ମୁରିବାହାଲ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ; ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ସମିତିସଭ୍ୟଙ୍କ ଅସନ୍ତୋଷ ।
ବଲାଙ୍ଗୀର, ୧୮।୪: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ବୈଠକ ନିଜସ୍ୱ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିପିଡିଓ ପ୍ରସନ୍ନ ନାଗ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ବୈଠକର ପ୍ରାରମ୍ଭରୁ ସାଂସଦଙ୍କ ସ୍ଥାନୀୟ ବ୍ଲକ୍ ପ୍ରତିନିଧି ଶ୍ରୀବତ୍ସ ବେହେରା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଫଳ ରୂପାୟନ ନେଇ ବୈଠକରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ନିର୍ବାଚିତ ଜନ ପ୍ରତିନିଧିଙ୍କ ସହଯୋଗ ଲୋଡିଥିଲେ । ଏହାପରେ ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ବ୍ଲକ୍ ଅଧୀନ ଗୋଇମୁଣ୍ଡ ପଞ୍ଚାୟତର ଝିଙ୍କିଡୁଙ୍ଗୁରୀ ଗାଁ ଛକରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏକ ଟ୍ରାନ୍ସ ଫରମର ରହିଛି । ସଂପୃକ୍ତ ଗ୍ରାମବାସୀଙ୍କ ଉକ୍ତ ବିଦ୍ୟୁତ୍ ଟ୍ରାନ୍ସଫରର୍ମର କୁ ସ୍ଥାନାନ୍ତର ଦାବୀ କରିଥିଲେ । ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିବା ବେଳେ ଏ ସଂପର୍କରେ ବୈଠକରେ ଉପସ୍ଥିତ ସ୍ଥାନୀୟ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ମହମ୍ମଦ ଜୁନେଦଙ୍କୁ ବିଡ଼ିଓ ବାସନ୍ତୀ ସେଠୀ ଦୃଷ୍ଟି ଆକର୍ଷଣ କରିଥିଲେ । ହଳଦୀ ସମିତିସଭ୍ୟ ଟୁନାମଣୀ ମହାନନ୍ଦ ୨୦୨୫-୨୬ ରେ ଦିଆଯାଇଥିବା ପ୍ରକଳ୍ପ ଗୁଡ଼ିକର ପ୍ରସ୍ତାବ ଅନୁମୋଦନ ହୋଇଥିଲେ ସୁଦ୍ଧା କାହିଁକି ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ତାହାର ଉତ୍ତର ବ୍ଲକ୍ ଅଧ୍ୟକ୍ଷ ରଖନ୍ତୁ ବୋଲି ପ୍ରକାଶ କହିଥିଲେ । ଏହାର ଉତ୍ତରରେ ବ୍ଲକ୍ ର ସହକାରୀ ଯନ୍ତ୍ରୀ ଅଭିନାଶ ମୋଦୀ ୨୦୨୫-୨୬ ଆର୍ଥିକ୍ ବର୍ଷର ୧୨୪ ଗୋଟିରୁ ଅଧିକ ପ୍ରକଳ୍ପ ଗତ ମାର୍ଚ୍ଚ ମାସରେ ଅନୁମୋଦନ ହୋଇ ଆସିଥିବା ବେଳେ ବର୍ତମାନ ତାହା ନୂତନ ଭାବେ ପଞ୍ଚାୟତିରାଜ୍ ପେମେଣ୍ଟ ମେନେଜମେଣ୍ଟ ସିଷ୍ଟମ୍ (PPMS) ରେ ସବୁତକ ଅନଲାଇନ୍ ହେବା ସହ ସବୁଠୀ ଜିଓଟେଗ କରିବାକୁ ପଡୁଥିବାରୁ ସେଗୁଡିକ କାର୍ଯ୍ୟକାରୀ ହେବାରେ ବିଳମ୍ୱ ହେଉଛି ବୋଲି କହିଥିଲେ । ଲଖନା ସମିତିସଭ୍ୟ ଭୀମସେନ୍ ବାଗ ତାଙ୍କ ପଞ୍ଚାୟତର ରୁଗୁଡ଼ିମୁଣ୍ଡାରେ ଆଜି ପର୍ଯ୍ୟନ୍ତ କୌଣସି ମାଟି ଉନ୍ନତିକରଣ ନହୋଇ ତଥା ଉକ୍ତ ମୁଣ୍ଡାରେ ପାଣି ନଥିବା ବେଳେ ସେଠାରେ ୪ ଲକ୍ଷରୁ ଅଧିକ ଟଙ୍କା ଅଟକଳ ମୂଲ୍ୟର ଗାଧୁଆ ପାହାଚ ନିର୍ମାଣ କେଉଁ କାମକୁ ବୋଲି ପ୍ରଶ୍ନ କରିଥିଲେ । ଏଥିସହ ଲଖନା ଗ୍ରାମ ପଞ୍ଚାୟତ ଠାରୁ ଲଖନା ଗାଁକୁ ମନରେଗା ଯୋଜନାରେ ରାସ୍ତା କାମ ସରି ନଥିବା ବେଳେ ସେହି ରାସ୍ତାରେ ନୂତନ ଭାବେ ପେଭର ବ୍ଲକ୍ କାମ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।
ସେହିପରି ମୁରିବାହାଲ ବ୍ଲକ୍ ସଦର ପଞ୍ଚାୟତର ସମିତିସଭ୍ୟ ଚକ୍ରଧର ହେର୍ଣ୍ଣା ମୁଁ ଧୋତି ପିନ୍ଧା ଲୋକ ବୋଲି ଆପଣ ମାନେ ମତେ ପାକିସ୍ତାନର ଲୋକ ଭାବନ୍ତୁ ନାହିଁ ବୋଲି ବ୍ଲକ୍ ଅଧ୍ୟକ୍ଷଙ୍କୁ ସିଧା ସଳଖ ଟାର୍ଗେଟ୍ କରିବା ସହ ମୋର ସମିତି ସେୟାର କାମ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ । ଏଥିସହ ଶ୍ରୀ ହେର୍ଣ୍ଣା ଅନେକ ପ୍ରକଳ୍ପ ଗୁଡ଼ିକର ବିଲ୍ ବିନା କାମରେ କରାଯାଇଛି ବୋଲି ଗୁରୁତର ଅଭିଯୋଗ କରିଥିଲେ । ପରେ ସେ ବୈଠକରେ ଉପସ୍ଥିତ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଯନ୍ତ୍ରୀ ବିଶ୍ୱଜିତ୍ ଜେନାଙ୍କୁ ମୁରିବାହାଲ ସଦର ପଞ୍ଚାୟତର ହାଟପଦା ପଡ଼ା ଏବଂ ବସ୍ତି ପଡ଼ାର ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ଗୋଟିଏ ନଳକୂପ ଖୋଲାଯିବାକୁ ପ୍ରସ୍ତାବ ଦେଇଥିଲେ । ବିଳମ୍ବରେ ହେଲେ ବି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏହି ବୈଠକରେ ପହଞ୍ଚି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ଲୋକାଭିମୁଖୀ ଯୋଜନା ଗୁଡ଼ିକର ସଫଳ କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋକପାତ କରିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଉପାଧ୍ୟକ୍ଷାଙ୍କ ସମେତ କଣ୍ଟାବାଞ୍ଜି ବିଧାୟକଙ୍କ ମୁରିବାହାଲ ବ୍ଲକ୍ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ଏବଂ ଏହି ବ୍ଲକ୍ ଅଧୀନର ଅଧିକାଂଶ ବିଭାଗୀୟ ଅଧିକାରୀ,ସରପଞ୍ଚ ଏବଂ ସମିତିସଭ୍ୟ ମାନେ ଉପସ୍ଥିତ ରହି ଏହି ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମୁରିବାହାଲ ବ୍ଲକ୍ ସହକାରୀ ଯନ୍ତ୍ରୀ ଶ୍ରୀ ମୋଦୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

