ଶୋଷିଲା ପଡ଼ିଆ, ନିଦ୍ରାରେ ପ୍ରଶାସନ: ପାଣି ମୁନ୍ଦାଏ ପାଇଁ କ୍ରୀଡ଼ାବିତ୍ଙ୍କ ଚିତ୍କାର ।
ବଲାଙ୍ଗିର, ୧୫।୪ : ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା। ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଅଧୀନ ଏକ ଖେଳ ପଡ଼ିଆରେ ପାନୀୟ ଜଳର ଘୋର ଅଭାବ ଯୋଗୁଁ କ୍ରୀଡ଼ାବିତ୍ ମାନେ ଅକଥନୀୟ କଷ୍ଟ ଭୋଗୁଛନ୍ତି। ଦୁର୍ଭାଗ୍ୟର ବିଷୟ, ଖେଳ ପଡିଆ ଶୋଷିଲା ପଡିଥିବା ବେଳେ ସବୁ ଜାଣିଶୁଣି ମଧ୍ୟ ସ୍ଥାନୀୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ପରି ମନେ ହେଉଛି। ଅଭିଯୋଗ ଅନୁସାରେ, ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଲେବଡ଼ା ପଞ୍ଚାୟତର ଟଟୋପରା ବାପୁଜୀ ଯୁବକ ସଂଘ ଖେଳ ପଡ଼ିଆରେ ପାଇବା ପାଣିର ଘୋର ଅଭାବ ଦେଖା ଦେଇଛି । ପ୍ରତିଦିନ ସକାଳୁ ଶତାଧିକ ଆଶାୟୀ ଖେଳାଳି ଓ ସେନା ବାହିନୀରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା ଯୁବକ ମାନେ ଏହି ପଡ଼ିଆରେ ଝାଳ ବୁହାଉଛନ୍ତି। ମାତ୍ର ଶୋଷ ଲାଗିଲେ ସେମାନଙ୍କୁ ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ଭୋଗିବାକୁ ପଡୁଛି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଖରାଦିନେ ଏହି ଖେଳ ପଡ଼ିଆରେ ପାଣି ନଥିବା ସମସ୍ୟା ଅଧିକ ଗୁରୁତର ରୂପ ନେଉଛି । ପିଲାମାନେ ଓ ଯୁବକମାନେ ଖେଳ ସମୟରେ ଶୋଷ ମେଣ୍ଟାଇବା ପାଇଁ ଦୂର ଦୂରନ୍ତରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି । ଏହା ସହିତ ଏହି ଅଞ୍ଚଳରେ ଯେକୌଣସି କ୍ରୀଡା ପ୍ରତିଯୋଗିତା, ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ ଏହି ଖେଳ ପଡ଼ିଆରେ ଆୟୋଜନ କରିବାକୁ ହେଲେ ପିଇବା ପାଣି ସମସ୍ୟା ବାଧା ସୃଷ୍ଟି କରୁଛି । ଗ୍ରାମବାସୀ ମାନେ ଏହି ସମସ୍ୟାକୁ ନେଇ ଅନେକ ଥର ମୁରିବାହାଲ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସମେତ ବ୍ଲକ୍ ପ୍ରଶାସନର ନଜରକୁ ଆଣିଥିବା କହିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ସମାଧାନ ହୋଇନାହିଁ । ଫଳରେ ଏହାକୁ ନେଇ ଟଟୋପରା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ପ୍ରଶାସନର ଏଭଳି ନିରୁତ୍ସାହ ଜନକ ମନୋଭାବ ଯୋଗୁଁ ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯଦି ଆସନ୍ତା କିଛି ଦିନ ମଧ୍ୟରେ ପଡ଼ିଆ ପରିସରରେ ପାନୀୟ ଜଳର ସ୍ଥାୟୀ ସମାଧାନ କରା ନଯାଏ, ତା’ହେଲେ ଆଗାମୀ ଦିନରେ ନିଜର ମୌଳିକ ଅଧିକାର ପାଇଁ ସଂପୃକ୍ତ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠୀଙ୍କୁ ଯୋଗାଯୋଗ କରାଯାଇ ଥିବା ବେଳେ ସେ ଫୋନ୍ କଲ୍ ଉଠାଇ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ଟଟୋପରା ଗ୍ରାମବାସୀଙ୍କ ଦାବୀ ପୂରଣ କରିବାରେ ତଥା ଏହି ଖେଳ ପଡ଼ିଆରେ ପ୍ରତିଦିନ ଖେଳ କୁଦ କରୁଥିବା ଖେଳାଳିଙ୍କ ଶୋଷ ମେଣ୍ଟାଇବାକୁ କେବେ ପ୍ରଶାସନର ନିଦ ଭାଙ୍ଗୁଛି, ତାହା ଏବେ ଦେଖିବାକୁ ବାକି ରହିଲା।

