Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ; ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ରକୁ ଆହୁରି ୪ ଦିନ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।

ବଲାଙ୍ଗୀର,୨୧।୪: ଜିଲ୍ଲାରେ କ୍ରମାଗତ ଭାବେ ବଢ଼ୁଥିବା ପାରଦ ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବଲାଙ୍ଗୀର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଆହୁରି ୪ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କାର୍ଯ୍ୟାଳୟ, ବଲାଙ୍ଗୀର (ଜରୁରୀକାଳୀନ ଶାଖା) ନିର୍ଦ୍ଦେଶ ସଂଖ୍ୟା: ୫୨୦ /Emg. V-09/2026 ତାରିଖ: ୨୧/୦୪/୨୦୨୬ ରେ ଏପ୍ରିଲ୍ ୨୨ ତାରିଖରୁ ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି । ଛାତ୍ରୀଙ୍କ ପାଠପଢ଼ାରେ ଯେପରି ବ୍ୟାଘାତ ନହେବ, ସେଥିପାଇଁ ଶିକ୍ଷକ ଓ ଅଧ୍ୟାପକମାନେ ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ଅନ୍‌ଲାଇନ୍ ଜରିଆରେ କ୍ଲାସ୍ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସୂଚୀବଦ୍ଧ ହୋଇଥିବା ପରୀକ୍ଷାଗୁଡ଼ିକ ନିର୍ଦ୍ଧାରିତ ସମୟ ଅନୁଯାୟୀ ଜାରି ରହିବ ବୋଲି ନିର୍ଦ୍ଦେଶ ରହିଛି ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଛୋଟ ପିଲା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ଏହି ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ରନ୍ଧା ଖାଦ୍ୟ ପରିବର୍ତ୍ତେ ‘ଟେକ୍ ହୋମ୍ ରାସନ୍’ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅତ୍ୟଧିକ ଖରାରୁ ବର୍ତ୍ତିବା ପାଇଁ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଗ୍ରୀଷ୍ମ ପ୍ରବାହ ନିୟମାବଳୀ (Heatwave protocol) ଅନୁସରଣ କରି ନିଜର କାର୍ଯ୍ୟ ଜାରି ରଖିବେ। ତଥାପି, ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷାଗୁଡ଼ିକ ପରିଚାଳିତ ହେବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories