କଣ୍ଟାବାଞ୍ଜିରେ ଜମିର ବେଞ୍ଚମାର୍କ ମୂଲ୍ୟ ବୃଦ୍ଧିକୁ ନେଇ ଅସନ୍ତୋଷ; ତହସିଲଦାର ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପୁର୍ନବିଚାର କରିବା ପାଇଁ ଦାବି କଲା ପ୍ରେସ କ୍ଲବ ।
ବଲାଙ୍ଗୀର,୨୩।୪: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୌଜାରେ ଜମିର ବେଞ୍ଚମାର୍କ ମୂଲ୍ୟର ଅସାମାନ୍ୟ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷିତରେ ଆଜି କଣ୍ଟାବାଞ୍ଜି ପ୍ରେସ କ୍ଲବ ତରଫରୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟରେ ପୁନଃବିଚାର କରିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି ।
ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, କଣ୍ଟାବାଞ୍ଜି ‘କ’, ‘ଖ’ ଓ ‘ଗ’ ମୌଜାରେ ଚଳିତ ଆର୍ଥିକ ବର୍ଷରେ ଜମିର ବେଞ୍ଚମାର୍କ ମୂଲ୍ୟ ପୂର୍ବବର୍ଷ ତୁଳନାରେ ପ୍ରାୟ ୧୦ ଗୁଣା ବଢ଼ିଛି। ଏହି ଅଚାନକ ବୃଦ୍ଧିରେ ମଧ୍ୟମ ବର୍ଗ, ଛୋଟ ଜମି ମାଲିକ ଓ ସାଧାରଣ କ୍ରେତା ମାନେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛନ୍ତି।ଏହାର ପରିଣାମରେ ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ ଖର୍ଚ୍ଚ ବଢ଼ି ଯାଇଥିବାରୁ ଜମି କ୍ରୟ ବିକ୍ରୟ କାରବାର ହ୍ରାସ ପାଇଛି ବୋଲି ଉଲ୍ଲେଖ ରହିଛି । ସେହିପରି ସ୍ଥାନୀୟ ବଜାରର ପରିସ୍ଥିତି ଓ ଲୋକଙ୍କ ଆର୍ଥିକ ସାମର୍ଥ୍ୟକୁ ଧ୍ୟାନରେ ନରଖି ଏହି ବୃଦ୍ଧି କରାଯାଇଥିବା ନେଇ ଏହି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି।
ଅନ୍ୟପଟେ, କଟକ ଭଳି ଉନ୍ନତ ସହରରେ ଜମି ଉଚ୍ଚ ମୂଲ୍ୟ ଥିବା ସତ୍ତ୍ୱେ, କଣ୍ଟାବାଞ୍ଜି ଭଳି ଅପରିପକ୍ୱ ଅଞ୍ଚଳରେ ଏତେ ବେଶୀ ମୂଲ୍ୟ ବୃଦ୍ଧି ଅଯୁକ୍ତି ସଙ୍ଗତ ବୋଲି ମତ ପ୍ରକାଶ ପାଇଛି।
ପୂର୍ବ ବର୍ଷଗୁଡ଼ିକରେ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅଧିକ ମୂଲ୍ୟ ଦର୍ଶାଇବା ପ୍ରଭାବଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ କରାଯାଇଛି। ଏହି ପରିସ୍ଥିତିରେ ପ୍ରେସ କ୍ଲବ କଣ୍ଟାବାଞ୍ଜି ଜିଲ୍ଲାପାଳ ଓ ରାଜ୍ୟ ସରକାର ଙ୍କୁ ବେଞ୍ଚମାର୍କ ମୂଲ୍ୟ ବୃଦ୍ଧିର ପୁନଃବିଚାର କରିବା, ଯଥାର୍ଥ ସର୍ଭେ କରିବା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସଠିକ୍ ମୂଲ୍ୟ ନିର୍ଣ୍ଣୟ କରିବାକୁ ଅନୁରୋଧ କରାଯାଇଛି । ପ୍ରେସ କ୍ଲବ ସଭାପତି ପ୍ରଭଯିତ୍ ସିଂହ ସାଲୁଜା, ସମ୍ପାଦକ ସୁରଦାସ ବାଗ, କୋଷାଧ୍ୟକ୍ଷ ହନି ସିଂହ, ଉପସଭାପତି ମନୋଜ ଶର୍ମା, ଅଫିସ ସମ୍ପାଦକ ବିଶିକେଶନ୍ ମାଝୀ, କମଲ ଅଗ୍ରୱାଲ, ସହ ରେଲୱେ ଅଟୋ ୟୁନିଅନ ସଭାପତି, ସମ୍ପାଦକ, କର୍ମକର୍ତ୍ତା, ଆଇନଜୀବୀ ଓ ଜନସାଧାରଣ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ ।

