ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ; ସୋସିଆଲ ମିଡିଆରେ ‘ସେଭ୍ ଆରାବଳୀ’ର ସ୍ଲୋଗାନ
ନୂଆଦିଲ୍ଲୀ,୨୨।୧୨: ଆରାବଳୀ ପର୍ବତମାଳାର ଅସ୍ତିତ୍ୱକୁ ନେଇ ସୋସିଆଲ ମିଡ଼ିଆରେ ଦେଖାଦେଇଛି ପ୍ରତିବାଦ। ସୋସିଆଲ ମିଡିଆରେ ଆରାବଳୀ ସଂରକ୍ଷଣ ପାଇଁ ଆରମ୍ଭ ହୋଇଛି ଅଭିଯାନ। ଶୁଭାଯାଉଛି ସେଭ୍ ଆରାବଳୀ’ ବା ଆରାବଳୀ ବଞ୍ଚାଅର ନାରା । ଆରାବଳୀ ପର୍ବତଶ୍ରେଣୀରେ ଖନନ ଅନୁମତି କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଉଛି। ପରିବେଶବିତ୍, ବିଶେଷଜ୍ଞ ଓ ବିରୋଧୀ ଆରାବଳୀ ପର୍ବତମାଳାକୁ ନେଇ ସମସ୍ତେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।
ଗତ କିଛି ଦିନ ତଳେ ସୁପ୍ରିମକୋର୍ଟ ଏକ ଫଇସଲା ଶୁଣାଇଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶୁଣାଇଥିବା ଏକ ଫଇସଲାରୁ ସାରା ଦେଶରେ ପ୍ରତିବାଦ ଦେଖିବାକୁ ମିଳିଛି। ଏପରିକି ସୁପ୍ରିମକୋର୍ଟଙ୍କୁ ମଧ୍ୟ ଖୋଲାଖୋଲି ଭାବେ ବିରୋଧ କରାଯାଇଛି। ଏହାକୁ ନେଇ ଦେଶର ରାଜନୀତି ମଧ୍ୟ ଜୋର ଧରିଛି। ପରିବେଶ ସଂରକ୍ଷଣ ନେଇ ଶାସକ ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।
ଆରାବଳୀ ପର୍ବତମାଳା ଦୁନିଆର ସବୁଠୁ ପ୍ରାଚୀନ ପର୍ବତ ଶୃଙ୍ଗ ମଧ୍ୟରୁ ଅନ୍ୟତମ। ଏହି ପର୍ବତ ମାଳା ଦିଲ୍ଲୀରୁ ହରିୟାଣା, ରାଜସ୍ଥାନ ଦେଇ ଏହା ଗୁଜରାଟ ସୀମା ପର୍ଯ୍ୟନ୍ତ ଲମ୍ବିଛି। ତେବେ ଏହି ପର୍ବତମାଳା ନିକଟରେ ଖଣି ଖନନ ଲାଗି ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା। ସୁପ୍ରିମକୋର୍ଟ ଏହା ଉପରେ ଫଇସଲା ଦେଇ କହିଥିଲେ ଯେ, ୧୦୦ ମିଟରରୁ ଅଧିକ ଉଚ୍ଚତାର ପାହାଡ଼ିଆ କ୍ଷେତ୍ରକୁ ହିଁ ଆରାବଳୀର ଅଂଶ ଭାବରେ ବିବେଚନା କରାଯିବ ଏବଂ ୧୦୦ ମିଟରରୁ କମ୍ ଉଚ୍ଚତାର ପାହାଡ଼କୁ ଆରାବଳୀର ଅଂଶ ଭାବେ ପରିଗଣିତ କରାଯିବ ନାହିଁ। ତେବେ ସୁପ୍ରିମକୋର୍ଟଙ୍କର ଏହି ନିର୍ଦ୍ଦେଶରୁ ଜଣାପଡୁଛି ଯେ, ସେଠାରେ ଖଣି ଖନନ କାମ ପାଇଁ ସୁପ୍ରିମକୋର୍ଟଙ୍କ ସମ୍ମତି ରହିଛି। ଏହା ପରଠାରୁ ସାରା ଦେଶରେ ଆରାବଳୀ ପର୍ବତ ଶୃଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି| କେବଳ ଏତିକି ନୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ସେଭ୍ ଆରାବଳୀ’ ବା ଆରାବଳୀ ବଞ୍ଚାଅ ସପକ୍ଷରେ ସ୍ଲୋଗାନ ଜୋରଦାର ଆରମ୍ଭ ହୋଇଯାଇଛି । ଦିଲ୍ଲୀରୁ ରାଜସ୍ଥାନ ପର୍ଯ୍ୟନ୍ତ ଏହି ଫଇସଲା ବିରୋଧରେ ସ୍ୱର ଉତ୍ତୋଳନ ହୋଇଛି। ଆରାବଳୀ ପର୍ବତରେ ଜଙ୍ଗଲ ସଫା କରାଯାଇ ଖନନ କାମ ଆରମ୍ଭ ହେବ ଫଳରେ ପରିବେଶରେ ସନ୍ତୁଳନ ବିଗିଡିବ ଏବଂ ଏହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଇବ ବୋଲି ଅନେକ ପରିବେଶବିତ୍ମାନେ ମତ ଦେଇଛନ୍ତି |
ଆରାବଳୀକୁ ହିନ୍ଦ୍-ଗାଙ୍ଗେୟ ସମତଳ ଭୂମିକୁ ସୁରକ୍ଷା ଦେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷାକବଚ ଭାବେ କାମ କରେ । ଯଦି ଏହି ପର୍ବତମାଳା ନଥାନ୍ତା ତାହାଲେ ଭାରତର ଉତ୍ତର ଭାଗ ମରୁଭୂମି ପାଲଟି ଥାଆନ୍ତା ବୋଲି ବୈଜ୍ଞାନିକମାନେ ନିଜର ମତ ପ୍ରକାଶ କରିଛନ୍ତି | ଥର୍ ମରୁଭୂମି ଏବଂ ଆଖପାଖ ଅଞ୍ଚଳର ଜଳବାୟୁର ସନ୍ତୁଳିତ ରକ୍ଷା କରିବାରେ ଆରାବଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । କେବଳ ସେତିକି ନୁହେଁ ଜୈବ ବିବିଧତା ଏବଂ ଭୂତଳ ଜଳ ସଂରକ୍ଷଣ ମଧ୍ୟ ଆରାବଳୀ କରିଥାଏ । ଏହା ସହିତ ଦିଲ୍ଲୀରୁ ଗୁଜରାଟ ୬୫୦ କିମି କ୍ଷେତ୍ରରେ ଜୈବ ବିବିଧତାକୁ ବଜାୟ ରଖିବାରେ ଆରାବଳୀରର ଭୂମିକା ବେଶି ରହିଛି | ଏହାର ରେଞ୍ଜ୍ ଚମ୍ବଲ, ସାବରମତି, ଲନି ଭଳି ନଦୀର ସ୍ରୋତ ମଧ୍ୟ । ଏଥିରେ ବାଲିପଥର, ଚୂନପଥର, ମାର୍ବଲ, ଗ୍ରାନାଇଟ୍ ଆଦି ବିପୁଳ ମାତ୍ରାରେ ଗଚ୍ଛିତ ଅଛି । ଏହି ପର୍ବତମାଳାରେ ସୀସା, ଦସ୍ତା, ତମ୍ବା, ସୁନା ଏବଂ ଟଙ୍ଗ୍ଷ୍ଟନ ଭଳି ପଦାର୍ଥ ମଧ୍ୟ ରହିଛି । ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ଦେଇ ଗତି କରୁଥିଲା ବେଳେ ଏପରି ପ୍ରାକୃତିକ ସମ୍ପଦକୁ ଯଦି ନଷ୍ଟ କରାଯାଏ ତେବେ ଭାରତର ବାୟୁ ଗୁଣବତ୍ତା ଆହୁରି ନଷ୍ଟ ହେବାର ଆଶଙ୍କା ରହିଛି । ଏହା ଅନ୍ୟ ରାଜ୍ୟଗୁଡ଼ିକର ଏକ୍ୟୁଆଇ ଉପରେ ପ୍ରଭାବ ପକାଇପାରେ | ଏହା ଦ୍ୱାରା ଭୂତଳ ଜଳ ମଧ୍ୟ ପ୍ରଭାବିତ ହେବ। ଏହି ସବୁ ସମସ୍ୟାକୁ ନଜରରେ ରଖି ଆରାବଳୀ ଏବଂ ତାର ନିକଟବର୍ତ୍ତୀ ଅଞ୍ଚଳରେ ଖଣି ଖନନ ବେଆଇନ ଘୋଷଣା କରାଯାଇଥିଲା ।
ତେବେ ଏହା ପୂର୍ବରୁ ସୁପ୍ରିମକୋର୍ଟ ମାନିଥିଲେ ଯେ, ଆରାବଳୀ ପର୍ବତର ପରିଚୟ ପାଇଁ ଅଲଗା ଅଲଗା ରାଜ୍ୟ ଭିନ୍ନ ମାନକ ରଖିଛନ୍ତି । ଏଥିରେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ମଧ୍ୟ ସାମିଲ ରହିଛି । ପୂର୍ବରୁ ୨୦୧୦ରେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ କହିଥିଲା ଯେ, ଆରାବଳୀ ପର୍ବତମାଳା ଭିତରେ ଅନେକ ପର୍ବତ ମାଳାକୁ ହିଁ ପର୍ବତ ଭାବେ ବିବେଚନା କରାଯିବ ଯାହାର ଉଚ୍ଚତା ୧୦୦ ମିଟରରୁ ଅଧିକ | ଏବଂ ଦୁଇ ପାହାଡ଼ ଭିତରେ ଦୂରତା ଅତି କମରେ ୫୦୦ ମିଟର ରହିଥିବ । ଏହା ପରେ ସୁପ୍ରିମକୋର୍ଟ ପରିବେଶ ମନ୍ତ୍ରଣାଳୟ, ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ, ରାଜ୍ୟଗୁଡ଼ିକର ବନ ବିଭାଗ, ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଏବଂ ନିଜ କମିଟିର ପ୍ରତିନିଧିଙ୍କୁ ନେଇ ଏକ କମିଟି ମଧ୍ୟ ଗଠନ କରିଥିଲେ । ପରେ କମିଟି ସୁପ୍ରିମକୋର୍ଟଙ୍କୁ ଏକ ରିପୋର୍ଟ ଦେଇଥିଲେ । ଗତ ନଭେମ୍ବର ୨୦ରେ ସୁପ୍ରିମକୋର୍ଟ ଏହି ରିପୋର୍ଟକୁ ସ୍ୱୀକାର କରିଥିଲେ । ଏଥିରେ ଦର୍ଶାଯାଇଥିଲା ଯେ, କେବଳ ୧୦୦ ମିଟର ଉଚ୍ଚତାର ପର୍ବତକୁ ହିଁ ଆରାବଳୀ ପର୍ବତ ଶୃଙ୍ଖଳାର ଅଂଶ ବିବେଚନା କରାଯିବ । ଆରାବଳୀର ମୋଟ ୮୦୦ କିଲୋମିଟରରୁ ଅଧିକ ପରିଧି ଭିତରେ ୫୫୦ରୁ ଅଧିକ କିମି କ୍ଷେତ୍ର ରାଜସ୍ଥାନରେ ରହିଛି । ବିଶେଷଜ୍ଞଙ୍କ ମତରେ ଆରାବଳୀ କେବଳ ଉଚ୍ଚତା ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ପରିବେଶଗତ ସୁରକ୍ଷା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ସରକାରୀ ରିପୋର୍ଟ ଅନୁସାରେ, ରାଜସ୍ଥାନରେ ଥିବା ଆରାବଳୀର ପ୍ରାୟ ୯୦ ପ୍ରତିଶତ ପର୍ବତ ୧୦୦ ମିଟରୁ ଅଧିକ ଉଚ୍ଚତା ସର୍ତ୍ତ ପାଳନ କରୁନାହାନ୍ତି । ଏହାର ଅର୍ଥ ଏହି ରାଜ୍ୟରେ କେବଳ ୮ରୁ ୧୦ ପ୍ରତିଶତ ପାହାଡ଼ ହିଁ ଆଇନଗତ ଭାବେ ଆରାବଳୀର ଅଂଶ ଭାବେ ପରିଚୟ ପାଇବ | ଏବଂ ବାକି ୯୦ ପ୍ରତିଶତ ପାହାଡ଼ ଏହି ସଂରକ୍ଷଣ ଆଇନରୁ ବାହାରିବ। ତେବେ ଏହାକୁ ନେଇ ପୁରା ଦେଶରେ ଏବେ ଚହଳ ସୃଷ୍ଟି ହୋଇଛି | ପୂରା ରାଜସ୍ଥାନରେ ଆରାବଳୀ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଯାଇଛି ।

