Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି ADJ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଭାତୃହନ୍ତା ଅଭିଯୁକ୍ତ ସାନଭାଇକୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଜୋରିମାନା ।

ବଲାଙ୍ଗୀର,୨୩।୪: ସାମାନ୍ୟ ପାରିବାରିକ କଳହର କରୁଣ ପରିଣତି। ବଡ଼ ଭାଇର ରକ୍ତରେ ହାତ ରଞ୍ଜିଥିବା ସାନ ଭାଇକୁ ଶେଷରେ ମିଳିଛି କଠୋର ଦଣ୍ଡ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) ଆଜି ଏକ ସାଂଘାତିକ ଭ୍ରାତୃ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାଟି ଥିଲା ୨୦୨୨ ମସିହାରେ। ତୁରେକେଲା ଥାନା କନ୍ଦେଇ ଗାଁର ଫୁଲ ପ୍ରସାଦ ବାଗ ଏବଂ ତାଙ୍କ ସାନଭାଇ ତିଳକଚନ ବାଗଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଏହି ବିବାଦ ଏଭଳି ରୂପ ନେଇଥିଲା ଯେ, ତିଳକଚନ ନିଜ ବଡ଼ ଭାଇ ଫୁଲ ପ୍ରସାଦଙ୍କୁ ଅର୍ଜୁନି ନଦୀ ପଠାରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ତୁରେକେଲା ପୋଲିସ ଏହି ମାମଲାରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ତେବେ ଦୀର୍ଘ ଦିନର ବିଚାର ପ୍ରକ୍ରିୟା ପରେ ମାନ୍ୟବର କୋର୍ଟ ଏହି ମାମଲାର ପୂର୍ଣ୍ଣଛେଦ ପକାଇଛନ୍ତି। ଏହି ମାମଲାରେ ମୋଟ ୧୮ ଜଣ ସାକ୍ଷୀଙ୍କ ବୟାନ ଏବଂ ୧୬ ଗୋଟି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌କୁ ଆଧାର କରି ଅଦାଲତ ତିଳକଚନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାନ୍ୟବର କୋର୍ଟ ତାଙ୍କ ରାୟରେ ଅଭିଯୁକ୍ତ ତିଳକଚନଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ଅତିରିକ୍ତ ୨୫,୦୦୦ (ପଚିଶ ହଜାର) ଟଙ୍କା ଆର୍ଥିକ ଜୋରିମାନା ଶୁଣାଇଛନ୍ତି। ଜରିମାନା ରାଶି ଅନାଦେୟ ହେଲେ ଅଭିଯୁକ୍ତ ତିଳକଚନକୁ ଆହୁରି ୧ ବର୍ଷ ଅଧିକ ଜେଲ୍ ସଜା କାଟିବାକୁ ପଡ଼ିବ ବୋଲି ମାନ୍ୟବର କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି। ନ୍ୟାୟାଳୟଙ୍କ ଏହି କଠୋର ଆଭିମୁଖ୍ୟ ପରେ ଅପରାଧୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ସାଧାରଣ ଜନତା ଏହି ରାୟକୁ ସ୍ୱାଗତ କରିଛନ୍ତି। ଏହି ମାମଲାଟି ଅଞ୍ଚଳରେ ଏକ ଦୃଷ୍ଟାନ୍ତମୂଳକ ନ୍ୟାୟିକ ନିଷ୍ପତ୍ତି ଭାବେ ପରିଗଣିତ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories