Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗକୁ ବର୍ଷାଦିନ| ପୁଣି ଜଳମଗ୍ନ ହେବ ୨ ଗ୍ରାମ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କନିକାପଡା ପଂଚାୟତର ଶ୍ରୀରାମପୁର ଏବଂ ଦିହୁଡିସାହି ଭଳି ୨ଟି ଗ୍ରାମ ଯାହା ମଙ୍ଗଳପୁର ବଜାର ସଂଲଗ୍ନ| ପୂର୍ବରୁ ଚାଷବାସ କରି ଏହି ଗ୍ରାମର ଲୋକମାନେ ପରିବାର ପ୍ରତିପୋଷଣ କରୁଥିଲେ| କିନ୍ତୁ ବିଗତ ତିନି ରୁ ଚାରି ବର୍ଷ ହେବ ଏହି ଗ୍ରାମ ଏବଂ ଗ୍ରାମର ଚାଷ ଜମି ବର୍ଷା ଦିନେ ଜଳମଗ୍ନ ହୋଇ ରହୁଛି| ଏହି ଜଳମଗ୍ନର କାରଣ ହେଉଛି ଅବାଧ ଗୋଚର ଓ ଅନାବାଦୀକୁ ଜବର ଦଖଲ କରିବା ସହ ପୂର୍ବରୁ ଥିବା ପାଣି କେନାଲ ପୋତାଯିବା| ବହୁ ସ୍ଥାନରେ ନିଜସ୍ୱ ଜାଗାକୁ ଲାଗି ରହିଥିବା ଅନାବାଦୀ ହେଉ ଅବା ଗୋଚର ଜମି ତାହାକୁ ମାଟି ପକାଇ ପୋତି ଦେବା ଦ୍ୱାରା ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ ଏଥି ସହିତ ମୁଖ୍ୟ ରାସ୍ତା ଏବଂ ଗ୍ରାମ ମଧ୍ୟରେ ଥିବା ପାଣି ନାଳକୁ ପୋତି ଦେବା ଫଳରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି|| ଅହରହ ବର୍ଷା ଜଳ ଜମି ରହିବା ସହ ଶ୍ରୀରାମପୁର ଗ୍ରାମ ଏବଂ ଦିହୁଡିସାହି ଗ୍ରାମ ସମେତ ଏକର ଏକର ଚାଷଜମି ଜଳମଗ୍ନ ହୋଇ ରହୁଛି| ଗତ କିଛି ବର୍ଷ ହେବ ଜୁଲାଇ ରୁ ଅକ୍ଟୋବର ଯାଏ ପାଣି ନିଷ୍କାସନ ହୋଇ ନ ପରି ଏହି ୨ ଗ୍ରାମର ବହୁ କ୍ଷତି ଘଟାଇଛି| ଏ ସଂକ୍ରାନ୍ତରେ 2021 ମସିହାରେ ଯାଜପୁର ଜିଲ୍ଲାପାଳ ଏବଂ ଦଶରଥପୁର ତହସିଲଦାରଙ୍କୁ ଅବଗତ କରାଯାଇଥିଲା| ଫଳ ସ୍ୱରୂପ ସେ ସମୟରେ ନିଯୁକ୍ତ ଥିବା ତହସିଲଦାର ସୌଭାଗ୍ୟ ରଞ୍ଜନ ବେହେରା ଘଟଣା ଟିକୁ ଗୁରୁତର ସହ ବିଚାର କରି ଜେସିବି ସାହାଯ୍ୟରେ ମଙ୍ଗଳପୁର ମହିଳା ମହାବିଦ୍ୟାଳୟ ସମ୍ମୁଖ ଗୋରାନାଳ ସୋଠ ସମେତ ପାଣି ନିଷ୍କାସନ ନିମିତ୍ତ ବ୍ୟବସ୍ତା କରିଥିଲେ| ଏଥିସହ ଏହାର ସ୍ଥାୟୀ ସମାଧାନ ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ପାଣି କେନାଲ ଉଦ୍ଧାର କରିବାକୁ ପଦକ୍ଷେପ ନେବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ| କ୍ରମେ ତାଙ୍କର ଦଶରଥପୁର ରୁ ଅନ୍ୟତ୍ର ବଦଳି ହୋଇଯିବାରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନଥିଲା| ଗତ ବର୍ଷ ସେହି ଭଳି ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ସ୍ଥାନୀୟ ଲୋକେ ଚାନ୍ଦା ଆଦାୟ କରି ଗୋରା ନାଳ ସଂଲଗ୍ନ ବିଲ ଯାଏ ସଫା କରାଇଥିଲେ| କିନ୍ତୁ ମୁଖ୍ୟତଃ ଗୋରାନାଳକୁ ଲାଗି ରହିଥିବା ଚାରି ଜଣଙ୍କ ନିଜସ୍ୱ ଜମି ହେତୁ ସେମାନେ ନିଜ ଜମି ସହ ଅବାଧ ଭାବେ ଜବରଦଖଲ କରି ନାଳ ସାମ୍ନାଟିକୁ ପୋତିଦେଇଛନ୍ତି| ପରିଣାମ ସ୍ୱରୂପ ଦୁର୍ଦଶା ଭୋଗୁଛନ୍ତି ଏହି ୨ ଗ୍ରାମର ଜନ ସାଧାରଣ| ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ କରାନଗଲେ ଶ୍ରୀରାମପୁର ଏବଂ ଦିହୁଡିସାହି ଭଳି ଗ୍ରାମ ନିଶ୍ଚିତ ଭାବେ ନକ୍ସାରୁ ହଜିଯିବ|