Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁବଶୀଘ୍ର ଓଡିଶାରୁ ବିଦା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ; କେନ୍ଦ୍ରାପଡାରେ ଜୋରସୋରରେ ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା

କେନ୍ଦ୍ରାପଡା,୧୯|୧୧: ଏଥର ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ବିଦା ହେବେ ବାଂଲାଦେଶୀ। ସେଥିପାଇଁ ଆରମ୍ଭ ହୋଇଗଲାଣି ଯାଞ୍ଚ ପ୍ରକ୍ରିୟା। ପୂର୍ବରୁ ଜଗତସିଂହପୁରରୁ ତିନି ସନ୍ଦିଗ୍ଧ ବାଂଲାଦେଶୀ ଧରାପଡ଼ିଥିଲେ| ତେବେ ଏହା ପରେ କେନ୍ଦ୍ରାପଡାରେ ଆରମ୍ଭ ହୋଇଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା | କେନ୍ଦ୍ରାପଡା ଏସପି ଆରମ୍ଭ କରିଛନ୍ତି ଯାଞ୍ଚ ପ୍ରକ୍ରିୟା | କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ବ୍ଳକିଂ ଓ ଚେକିଂ କରି ଯାଞ୍ଚ କରାଯାଉଛି । ଚିଲଖାନାରୁ ୧୮ ଜଣ ଅନୁପ୍ରବେଶକାରୀଙ୍କୁ ଅକ୍ତିଆର କରିବା ସହ ଅଟକ ରଖିଛି ପୋଲିସ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ପାଖରେ ପରିଚୟ ପ୍ରମାଣପତ୍ର ନଥିବା ସୂଚନା ରହିଛି। ଘର ଭଡ଼ା ଦେଇଥିବା ମାଲିକ ସହ ଘର ଭଡ଼ା ନେଇଥିବା ଲୋକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ରାପଡା ଜିଲ୍ଲାର ଦିଲାରପୁର, ବଡ଼ହାଟ, ରଣପଡ଼ା ବସ୍ତିରେ ରହୁଥିବା ଅନେକ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଟାଉନ୍ ଥାନାକୁ ଡକାଯାଇ ତଦନ୍ତ ଆରମ୍ଭ କରାଯାଇଛି। କେନ୍ଦ୍ରାପଡ଼ା ଏସପିଙ୍କ ସୂଚନା ଅନୁସାରେ, ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମନ ଇଛା ପ୍ରବେଶ ଓ ଫେରାର ଆଶଙ୍କା ନଜରରେ ରଖି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ। ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ସେଠାରେ ନିରାପଦରେ ରହୁଥିବା ବିଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଦେଖାଦେଇଛି ଭୟ।

ଏ ବିଷୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ | ସରକାର ଆସିବା ପରେ ଗୋଟିଏ ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯାଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ । ଆଇନ ମନ୍ତ୍ରୀଙ୍କ ଅନୁସାରେ, ଯେଉଁ ସ୍ଥାନରେ ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରାଯିବ| ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇ ସାରିଛି। ଏନେଇ ସରକାର ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଭୂମିକା ସମାନ ରହିଛି। ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଅନୁପ୍ରବେଶକାରୀ, ଉଗ୍ରବାଦୀମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି | ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେ ଅନୁପ୍ରବେଶକାରୀ ହୁଅନ୍ତୁ ଅବା ଅନ୍ୟ କେହି, ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ରହିବ ।

ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି ଯେ, ତଟବର୍ତ୍ତୀ ଅଞ୍ଚଳ ପୋଲିସକୁ ସଶକ୍ତ କରାଯାଇଛି ଏବଂ କୋଷ୍ଟ ଗାର୍ଡ ମଧ୍ୟ ନିରୀକ୍ଷଣ ଦାୟିତ୍ୱରେ ରହିଛନ୍ତି । ଓଡିଶାର ତଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ । ଯେଉଁମାନେ ବିନା ଅନୁମତିରେ ପ୍ରବେଶ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା ହାତକୁ ନେଇଛନ୍ତି । ସୂଚନା ମୁତାବକ, ବେଆଇନ୍ ଘରେ ଚାଲିଥିଲା ମଦ୍ରାସା । ବିହାର, ଉତ୍ତରପ୍ରଦେଶରୁ ଆସୁଥିଲେ ବହୁତ ପିଲା । ଜଗତସିଂହପୁରରେ ବାଂଲାଦେଶୀ ଚଳାଇଥିଲେ ଏକ ବଡ଼ ସିଣ୍ଡିକେଟ୍ କାରବାର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ