ବଲାଙ୍ଗିରରେ ‘ଭାରତ ବନ୍ଦ’ ର ବ୍ୟାପକ ପ୍ରଭାବ, ସ୍ତବ୍ଧ ହେଲା ସହର ।
ବଲାଙ୍ଗିର,୨୩।୪: ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଉଥିବା ଅଭିଯୋଗରେ ଆଜି ‘ଭାରତ ମୁକ୍ତି ମୋର୍ଚ୍ଚା’ ଏବଂ SC/ST ଓ OBC ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ବ୍ୟାପକ ପ୍ରଭାବ ବଲାଙ୍ଗିର ସହରରେ ଦେଖିବାକୁ ମିଳିଛି। ଏନେଇ ଆଜି ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ସହରର ବିଭିନ୍ନ ପ୍ରମୁଖ ଛକ ମାନଙ୍କରେ ପିକେଟିଂ ଆରମ୍ଭ କରିଥିଲେ। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବନ୍ଦ ପ୍ରଭାବରେ ସହରର ବଜାର ଓ ଦୋକାନ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ମାନେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହାକୁ ବନ୍ଦ କରିଦେଇଛନ୍ତି। ଏହା ସହିତ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯିବା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ସହ ଏକ ମଜବୁତ ୟୁଜିସି (UGC) ବିଲ୍ ଲାଗୁ କରିବା ଦାବିରେ ଏହି ବନ୍ଦ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଏହି ମୁକ୍ତି ମୋର୍ଚ୍ଚା ଗୁଡ଼ିକ ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ସାଧାରଣ ଲୋକଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି।

