ଗ୍ରାମର ମୁଖ୍ୟ ଛକରେ ମୃତ୍ୟୁର ଯନ୍ତା, କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ୍ ବିଭାଗ ; ଅଘଟଣକୁ ଅପେକ୍ଷା କରିଛି କି ପ୍ରଶାସନ ?
ବଲାଙ୍ଗୀର,୧୭।୪: ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଏବେ ସୀମା ଟପିଛି। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଗୋଇମୁଣ୍ଡ୍ ପଞ୍ଚାୟତର ଝିଙ୍କିଡୁଙ୍ଗୁରୀ ଗାଁ ମୁଖ୍ୟ ରାସ୍ତା ଛକରେ ଦୀର୍ଘ ଦିନ ଧରୀ ଏକ ବିପଦ ସଙ୍କୁଳ ଟ୍ରାନ୍ସଫର୍ମର ଖୋଲା ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛନ୍ତି। ବାରମ୍ବାର ଦାବୀ ଏବଂ ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆନଯିବା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଏହି ଗ୍ରାମର ମୁଖ୍ୟ ଛକଟି ଜନଗହଳିପୂର୍ଣ୍ଣ ଅଞ୍ଚଳ। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକଙ୍କ ସମେତ ସ୍କୁଲ ଛାତ୍ରଛାତ୍ରୀ ଯାତାୟାତ କରନ୍ତି। ମାତ୍ର ରାସ୍ତା କଡ଼ରେ ଥିବା ଏହି ଟ୍ରାନ୍ସଫର୍ମରଟି ଅତ୍ୟନ୍ତ ନିମ୍ନରେ ଥିବା ବେଳେ ଏହାର ଚାରିପଟେ କୌଣସି ସୁରକ୍ଷା ବେଢ଼ା ନାହିଁ। ବାରମ୍ବାର ବିଦ୍ୟୁତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇବା ପରେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ନିଦ ଭାଙ୍ଗୁନାହିଁ।
ଟ୍ରାନ୍ସଫର୍ମରରୁ ବାହାରିଥିବା ଖୋଲା ତାର ଗୁଡ଼ିକ ଏତେ ନିମ୍ନରେ ଝୁଲୁଛି ଯେ, ଯେକୌଣସି ମୁହୂର୍ତ୍ତରେ ପଥଚାରୀ, ଛାତ୍ରଛାତ୍ରୀ ବା ଯାନବାହନ ଏହାର ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଛି ।
ପୂର୍ବରୁ ଅନେକ ସ୍ଥାନରେ ଏଭଳି ଅବହେଳା ଯୋଗୁଁ ଗୋରୁଗାଈ ପ୍ରାଣ ହରାଇଥିବା ନଜିର ରହିଛି। ଏଠାରେ ମଧ୍ୟ ସମାନ ସ୍ଥିତି ଉପୁଜିବାର ଭୟ ରହିଛି । ଏନେଇ ସଂପୃକ୍ତ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ “ଉପରୁ ନିର୍ଦ୍ଦେଶ ଆସିଲେ ହେବ” କିମ୍ବା “ବଜେଟ ନାହିଁ” କହି ବିଭାଗୀୟ ଅଧିକାରୀମାନେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଉଥିବା ଅଭିଯୋଗ କରିଛନ୍ତି। “ଆମେ ବାରମ୍ବାର ଗୁହାରି କରି ଥକିଗଲୁଣି, ବିଦ୍ୟୁତ ବିଭାଗ କ’ଣ କୌଣସି ମୃତ୍ୟୁକୁ ଅପେକ୍ଷା କରିଛି କି ” ? ବୋଲି ଜଣେ ସ୍ଥାନୀୟ ବ୍ୟକ୍ତି କ୍ଷୋଭର ସହ ପ୍ରକାଶ କରିଛନ୍ତି। ଯଦି ଆସନ୍ତା କିଛି ଦିନ ମଧ୍ୟରେ ଏହି ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର କରାନଯାଏ କିମ୍ବା ସୁରକ୍ଷା ବାଡ଼ ନିର୍ମାଣ ନହୁଏ, ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ବିଦ୍ୟୁତ୍ ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ସ୍ଥାନୀୟ ପ୍ରଶାସନ ଓ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏନେଇ କଣ୍ଟାବାଞ୍ଜି ବିଦ୍ୟୁତ୍ ବିଭାଗର ବିଭାଗୀୟ ଏସ୍.ଡି.ଓ ସଞ୍ଜୟ ତିର୍କୀଙ୍କୁ ଯୋଗାଯୋଗ କରିବାରୁ ସଂପୃକ୍ତ ଗ୍ରାମବାସୀ ତାଙ୍କ ଦାବୀ ସମ୍ପର୍କିତ ପୂର୍ବରୁ ଅଭିଯୋଗ କରିଥିବା ଦାବୀପତ୍ର ଯଦି ଅଛି ତା’ହେଲେ ଆମକୁ ଦିଅନ୍ତୁ । କିମ୍ବା ଯଦି ନାହିଁ ବର୍ତ୍ତମାନ ଏନେଇ ନୂତନ ଦାବୀପତ୍ର ସଂପୃକ୍ତ ଗ୍ରାମବାସୀ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କୁ ଦେଲେ ଆମେ ଏନେଇ ଉଚ୍ଚ ଅଧିକାରୀଙ୍କ ଠାରେ ତାହା ଦାଖଲ କରି ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବୁ ବୋଲି କହିଛନ୍ତି ।

