ମୁରିବାହାଲ ବ୍ଳକ୍ ରେ ସରକାରୀ ଯୋଜନା ବାଟବଣା ; ମାନସିକ ଅନଗ୍ରସର ବୃଦ୍ଧଙ୍କୁ ମିଳୁନି ଭତ୍ତା, ପ୍ରଶାସନିକ ଅବହେଳାକୁ ନେଇ ଅସନ୍ତୋଷ !
ବଲାଙ୍ଗୀର,୦୬/୦୪: ସରକାର ଗରିବ ଏବଂ ଅସହାୟଙ୍କ ପାଇଁ ଶହ ଶହ ଯୋଜନା ପ୍ରଣୟନ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ ଦେଖିବାକୁ ମିଳୁଛି। ବଲାଙ୍ଗୀର ଜିଲ୍ଲାର ଜଣେ ମସ୍ତିଷ୍କ ବିକୃତ(ମାନସିକ ଅନଗ୍ରସର) ବୃଦ୍ଧ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇ ରହିବା ପ୍ରଶାସନିକ ସ୍ଥାଣୁତା ଓ ସମ୍ବେଦନହୀନତାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଇଛାପରା ପଞ୍ଚାୟତ କତରଲଗା ଗ୍ରାମରେ ରୁହନ୍ତି ୬୬ ବର୍ଷୀୟ ବୃଦ୍ଧ ନାଥ ନାଗ । ବିକୃତ ମସ୍ତିଷ୍କ (ମାନସିକ ଅନଗ୍ରସର) ଏବଂ ବୃଦ୍ଧ ବୟସ ଯୋଗୁଁ ସେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ବୟସର ଅପରାହ୍ନରେ ସାହାରା ପାଲଟିବାକୁ ଥିବା ସରକାରୀ ‘ମଧୁବାବୁ ପେନସନ୍ ଯୋଜନା’ କିମ୍ବା ଜାତୀୟ ଭତ୍ତା ତାଙ୍କ ପାଖରେ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ବରଂ ଦୀର୍ଘ ମାସ ଧରି ତାଙ୍କର ଭତ୍ତା ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଅଭିଯୋଗ ଅନୁସାରେ, କେତେବେଳେ କାଗଜପତ୍ରର ଅଭାବ ତ କେତେବେଳେ ଅନଲାଇନ୍ ସିରିଏଲ୍ ନମ୍ବର୍ ବ୍ୟବସ୍ଥାର ଆଳ ଦର୍ଶାଇ ସ୍ଥାନୀୟ ପ୍ରଶାସନ ନିଜ ଦାୟିତ୍ୱ ସାରି ଦେଉଛନ୍ତି । ଜଣେ ମାନସିକ ବିକୃତ ବ୍ୟକ୍ତି ନିଜେ କାର୍ଯ୍ୟାଳୟକୁ ଯାଇ ନିଜର ହକ୍ ମାଗିବା ସମ୍ଭବ ନଥିବା ବେଳେ, କ୍ଷେତ୍ର ପରିଦର୍ଶନ କରୁଥିବା ଅଧିକାରୀମାନେ ଏଥିପ୍ରତି କିପରି ଆଖି ବୁଜି ଦେଇଛନ୍ତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ?
“ଜଣେ ଅସହାୟ ବୃଦ୍ଧ ଯିଏ କି ନିଜର ମାନସିକ ସନ୍ତୁଳନ ହରାଇଛନ୍ତି ତାଙ୍କୁ ସରକାରୀ ସୁବିଧା ଯୋଗାଇଦେବା ପ୍ରଶାସନର ନୈତିକ ଦାୟିତ୍ବ। କେବଳ କାଗଜପତ୍ରର ବାହାନା ଦେଖାଇ ଏଭଳି ଲୋକଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରିବା ଅନ୍ୟାୟ,” ବୋଲି ସ୍ଥାନୀୟ ବାସିନ୍ଦା କ୍ଷୋଭର ସହ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ମୁରିବାହାଲ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ (BSSO) ରିଙ୍କୁ ମେହେରଙ୍କୁ ପଚାରିବାରୁ ମୁଁ ଚେଷ୍ଟା କରୁଛି ଯେତେ ଶୀଘ୍ର ତାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ସେନେଇ ମୁଁ ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ତାଙ୍କ ଭତ୍ତା ଆବେଦନକୁ ଦାଖଲ କରି ମଞ୍ଜୁର କରାଇବି ବୋଲି କହିଛନ୍ତି । ତେବେ ଏଥିପ୍ରତି ତୁରନ୍ତ ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଏବଂ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଉକ୍ତ ବୃଦ୍ଧଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା ସହ ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଇଚ୍ଛାପରା ସମିତିସଭ୍ୟ ତୋଫାନ୍ ନାଗ ଅନୁରୋଧ କରିଛନ୍ତି ।

