ବଲାଙ୍ଗିର ଗ୍ରାମ୍ୟ ନିର୍ମାଣ ବିଭାଗରେ ‘ଟେଣ୍ଡର ଫିକ୍ସିଂ’ ମହାଭାରତ; ଜିଲ୍ଲାପାଳଙ୍କ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାଦ୍ ପଡ଼ିଥିବା ଠିକାଦାର
ବଲାଙ୍ଗିର,୨୩।୪: ବଲାଙ୍ଗିର ଗ୍ରାମ୍ୟ ନିର୍ମାଣ ମଣ୍ଡଳ (RD Department) ରେ ଚାଲିଛି କି ବଡ଼ଧରଣର ଚଞ୍ଚକତା? ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ‘ଟେଣ୍ଡର ଫିକ୍ସିଂ’ ହୋଇଥିବା ନେଇ ଆସିଥିବା ଅଭିଯୋଗ ଏବେ ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଜଣେ ଠିକାଦାରଙ୍କୁ ବେଆଇନ ଭାବେ ପ୍ରକ୍ରିୟାରୁ ବାଦ୍ ଦିଆଯିବା ଘଟଣା ଏବେ ପ୍ରଶାସନିକ ସ୍ତରରୁ ଯାଇ ହାଇକୋର୍ଟରେ ପହଞ୍ଚିଛି। ବଲାଙ୍ଗିର ହାଟପଦା ପଡାର ଠିକାଦାର ମହମ୍ମଦ ସାକିଲ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଏକ ଟେଣ୍ଡର ପ୍ରକ୍ରିୟାରେ ସେ ସାମିଲ ହୋଇଥିଲେ। ମାତ୍ର ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶୁକଦେବ ମହାଳି ଏହି ଟେଣ୍ଡର ପ୍ରକ୍ରିୟାର ମାଷ୍ଟର ମାଇଣ୍ଡ୍ ସାଜି ତାଙ୍କୁ ଚଞ୍ଚକତା କରି ବାଦ୍ ଦେଇଛନ୍ତି। ଏଥିରେ ଅବସରପ୍ରାପ୍ତ ମୁଖ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ ବିରେନ୍ଦ୍ର ତ୍ରିପାଠୀ ସମ୍ପୃକ୍ତ ରହି ସହଯୋଗ କରୁଥିବା ନେଇ ଶ୍ରୀ ସାକିଲ ଅଭିଯୋଗ କରିଛନ୍ତି। ବିଭାଗୀୟ ସ୍ତରରେ ନ୍ୟାୟ ନମିଳିବାରୁ ଅଭିଯୋଗକାରୀ ଠିକାଦାର ପ୍ରଥମେ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ତଥାପି କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇ ନଥିବାରୁ, ସେ ଏବେ ନ୍ୟାୟ ପାଇଁ ମାନ୍ୟବର ହାଇକୋର୍ଟଙ୍କ ଶରଣାପନ୍ନ ହୋଇଛନ୍ତି। ଏହି ଟେଣ୍ଡର ପ୍ରକ୍ରିୟାରେ ତାଙ୍କର ସମସ୍ତ ଯୋଗ୍ୟତା ଥିବା ବେଳେ ତାଙ୍କୁ ଏଥିରୁ ବାଦ୍ ଦେଇ ସଂପୃକ୍ତ ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିଜ ପସନ୍ଦର ବ୍ୟକ୍ତିଙ୍କୁ ଟେଣ୍ଡର ଟେକି ଦେବା ପାଇଁ ଏହି ଫିକ୍ସିଂ କରାଯାଇଥିବା ସେ ନିଜ ଆବେଦନରେ ଦର୍ଶାଇଛନ୍ତି। ଅନ୍ୟପଟେ ନିଜ ଉପରେ ଆସିଥିବା ସମସ୍ତ ଅଭିଯୋଗକୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶୁକଦେବ ମହାଳି ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଟେଣ୍ଡର ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଜଣେ ଅବସରପ୍ରାପ୍ତ ଯନ୍ତ୍ରୀ ବିଭାଗୀୟ ଟେଣ୍ଡର ପ୍ରକ୍ରିୟାରେ କିଭଳି ପ୍ରଭାବ ପକାଉଛନ୍ତି ?
ସରକାରୀ ନିୟମ ଅନୁସାରେ ଯୋଗ୍ୟ ବିବେଚିତ ହୋଇଥିବା ଠିକାଦାରଙ୍କୁ କେଉଁ ବୈଷୟିକ କାରଣରୁ ବାଦ୍ ଦିଆଗଲା ?
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରହିଛି ତ ? ଏବେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବଲାଙ୍ଗିର RD ବିଭାଗର ଏହି ଚର୍ଚ୍ଚିତ ଟେଣ୍ଡର ବିବାଦର ଗୁମର ଫିଟିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

