ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧିପାଇଁ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ଏବଂ ଓମ୍‌ଫେଡ ମଧ୍ୟରେ ଚୁକ୍ତିନାମା


ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଓମ୍‌ଫେଡ୍ ଡେରୀ ପ୍ଲାଣ୍ଟର କର୍ମଚାରୀ ମାନଙ୍କ ପାଇଁ ୬୨ଟି କ୍ୱାର୍ଟର, ମିଲ୍କ ପାଉଡର ପ୍ୟାକିଙ୍ଗ ମେସିନ
ଦୁଗ୍ଧ ଚାଷୀ ସଙ୍ଘ ମାନଙ୍କୁ ପ୍ରଦାନ କରାଗଲା ୨୨ଟି ନୂତନ ଦୁଗ୍ଧ ଟ୍ୟାଙ୍କର
ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ସାଜିଛି ଡ୍ରାଇଭିଙ୍ଗ ଫୋର୍ସ
ରାଜ୍ୟର ‘ଗୋ ଅର୍ଥନୀତି’ ସମୃଦ୍ଧ ହେବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ଶ୍ୱେତ ବିପ୍ଲବର  କର୍ଣ୍ଣଧାର ହେଉଛି ଓମ୍‌ଫେଡ୍‍। ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରଜାତିର ୧୦ ହଜାର ଗାଈ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦିଆଯାଇ ରାଜ୍ୟର ଗୋ ଅର୍ଥନୀତିକୁ ସମୃଦ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍‌.ଡି.ଡି.ବି) ଏବଂ ଓମ୍‌ଫେଡ ମଧ୍ୟରେ ଅନୁଷ୍ଠିତ ଚୁକ୍ତିନାମା ଅବସରରେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଓମ୍‌ଫେଡ୍ ସହିତ ଏହି ଚୁକ୍ତିନାମା ଜରିଆରେ ନେସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ଓଡିଶାର ଦୁଗ୍ଧ ଚାଷୀମାନଙ୍କୁ ଅଧିକ ଦୁଗ୍ଧ ଅମଳକ୍ଷମ ଗୀର୍, ସହିୱାଲ୍ ଓ କ୍ରସ୍ ବ୍ରିଡ୍ ପ୍ରଜାତିର ପ୍ରାୟ ୩ରୁ ୪ ହଜାର ଗାଈ ଯୋଗାଇଦେବ।
ଏଥିସହିତ ଆଗାମୀ ଦିନରେ ଏନ୍‌.ଡି.ଡି.ବି ସହାୟତାରେ ରାଜ୍ୟରେ ଏକ ଗୋବର ଗ୍ୟାସ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭.୫୦ କୋଟି ଟଙ୍କା ବିନିଯୋଗରେ ୨ ହଜାରରୁ ୧୫ ହଜାର ଲିଟର ବିଶିଷ୍ଟ ୨୨ଟି ମିଲ୍କ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘ ମାନଙ୍କୁ ପ୍ରଦାନ କରିବା ସହିତ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଗୁଣ୍ଡ ଦୁଗ୍ଧ ପ୍ୟାକିଙ୍ଗ ମେସିନର ଉଦ୍‌ଘାଟନ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ସୁବିଧା ଦ୍ୱାରା ରାଜ୍ୟର ଚାଷୀମାନଙ୍କ ଠାରୁ ଯଥେଷ୍ଟ ଅଧିକ ପରିମାଣର ଦୁଗ୍ଧ ସଂଗ୍ରହ କରାଯାଇପାରିବ। ଏବେ ରାଜ୍ୟର ଦୁଗ୍ଧ ଉତ୍ପାଦନ ୭୨ ଲକ୍ଷ ଲିଟର ରହିଛି। କିନ୍ତୁ ୨୦୩୬ ସୁଦ୍ଧା ଏହି ପରିମାଣ ୧୬୫ ଲକ୍ଷ ଲିଟର ଏବଂ ୨୦୪୭ ସୁଦ୍ଧା ଏହାକୁ ୨୭୪ ଲକ୍ଷ ଲିଟରରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ ।
ସେ ଆହୁରି କହିଥିଲେ ଦୀର୍ଘ ୪୫ ବର୍ଷ ଧରି  ଦୁଗ୍ଧ ଉତ୍ପାଦନ, ସଂଗ୍ରହ ଏବଂ ବିକ୍ରୟ ସହିତ  ରାଜ୍ୟର ଦୁଗ୍ଧଚାଷୀ ମାନଙ୍କ ଆର୍ଥିକ ବିକାଶରେ ଓମ୍‌ଫେଡ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଆସୁଛି। ଏବେ ଓମ୍‌ଫେଡ୍ ଉତ୍ପାଦ ଗୁଡିକର ବିବିଧକରଣ କରିବା ସହିତ ଗୁଣ୍ଡ ଦୁଗ୍ଧ, ପନିର, ବଟର, ଛେନା ପୋଡ, ଆଇସ୍‌କ୍ରିମ୍, ସୁବାସିତ ଦୁଗ୍ଧ, ମିଠା ଦହି, ପେଡା, ରାବିଡି ଆଦି ଅନେକ ଉତ୍ପାଦ ପ୍ରସ୍ତୁତ କରୁଛି। ଯୁବବର୍ଗ ମଧ୍ୟ ଏହା ମାଧ୍ୟମରେ ଭଲ ରୋଜଗାର କରିପାରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଓ ଅନ୍ୟାନ୍ୟ ନୀତିକାନ୍ତି ପାଇଁ ପ୍ରାୟ ୩୦ ମେଟ୍ରିକ ଟନ ଘିଅ ଯୋଗାଇ ଦେବାକୁ ଓମ୍‌ଫେଡ୍ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଚୁକ୍ତି ହୋଇଛି।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ସହଯୋଗରେ ଓମ୍‌ଫେଡ୍ ପକ୍ଷରୁ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ଯୋଜନା ରଖାଯାଇଛି। ଗୋବରରୁ ଗ୍ୟାସ ଉତ୍ପାଦନ କରି ନିଜେ ବ୍ୟବହାର କରିବା ସହ ବଳକା ଗ୍ୟାସ ମଧ୍ୟ ବିକ୍ରି କରିପାରିବେ। ଗୋବରରୁ ବାୟୋଗ୍ୟାସ ବାହାରିବା ପରେ ଗୋବର ମଣ୍ଡକୁ ଚାଷ ଜମିରେ ବ୍ୟବହାର କରି ଫସଲ ଉତ୍ପାଦନ ମଧ୍ୟ ବୃଦ୍ଧି କରାଯାଇ ପାରିବ। ଏହା ଦ୍ୱାରା ରାଜ୍ୟର ଗୋ-ପାଳକମାନେ ଗୋବରରୁ ମଧ୍ୟ ଆୟ କରିପାରିବେ। ଏହାଦ୍ବାରା ରାଜ୍ୟର ଗୋ – ଅର୍ଥନୀତି ସମୃଦ୍ଧ ହେବ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟି ଏବଂ ଲୋକାଭିମୁଖୀ ଯୋଜନା ଫଳରେ ଦେଶରେ ମୁଣ୍ଡପିଛା ଦୁଗ୍ଧ ଉତ୍ପାଦନ ୪୭୧ ଗ୍ରାମ ରହିଛି।  ଯାହା ବିଶ୍ୱର ହାରାହାରି ଉପଲବ୍ଧତା ଠାରୁ ଢେର ଅଧିକ। ରାଜ୍ୟ ସରକାର ମଧ୍ୟ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀ ମାନଙ୍କୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହାଦ୍ୱାରା ରାଜ୍ୟର ପ୍ରାୟ ୧୫ ଲକ୍ଷ ଗୋପାଳକ ଉପକୃତ ହୋଇପାରିବେ। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ସହାୟତା ପାଇସାରିଲେଣି। ଗାଈଗୋରୁଙ୍କ ସୁରକ୍ଷା ସହ ପରିଚାଳନା ଏବଂ ଚିକିତ୍ସା ପାଇଁ ମଧ୍ୟ ଆମ ସରକାର ଗୋମାତା ଯୋଜନା ଲାଗୁ କରିଛନ୍ତି। ନୂତନ ଗୋଶାଳା ପ୍ରତିଷ୍ଠା ଏବଂ ପଞ୍ଜୀକୃତ ଗୋଶାଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନାରେ ସହାୟତା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏସମସ୍ତ ପଦକ୍ଷେପ ରାଜ୍ୟର ମୁଣ୍ଡପିଛା ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବ ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓମ୍‌ଫେଡ୍ ଡେରୀ ପ୍ଲାଣ୍ଟର କର୍ମଚାରୀ ମାନଙ୍କ ପାଇଁ ୬୨ଟି କ୍ୱାର୍ଟରର ମଧ୍ୟ ଉଦ୍‌ଘାଟନ କରିବା ସହିତ ସେଠାରେ ନୂତନ ଦୁଗ୍ଧ ଟ୍ୟାଙ୍କର ଏବଂ ମିଲ୍କ ପାଉଡର ପ୍ୟାକିଙ୍ଗ ମେସିନ ଗୁଡିକର ଉଦଘାଟନ କରଥିଲେ।
ଏଥିସହିତ ଓମ୍‌ଫେଡ୍  କେନ୍ଦ୍ର ବୈଠକ ଗୃହ ଠାରେ ବିଭାଗୀୟ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟରେ ତଥ୍ୟ ପ୍ରଦାନ କରିଥିଲେ ଓ ମୁଖ୍ୟମନ୍ତ୍ରୀ, ସମସ୍ତ ଦୁଗ୍ଧ ଚାଷୀ ମାନଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ, କଟକ,ଶ୍ରୀ ଭର୍ତ୍ତୃହରି ମହତାବ
ଓମ୍‌ଫେଡ୍ ସଭାପତି, ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଏନ୍.ଡି.ଡି.ବି ଡେରୀ ସର୍ଭିସେସ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ, ଓମ୍‌ଫେଡ୍ ର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ଓମ୍‌ଫେଡ୍ ର ପରିଚାଳନା ସମିତି ସଦସ୍ୟଗଣ ଓ ବିଭିନ୍ନ ଦୁଗ୍ଧ ସଂଘର ଅଧ୍ୟକ୍ଷଗଣ ପ୍ରମୁଖ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.