Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁ ଗଣ୍ଡି ଚୋରା ଚାଲାଣ ବେଳେ ବଲାଙ୍ଗୀର ବନ ବିଭାଗର ଚଢ଼ାଉ, ଚୋରା ଚାଲାଣରେ ବ୍ୟବହୃତ ୭୦୯ ଟ୍ରକ୍ ସମେତ କାର ଜବତ୍ ; ୫ ଗିରଫ ।

ବଲାଙ୍ଗୀର, ୧୪।୪ : ଦିନକୁ ଦିନ ସାରା ବଲାଙ୍ଗୀର ବନଖଣ୍ଡ ଅଧୀନରେ ମୂଲ୍ୟବାନ କେନ୍ଦୁ କାଠ ମାଫିଆଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଆଜି ବଲାଙ୍ଗୀର ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଏକ ଟ୍ରକ୍ ଯୋଗେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ସଇଁତଲା ରେଞ୍ଜ ଝିଙ୍କିଡୁଙ୍ଗୁରୀ ଜଙ୍ଗଲରୁ ବିପୁଳ ପରିମାଣର କେନ୍ଦୁ ଗଣ୍ଡି ଚୋରା ଚାଲାଣ ହେଉଥିବା ନେଇ ବଲାଙ୍ଗୀର ଡି.ଏଫ୍.ଓ ଅଜିତ୍ ବିଶି କୌଣସି ସୂତ୍ରରୁ ଖବର ପାଇଥିଲେ । ଖବରପାଇ ଡି.ଏଫ୍.ଓ ଶ୍ରୀ ବିଶିଙ୍କ ନେତୃତ୍ୱରେ ବଲାଙ୍ଗୀର ସଦର ଫରେଷ୍ଟର ବାସୁଦେବ ସାହୁ ଏବଂ ବନବିଭାଗ କର୍ମଚାରୀଙ୍କ ପକ୍ଷରୁ ବଲାଙ୍ଗୀର ଶିଙ୍ଗଖମନ୍ ନିକଟରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଏହି ଚଢାଉ ବେଳେ ସଂପୃକ୍ତ ବନ ବିଭାଗ ପକ୍ଷରୁ ଚୋରା ଚାଲାଣକାରୀ ୪ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଚୋରାଚାଲାଣରେ ବ୍ୟବହୃତ କେନ୍ଦୁ କାଠଗଣ୍ଡି ବୋଝେଇ CG-10-C-3910 ନମ୍ବର୍ ବିଶିଷ୍ଟ ଗୋଟିଏ ୭୦୯ ଟ୍ରକ୍ ଗାଡ଼ି ସହ ଏହାକୁ ଏସ୍କଟ୍ (Escort) କରୁଥିବା OD-02-C- 0809 ନମ୍ବର୍ ବିଶିଷ୍ଟ ଏକ ସ୍ଵିଫ୍ଟ ଡିଜାୟାର୍ (Swift Desire) କାରକୁ ମଧ୍ୟ ଜବତ୍ କରାଯାଇଥିଲା । ଏହି ଚଢାଉ ବେଳେ ଉକ୍ତ ଘଟଣାରେ ଜଣେ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ସତୀଘାଟ୍ ଗାଁର ମାନସ ଖମାରୀ (୩୫) ଘଟଣା ସ୍ଥଳରୁ ବନ ବିଭାଗ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଫେରାର ହୋଇଯାଇଥିଲା । ପରେ ବଲାଙ୍ଗୀର ବନବିଭାଗ କାର୍ଯ୍ୟାଳୟକୁ ଏହି ଫେରାର ଅଭିଯୁକ୍ତ ମାନସଙ୍କ ଜଣେ ମଧ୍ୟସ୍ଥି ଆସି ସେଠାକାର ଫରେଷ୍ଟର ଶ୍ରୀ ସାହୁଙ୍କୁ ଏହା ମାନସର ବୋଲି କହିବା ସହ ଏହା ରଫାଦଫା କରିଦେବାକୁ ଅନୁରୋଧ କରିଥିଲେ । ତେବେ ମଧ୍ୟସ୍ଥିଙ୍କୁ ଫରେଷ୍ଟର ଶ୍ରୀ ସାହୁ ମାନସକୁ ଅଫିସ୍ କୁ ଡାକ ଆମେ ଏହା ଛାଡ଼ିଦେବୁ ବୋଲି ଆଶା ଦେଖାଇ ଥିଲେ । ଏହାପରେ ମାନସ ବଲାଙ୍ଗୀର ବନ ବିଭାଗ କାର୍ଯ୍ୟାଳୟ ଗେଟ୍ ସାମ୍ନାକୁ ଆସି ପୁଣି ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିବା ବେଳେ ସଂପୃକ୍ତ ବନବିଭାଗ କର୍ମଚାରୀ ସ୍ଥାନୀୟ ବିଇଡି କଲେଜ ପାଖରେ ମାନସକୁ ମାଡ଼ି ବସି କାବୁ କରିବା ସହ ଗିରଫ କରିଥିବା ନେଇ ଫରେଷ୍ଟର ଶ୍ରୀ ସାହୁ କହିଛନ୍ତି । ତେବେ ଏହି ଘଟଣାରେ ବନ ବିଭାଗର ଚଢ଼ାଉ ବେଳେ ଗିରଫ ହୋଇଥିବା ଅନ୍ୟ ୪ ଅଭିଯୁକ୍ତ ମାନେ ହେଲେ:- (୧) ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଘେଁସ ଗାଁର ଲୋକନାଥ ସାବତ (୩୫), (୨) ବରଗଡ଼ ଜିଲ୍ଲା ସୋହେଲା ଥାନା ପଣ୍ଡକିପାଲି ଗାଁର ସୁରେଶ ଭୋଇ (୪୪), (୩) ବରଗଡ଼ ଜିଲ୍ଲା ସୋହେଲା ଥାନା ତବଡା ଗାଁର ସୁଶିଲ ସେଠ୍ (୪୫), (୪) ବରଗଡ଼ ଜିଲ୍ଲା ବିଜେପୁର ଥାନା ଫୁଲେରପାଲି ଗାଁର ଦେବେନ୍ଦ୍ର ମହାପାତ୍ର (୫୬) ବୋଲି ଅଭିଯୁକ୍ତ ମାନେ ଜେରା ବେଳେ ନିଜର ପରିଚୟ ଦେଇଛନ୍ତି । ଘଟଣାରେ ୧୫୦ ଖଣ୍ଡ କେନ୍ଦୁ ଗଣ୍ଡି ଜବତ୍ କରାଯାଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷରୁ ୪ ଲକ୍ଷ ଟଙ୍କା ହେବ ବୋଲି ସଂପୃକ୍ତ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢ଼ାଉ ପରେ ସ୍ଥାନୀୟ ଅଞ୍ଚଳର କାଠ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରକାଶ ଥାଉକି ବଲାଙ୍ଗୀର ବନଖଣ୍ଡ ଅଧିନସ୍ଥ ସଇଁତଲା ଏବଂ ମୁରିବାହାଲ ରେଞ୍ଜ ଅଞ୍ଚଳର ଜଙ୍ଗଲରୁ ସ୍ଥାନୀୟ କିଛି ପେସାଦାର କାଠ ମାଫିଆ ମାନେ ସେଠାକାର ବନ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସହଯୋଗରେ ନୀତି ତମାମ୍ ମୂଲ୍ୟବାନ୍ କେନ୍ଦୁ କାଠ ଗଣ୍ଡି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏପରିକି ମୁରିବାହାଲ ରେଞ୍ଜ ଅଞ୍ଚଳର ଜଣେ ବିଭାଗୀୟ କରିତ୍ କର୍ମା ବାବୁ ସ୍ଥାନୀୟ ଅଞ୍ଚଳର କେନ୍ଦୁ କାଠ ଗଣ୍ଡି ଚୋରା ଚାଲାଣକାରୀ ମାଫିଆଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କୁ ଏଥିରେ ସହଯୋଗ କରୁଥିବା ନେଇ ବିଭାଗୀୟ ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ । ବଲାଙ୍ଗୀର ଡି.ଏଫ୍.ଓ ସଂପୃକ୍ତ ବିଭାଗୀୟ ବାବୁଙ୍କ ପ୍ରତି ଦୃଷ୍ଟି ଦେଇ ତାଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜଙ୍ଗଲର ମୂଲ୍ୟବାନ ପ୍ରାକୃତିକ ସମ୍ପଦକୁ ରକ୍ଷା କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ