ଡି.ଏଫ୍.ଓ ଙ୍କ ନିର୍ଦ୍ଦେଶରେ ଚୋରାଚାଲାଣ ପାଇଁ ରଖାଯାଇଥିବା ଖଇର କାଠ ଜବତ୍; ପଦାରେ ପଡ଼ିଲା ସ୍ଥାନୀୟ ବନ କର୍ମଚାରୀଙ୍କ ‘ମାସିକିଆ’ ବୁଝାମଣା ।
ବଲାଙ୍ଗୀର,୨୧।୪: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଧିନରେ ଆଜି ଚୋରାଚାଲାଣ ପାଇଁ ଗଚ୍ଛିତ ରଖା ଯାଇଥିବା ବିପୁଳ ପରିମାଣର ଖଇର କାଠକୁ ଜବତ୍ କରିଛି ସ୍ଥାନୀୟ ବନ ବିଭାଗ । ସୂଚନା ଅନୁସାରେ, ଆଜି ମୁରିବାହାଲ ରେଞ୍ଜ ଗୁଲମି ଜଙ୍ଗଲରୁ ବିପୁଳ ପରିମାଣର ଖଇର କାଠ ଚୋରାଚାଲାଣ ପାଇଁ ରଖାଯାଇଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ବଲାଙ୍ଗୀର ଡି.ଏଫ୍.ଓ ଅଜିତ୍ ବିଶିି । ଏନେଇ ସେ ବଲାଙ୍ଗୀର ବନଖଣ୍ଡର ମୋବାଇଲ ସ୍କ୍ୱାର୍ଡକୁ ଘଟଣା ସ୍ଥଳକୁ ପଠାଇବା ସହ ମୁରିବାହାଲ ରେଞ୍ଜର ପି. କୁମ୍ଭାରଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ମୁରିବାହାଲ ରେଞ୍ଜରଙ୍କ ନେତୃତ୍ୱରେ ଗୁଲମୀ ଫରେଷ୍ଟର ସତ୍ୟମ୍ ମହାନ୍ତି, ଡ଼ଙ୍ଗାବାଞ୍ଜି ଫରେଷ୍ଟର ମନୋଜ୍ ଦଣ୍ଡସେନା, ମୁରିବାହାଲ ଫରେଷ୍ଟର ଧୃବ ବଗର୍ତ୍ତୀ, ଫରେଷ୍ଟ ଗାର୍ଡ ଧରିତ୍ରୀ ବାରିକ୍, ନିଲୁ ବରିହାଙ୍କ ସମେତ ମୁରିବାହାଲ ରେଞ୍ଜ ଅଧୀନର ସମସ୍ତ ଆଇ.ପି.ସି.ଇ.ଏ ସ୍କ୍ୱାର୍ଡ ଆଜି ସକାଳ ପ୍ରାୟ ୧୦ ଟାରେ ମୁରିବାହାଲ ରେଞ୍ଜ ଅଧିନ ବାରବନ୍ଧ କେନ୍ଦୁପତ୍ର ଫଡ଼ି ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ଚଢାଉ କରିଥିଲେ । ଚଢ଼ାଉ ବେଳେ ସଂପୃକ୍ତ ଚାଷ ଜମିରେ ଚୋରା ଚାଲାଣ ପାଇଁ କଟା ହୋଇ ଗଚ୍ଛିତ ରଖାଯାଇଥିବା ୧୦ ରୁ ୧୫ କ୍ଵିଣ୍ଟାଲ ମୂଲ୍ୟବାନ ଖଇର କାଠକୁ ଜଙ୍ଗଲ ବିଭାଗ ଜବତ୍ କରିଥିବା ବେଳେ ଏଥିରେ ସଂପୃକ୍ତ ଚୋରା ଚାଲାଣକାରୀଙ୍କ ଟେର୍ ସୁଦ୍ଧା ପାଇ ପାରିନି ଚଢ଼ାଉକାରୀ ବନବିଭାଗ। ତେବେ ଜବତ୍ ହୋଇଥିବା ଖଇର କାଠର ଆନୁମାନିକ ବଜାର ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାରେ ଜଙ୍ଗଲ ସୁରକ୍ଷା ନାଁରେ ସ୍ଥାନୀୟ ବନ ବିଭାଗର ‘ଚୋରାପ୍ରୀତି’ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚଢ଼ାଉ ପଛରେ ସ୍ଥାନୀୟ ବନ ଅଧିକାରୀ ନୁହେଁ, ବରଂ ବନଖଣ୍ଡ ଅଧିକାରୀ (DFO) ଙ୍କ ସିଧାସଳଖ ହସ୍ତକ୍ଷେପ ରହିଥିବା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ସ୍ଥାନୀୟ ବନ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠି ପ୍ରଶ୍ନ ଉଠୁଛି ସ୍ଥାନୀୟ ଅଧିକାରୀଙ୍କୁ କାହିଁକି ଏଡ଼ାଇ ଯାଉଛନ୍ତି ସୂଚନା ପ୍ରଦାନକାରୀ ? ସାଧାରଣତଃ କୌଣସି ବେଆଇନ କାର୍ଯ୍ୟର ସୂଚନା ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଥାଏ। କିନ୍ତୁ ସାମ୍ପ୍ରତିକ ଘଟଣା ମାନଙ୍କରେ ଦେଖିବାକୁ ମିଳୁଛି ଯେ, ସୂଚନାଦାତା ମାନେ ସ୍ଥାନୀୟ ରେଞ୍ଜର ବା ଫରେଷ୍ଟରଙ୍କୁ ଭରସା ନକରି ସିଧାସଳଖ ଉପରିସ୍ଥ ଅଧିକାରୀ (DFO) ଙ୍କ ସହ ଯୋଗାଯୋଗ କରୁଛନ୍ତି। ଏହା ପଛର କାରଣ ଅତି ସ୍ପଷ୍ଟ । ସୂଚନା ପ୍ରଘଟ ହେବାର ଭୟ ଏବଂ ବିଭାଗୀୟ ଅଧିକାରୀଙ୍କ ଚୋରା ମାଫିଆଙ୍କ ସହ ଥିବା ଅସାଧୁ ମେଣ୍ଟ। ଅଭିଯୋଗ ହେଉଛି ଯେ, ସୂଚନାଦାତା ଜଣକ ସ୍ଥାନୀୟ ଅଫିସକୁ ଖବର ଦେବା ମାତ୍ରେ ସେହି ଖବର ଚୋରା କାରବାର କରୁଥିବା ମାଫିଆଙ୍କ ପାଖରେ ପହଞ୍ଚି ଯାଉଛି। ଫଳରେ ବନ ବିଭାଗ ପହଞ୍ଚିବା ପୂର୍ବରୁ ଅପରାଧୀ ମାନେ ଛତ୍ରଭଙ୍ଗ ଦେଉଛନ୍ତି। ଚୋରା କାରବାର କରୁଥିବା ମାଫିଆ ଓ ସ୍ଥାନୀୟ ବନ କର୍ମଚାରୀଙ୍କ ମଧ୍ୟରେ ‘ମାସିକିଆ’ ବୁଝାମଣା ଯୋଗୁଁ ଅନେକ ସମୟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସୂଚନାଦାତାଙ୍କ ପରିଚୟ ଗୋପନ ରଖିବାରେ ସ୍ଥାନୀୟ ବିଭାଗୀୟ ଅଧିକାରୀମାନେ ବିଫଳ ହେଉଥିବାରୁ ଲୋକେ ଏବେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ଜଙ୍ଗଲରୁ ଖଇର କାଠ କଟାଯାଇ ଚୋରା ଚାଲାଣ ପାଇଁ ଲୁଚାଇ ରଖାଯାଇଥିଲା। DFO ଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ଏହାକୁ ଜବତ୍ କରାଯାଇଛି । ଯଦିଓ କାଠ ଜବତ୍ ହୋଇଛି, କିନ୍ତୁ ପ୍ରକୃତ ମାଫିଆ ମାନେ ଏବେ ବି ଧରାଛୁଆଁ ବାହାରେ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ସ୍ଥାନୀୟ କର୍ମଚାରୀଙ୍କ ଛତ୍ରଛାୟା ତଳେ ଏହି କାରବାର ଫୁଲୁଛି ଫଳୁଛି । ଜଙ୍ଗଲ ସମ୍ପଦକୁ ରକ୍ଷା କରିବା ପାଇଁ ଯଦି ରକ୍ଷକ ହିଁ ଭକ୍ଷକ ସାଜିବେ, ତେବେ ଆଗାମୀ ଦିନରେ ମୂଲ୍ୟବାନ ଜଙ୍ଗଲ ସମ୍ପଦ ସମ୍ପୂର୍ଣ୍ଣ ଲୋପ ପାଇଯିବ। ସ୍ଥାନୀୟ ଅଧିକାରୀଙ୍କ ଏଭଳି ସନ୍ଦେହଜନକ ଭୂମିକା ଉପରେ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

