ସୋସିଆଲ ମିଡ଼ିଆରୁ ପ୍ରେମ, ଲିଭ୍-ଇନ୍ ପରେ ବିବାହ; ଶେଷରେ ପ୍ରତାରଣାର ଅଭିଯୋଗ ନେଇ ଯୁବତୀଙ୍କ ପକ୍ଷରୁ ଥାନାରେ ଏତଲା ।
ବଲାଙ୍ଗୀର,୨୩।୪: ଆଜିକାଲି ଡିଜିଟାଲ ଦୁନିଆଁରେ ସୋସିଆଲ ମିଡ଼ିଆ ଲୋକଙ୍କ ସମ୍ପର୍କକୁ ଯେତିକି ସହଜେ ଯୋଡୁଛି, ତା’ଠୁ ସେତିକି ସହଜେ ସମ୍ପର୍କକୁ ଭାଙ୍ଗୁଛି ! ଆଜି ବଲାଙ୍ଗୀରରେ ସେଭଳି ଏକ ଚାଞ୍ଚଲ୍ୟକର ଘଟଣା ଏବେ ସାମ୍ନାକୁ ଆସିଛି, ଯେଉଁଠି ସୋସିଆଲ ମିଡ଼ିଆର ବନ୍ଧୁତା ପ୍ରେମର ରୂପ ନେଇଥିବା ବେଳେ ତାହା ଶେଷରେ ବିଶ୍ୱାସ ଘାତକତାରେ ପରିଣତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ସୁଦପଡ଼ାର ଶୁଭମ୍ ପ୍ରଧାନଙ୍କ ସହ ଦୀର୍ଘଦିନ ହେବ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣେ ଯୁବତୀଙ୍କ ପରିଚିତ ହୋଇଥିଲା । ପରିଚିତ ପରେ ଶୁଭମ୍ ଓ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିବା ସହ ଉଭୟେ ପରସ୍ପରକୁ ଭଲ ପାଇ ବସିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ଏତେ ନିବିଡ଼ ହୋଇଥିଲା ଯେ, ଶୁଭମ୍ ଏବଂ ସଂପୃକ୍ତ ଯୁବତୀ ଜଣକ ସ୍ଥାନୀୟ ଏକ ଶିବ ମନ୍ଦିରରେ ମନ୍ଦିର ବିବାହ କରିଥିଲେ । ବିବାହ ପରେ ଉଭୟେ ଏକାଠି ରହିବା ସହ ତାଙ୍କ ଭିତରେ ସବୁ କିଛି ଠିକ୍ ଚାଲିଥିବା ବେଳେ ହଠାତ୍ ଶୁଭମ୍ ଏବଂ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ଆଉ ଜଣେ ଯୁବତୀ ଆସିଥିଲେ । ଯାହାକୁ ନେଇ ଶୁଭମ୍ ଙ୍କ ଆଚରଣରେ ପରିବର୍ତ୍ତନ ଦେଖା ଦେଇଥିଲା। ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଦେଖାଇଥିବା ପ୍ରେମିକରୁ ସ୍ୱାମୀ ସାଜିଥିବା ଶୁଭମ୍ ସାମାନ୍ୟ କଳିଝଗଡ଼ା ପରେ ସଂପୃକ୍ତ ଯୁବତୀଙ୍କୁ ପ୍ରତାରଣା କରିବା ଆରମ୍ଭ କରିଥିଲେ। ଏମିତିକି ଶୁଭମ୍ କୁ ତାଙ୍କ ପରିବାର ଲୋକେ ଦ୍ଵିତୀୟ ଯୁବତୀଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ଦେଉଥିଲେ। ଯାହାକୁ ନେଇ ସଂପୃକ୍ତ ଯୁବତୀ ଜଣକ ବିରୋଧ କରୁଥିଲେ । ଏହାକୁ ବିରୋଧ କରିବାରୁ ଶୁଭମ୍ ତାଙ୍କ ମା’ ବାପାଙ୍କ ସହ ସଂପୃକ୍ତ ଯୁବତୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ । ଏପରିକି ତାଙ୍କ ସହ ଶୁଭମ୍ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ନେଇ ସଂପୃକ୍ତ ଯୁବତୀ ଜଣକ ଆଜି ବଲାଙ୍ଗୀର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ।ଅନ୍ୟପକ୍ଷରେ ଶୁଭମ୍ ଙ୍କ ମା’ ମଧ୍ୟ ସଂପୃକ୍ତ ଯୁବତୀ ଜଣକ ଜାଣିଶୁଣି ହଇରାଣ କରୁଥିବା ଅଭିଯୋଗ କରି ସଂପୃକ୍ତ ଥାନାରେ ଏହି ଯୁବତୀଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି । ଏନେଇ ବଲାଙ୍ଗୀର ଟାଉନ୍ ଥାନାରେ ଉଭୟ ପକ୍ଷରୁ ୨ ଗୋଟି ମାମଲା ରୁଜୁ ହୋଇଥିବା ବେଳେ ଆଗକୁ ଏହା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

