରଣା।ଯାହାର ଦୁଃଖ ବୋହିବାକୁ ପଡିଛି ଏବେ ପତ୍ରାପାଲି ଗାଁର ସୁବାସ ବିଶ୍ୱାଳ (୫୦)ଙ୍କୁ।କୋଇଲା ଖଣି ପାଇଁ ବିସ୍ତୃତ ଶାଳବଣ ଭୂଲୁଣ୍ଠିତ ହେଉ ପଛେ, କିନ୍ତୁ ସେହି ଶାଳ ବନ ର ସୁରକ୍ଷା ପାଇଁ ଯିଏ ଲୋକଙ୍କ ଆଦର ପାଉଥିଲେ ଓ ଶେଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକୃତିମିତ୍ର ସମ୍ମାନ ଲାଭ କରିଥିଲେ ତାଙ୍କ ଉପରେ ନାଲିଆଖି ପଡିବାରୁ ଶାଳ ବନ ପାଲଟି ଗଲା କୋଇଲା ଖଣିର ଖାଦାନ। ଶିଳ୍ପ ମନ୍ତ୍ରଣାରେ ପ୍ରକୃତି ପୁରୁଷକୁ ଯନ୍ତ୍ରଣା ଭଳି ଘଟଣା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ ବନ ସୁରକ୍ଷା ପ୍ରତି କାହାର ସୁଦ୍ଧା ତିଳେ ମାତ୍ର ନଜର ନାହିଁ।ଫଳରେ ଧରିତ୍ରୀ ମାଟି ମା ଉପରେ ଚାଲିଛି ପ୍ରତିଦିନ ବସ୍ତ୍ର ହରଣ। ଲୋପ ପାଇବାକୁ ଯାଉଛି ପ୍ରକୃତିର ସବୁଜିମା।
ସୁବାସ ବିଶ୍ବାଳ (୫୦), ଯଦୁମଣି ସାହୁ (୭୨) ଏବଂ ସୁରୁ ମୁଣ୍ଡା (୬୦) ଭଳି ପ୍ରକୃତି ପ୍ରେମୀ ଶିଳ୍ପ ମନ୍ତ୍ରଣାର ଚକ୍ଷୁଶିଲ। ଏହି ପ୍ରମୁଖ ବ୍ୟକ୍ତି ବିଶେଷ ଶାଳବନକୁ ସୁରକ୍ଷା ଦେବାକୁ ସଂଗ୍ରାମ କରୁଥିବା ସତ୍ତ୍ବେ ତଲାବିରା କୋଇଲା ଖଣି ଖନନ ପାଇଁ କିଛିଦିନ ପୂର୍ବରୁ ପ୍ରାଶାସନିକ ପ୍ରତିନିଧି ଓ କମ୍ପାନି ପ୍ରତିନିଧିଙ୍କ ମିଳିତ ଉଦ୍ୟମରେ ପ୍ରାୟ ୨୦ ହେକ୍ଟର୍ ଜମିରୁ ଶହଶହ ସଂଖ୍ୟାରେ ମୂଲ୍ୟବାନ ଶାଳ, ପିଆଶାଳ ଏବଂ ଚାର ଗଛକୁ କାଟି ଦିଆଯାଇଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଥିଲେ। ଏପରିକି କଟାଯାଇଥିବା ଗଛଗୁଡ଼ିକ କାଟିବା ପୂର୍ବରୁ ନମ୍ବର ମଧ୍ୟ କରାଯାଇ ନଥିବା ସେମାନେ ସେତେବେଳେ ଅଭିଯୋଗ ଆଣିଥିଲେ। ଅଭିଯୋଗ କିନ୍ତୁ ଅଭିଯୋଗ ରେ ରହିଯାଥିବା ବେଳେ ଧରିତ୍ରୀ ମାଟି ମାଁ ପାଇଁ କ୍ରନ୍ଦନର ସ୍ୱର ପାଣି ଫୋଟକା ପରି ପାଣିରେ ମିଳେଇଗଲା।
ଦିନେ ଯେଉଁ ଜଙ୍ଗଲକୁ ଶାଳବଣର ମାନ୍ୟତା ଦିଆଯାଇଥିଲା, ଏବେ ସରକାରୀ ନଥିପତ୍ରରେ ତା’କୁ ପଥରବଣ ଭାବେ ଦର୍ଶାଯାଉଛି । ପର୍ଯ୍ୟାୟ ପରେ ପର୍ଯ୍ୟାୟ ଏପରି ୪ଟି ପର୍ଯ୍ୟାୟରେ ଗଛ କାଟି ପତ୍ରାପାଲି ଶାଳବନ ଏବେ ଟାଙ୍ଗରା ଭୁଇଁରେ ପରିଣତ ହେଲା। ଚାଲିଲା କୋଇଲା ଖଣନ। ହଜିଗଲା ସବୁଜିମା। ଏବେ କଳା ରାକ୍ଷସ ପରି ଆଁ କରି ମେଲେଇ ରହିଛି ଇତିହାସ ହୋଇ ଥିବା ଶାଳ ବନ। ଶିଳ୍ପ ସ୍ୱାର୍ଥ ପରିବେଶ ପ୍ରକୃତି ଶାଳ ବନକୁ ସଜେଇ ଦେଲା ପଥରବଣରେ।ବଦଳି ଗଲା ସରକାରୀ ନଥିପତ୍ର।ହଜି ଗଲା ସ୍ମୃତି, ଏବେ କାନ୍ଦୁଛି ଧରିତ୍ରୀ ମାଟି।ଖୋଜିଛି ନୁଆଁ ଜୀବନ। କିନ୍ତୁ ସବୁ ଢିଲା ମେଳାର ଶାସନତନ୍ତ୍ରରେ ପତ୍ରାପାଲି କିନ୍ତୁ ହରାଇଲା ନିଜର ଗୌରବ।ସବୁଜିମାର ବଳୟ ଭିତରେ ଥିବା ପତ୍ରାପାଲି ଏବେ ଲଙ୍ଗଳା ହୋଇ କଳା ଆସ୍ତରଣରେ ଛାତି ମେଲେଇ ପଡିଛି। ଏହାର ପାଖତଳ ମାଡିବାକୁ ଯେମିତି ଆଉ କେହିନାହାନ୍ତି। ପତ୍ରାପାଲି ଶାଳବନ ଆଜି ବିବସ୍ତ୍ର। ଶ୍ରୀକୃଷ୍ଣ ନଥିଲେ ବୋଲି ହୋଇଗଲା ବସ୍ତ୍ର ହରଣ।
ବନ ବିଭାଗ ଦେଇଥିବା ସୂଚନା ଅନୁସାରେ, ତଲାବିରା କୋଇଲା ଖଣି ପାଇଁ ତଲାବିରା, ପତ୍ରାପାଲି, ମାଲଦା, ତୁମେରମୁଣ୍ଡା ଏବଂ ରାମପୁର ଗାଁର ସମୁଦାୟ ୧୦୩୮.୧୮୭ ହେକ୍ଟର ଜଙ୍ଗଲ ବଳିପଡ଼ିବା ଏଥିରେ ଶହଶହ ବର୍ଷର ପୁରୁଣା ପତ୍ରାପାଲି ଜଙ୍ଗଲ ଅନ୍ୟତମ। ୨୦୬.୧୩୯ ହେକ୍ଟର ପରିମିତ ଏହି ଜଙ୍ଗଲର ୭୩.୬୨୬ ହେକ୍ଟର୍‌ ରାଜସ୍ବ ଓ ୧୩୨.୫୧୩ ହେକ୍ଟର ଜିଲ୍ଲାସ୍ତରୀୟ କମିଟି ଜଙ୍ଗଲ ଥିବା ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ସ୍ଥାନୀୟ ଅଧିବାସୀ ମାନେ କହନ୍ତି, ହୀରାକୁଦ ନଦୀବନ୍ଧର ଅନେକ ବିସ୍ଥାପିତ ପରିବାର ପତ୍ରାପାଲି ଜଙ୍ଗଲକୁ ନିଜର ଆଶ୍ରୟସ୍ଥଳ କରିଥିଲେ। ଫଳରେ ସେଠାରେ ଗଢ଼ିଉଠିଥିଲା ପତ୍ରାପାଲି ଗାଁ। ଏହି ଜଙ୍ଗଲରେ ଥିବା ଚାର, ମହୁଲ, କେନ୍ଦୁ ସମେତ ବିଭିନ୍ନ ପ୍ରକାର ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରି ଲୋକେ ଜୀବିକା ନିର୍ବାହ କରୁଥିଲେ। ସମୟକ୍ରମେ ପତ୍ରାପାଲି ଜଙ୍ଗଲର ସୁରକ୍ଷା ସ୍ଥାନୀୟ ଅଧିବାସୀଙ୍କ ଆବଶ୍ୟକତାରେ ପରିଣତ ହୋଇଥିଲା। ୭୦ ଦଶକ ବେଳକୁ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ ବନ ସୁରକ୍ଷା କମିଟି ଗଠନ କରାଗଲା। ପ୍ରତିଦିନ ଗାଁର ୪ ଜଣ ବ୍ୟକ୍ତି ଜଙ୍ଗଲ ଜଗିବା ଦାୟିତ୍ବରେ ରହିଲେ ଏପରିକି ଜଙ୍ଗଲରୁ ସଂଗୃହୀତ କେନ୍ଦୁପତ୍ର, ଶାଳମଞ୍ଜି ଆଦି ବନଜାତ ଦ୍ରବ୍ୟର ବିକ୍ରି ଓ ଅନ୍ୟ ସ୍ରୋତରୁ ରାଜସ୍ବ ସଂଗ୍ରହ ହେଲା। ପତ୍ରାପାଲି ଜଙ୍ଗଲ ଯୋଗୁଁ ୧୯୮୧ ମସିହାରେ ପତ୍ରାପାଲି ହାଇସ୍କୁଲ ନିର୍ମାଣ ହୋଇଥିଲା।ଶିକ୍ଷର ଜଳିଥିଲା ମହାଦୀପ। ଜଙ୍ଗଲ ପରିଚାଳନା ଏତେ ବ୍ୟବସ୍ଥିତ ଥିଲା ଯେ ସରକାର ଏଥିରେ ପ୍ରଭାବିତ ହୋଇଥିଲେ । ୧୯୯୧ ମସିହାରେ ଜଙ୍ଗଲ ସୁରକ୍ଷା ପାଇଁ ଭାରତ ସରକାରଙ୍କ ସହିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ବନ ବିଭାଗର ୪ ଜଣ ଗାର୍ଡ ମଧ୍ୟ ଲୋକଙ୍କ ସହିତ ଜଙ୍ଗଲ ଜଗିବାକୁ ଲାଗିଲେ । ସମୟକ୍ରମରେ ଜଙ୍ଗଲ କମିଟିରେ ଲୋକଙ୍କ ଭାଗିଦାରୀ ଦୁର୍ବଳ ଏବଂ ବନ ବିଭାଗର ଭୂମିକା ଅଧିକ ରହିଲା।ବନ ବିଭାଗ ନିଜର କ୍ଷମତା ବଳରେ ଚାପିଦେଲା ଲୋକଙ୍କ ସ୍ୱର। ୨୦୨୦ ମସିହାରେ ଅଚାନକ ବନ ବିଭାଗ ପକ୍ଷରୁ ଜଙ୍ଗଲ କମିଟି ପୁନର୍ଗଠନ ପାଇଁ ବନ ଅଧିକାରୀଙ୍କ ପ୍ରସ୍ତାବକୁ ଗ୍ରାମବାସୀ ଗ୍ରହଣ କଲେ।ଜଙ୍ଗଲ କମିଟି ପୁନର୍ଗଠନର ଏକ ସପ୍ତାହ ପରେ ଜଙ୍ଗଲ କାଟିବାର ବିଜ୍ଞପ୍ତି ଜାରି ହେଲା। ୨୦୨୧ ମସିହାରୁ ୪ଟି ପର୍ଯ୍ୟାୟରେ ପତ୍ରାପାଲି ଜଙ୍ଗଲ କଟିଛି। ପରବର୍ତ୍ତୀ ଦିନରେ ବି ଏହି ପ୍ରକ୍ରିୟା ବଳବତ୍ତର ରହିଲା। ପର୍ଯ୍ୟାୟ କ୍ରମରେ ଏହା ଚାଲିବା ଫଳରେ ହଜିଗଲା ପତ୍ରାପାଲିର ଶାଳ ବନ।ଏବେ ସେହି ହତ୍ୟାର ଶିକାର ହୋଇଥିବା ଧର୍ଷିତା ଧରିତ୍ରୀ ଖୋଜୁଛି ନିଜ ଜୀବନର ରାହା। ହେଲେ ସାହା ହେବାକୁ ଏବେ ଆଉ କେହି ନାହାଁନ୍ତି। ଶିଳ୍ପର କଳା ଧୂଆଁ ରଆସ୍ତରଣ ଓ ବୁକୁଫଟା ଉଚ୍ଚ କ୍ଷମତା ସମ୍ପନ୍ନ ବିସ୍ଫୋରଣ ଭିତରେ କଟୁଛି ଜୀବନ। ପ୍ରଖର ରୌଦ୍ରତାପରେ ଜଳୁଛି ସିନା ଜୀବନ, କିନ୍ତୁ ଏହାର ପୂର୍ବ ପରିଚୟ ଫେରାଇ ଆଣିବାକୁ ନାହିଁ ଏବେ କୌଣସି ଯୋଜନା କୌଶଳ। ଜଙ୍ଗଲ ବିକାଶ ଏବେ ବାଟବଣା ହୋଇଥିବା ବେଳେ ଇତିହାସ ଗର୍ଭରେ ହଜିଯାଇଛି ପତ୍ରାପାଲିର ହୃତଗୌରବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ