ବଲାଙ୍ଗୀରରେ ହୃଦୟ ବିଦାରକ ଘଟଣା; ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ମେଡିକାଲ ଛାତରୁ ଡେଇଁ ଜୀବନ ହାରିଲେ ସ୍ତ୍ରୀ ।
ବଲାଙ୍ଗୀର,୨୪।୪: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ସାରା ସହର ଯେତେବେଳେ ଚଳଚଞ୍ଚଳ, ଠିକ୍ ସେତିକି ବେଳେ ବଲାଙ୍ଗୀରରୁ ଆସିଛି ଏକ ହୃଦୟ ବିଦାରକ ଖବର। ସ୍ୱାମୀଙ୍କ ମୃତ୍ୟୁ ଖବର ସହିପାରିଲେନି ପତ୍ନୀ। ସିନ୍ଥିର ସିନ୍ଦୂର ପୋଛିବା ପୂର୍ବରୁ ସଂସାର ଛାଡ଼ି ଆରପାରିକୁ ଚାଲିଗଲେ ସହଧର୍ମିଣୀ। ମେଡିକାଲ ଛାତରୁ ଡେଇଁ ଜୀବନ ହାରିଲେ ମହିଳା। ସୂଚନା ଅନୁଯାୟୀ, ଗତକାଲି ରାତି ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ ରଣ୍ଡା-ମଳମୁଣ୍ଡା ଗାଁ ପାଖ ପେଟ୍ରୋଲ ପମ୍ପ ସାମ୍ନାରେ ଗୋଟିଏ ଟ୍ରକ୍ ଏବଂ ଟେମ୍ପୁ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ଟେମ୍ପୁରେ ବସିଥିଲେ ପୁଇଁନ୍ତଲା ଥାନା ଡୁମେରବାହାଲ ଗାଁର ୨ ଭାଇ ସେବକ ବାଗ ଓ ଦିଲୀପ ବାଗ । ଉଭୟେ ଭାଇ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଉଭୟଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ତାଙ୍କ ପରିବାର ଲୋକେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ସେବକଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଖବର ପାଇବା ପରେ ସଂପୃକ୍ତ ମେଡିକାଲକୁ ପହଞ୍ଚିଥିଲେ ସେବକଙ୍କ ସ୍ତ୍ରୀ ପଦ୍ମିନୀ ବାଗ । ଯେତେବେଳେ ପତ୍ନୀ ନିଜ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଜୀବନ ସାଥୀଙ୍କ ବିନା ଜୀବନ ଅଧୁରା ବୋଲି ଭାବି ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। କେହି କିଛି ବୁଝିବା ପୂର୍ବରୁ ସେ ରାତି ୪ ଟାରେ ମେଡିକାଲ ଛାତ ଉପରକୁ ଯାଇ ସେଠାରୁ ତଳକୁ ଡେଇଁ ଜୀବନ ହାରିଥିଲେ । ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଯେଉଁ ଘରେ ଖୁସିର ସଂସାର ଥିଲା, ଆଜି ସେଠାରେ କେବଳ କାନ୍ଦବୋବାଳି ଶୁଣିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ସଜାଗ ଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତେବେ ପ୍ରେମ ଏବଂ ବିଶ୍ୱାସର ଏହି ଚରମ ବଳିଦାନ ଆଜି ପୁଣିଥରେ ପ୍ରମାଣିତ କରିଛି ଯେ, କିଛି ସମ୍ପର୍କ ମୃତ୍ୟୁପରେ ବି ଶେଷ ହୁଏନାହିଁ। ସ୍ୱାମୀଙ୍କ ସହ ଜୀବନ ବିତାଇବାର ଶପଥ ନେଇଥିବା ପତ୍ନୀ, ମୃତ୍ୟୁ ପରେ ବି ତାଙ୍କ ପିଛା ଛାଡିଲେ ନାହିଁ। ଏହି ଘଟଣା ଏବେ ସାରା ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଘଟଣାରେ ମୃତ୍ୟୁ ବରଣ କରିଥିବା ସେବକ ଓ ପଦ୍ମିନୀ ଙ୍କର ଗୋଟିଏ ୬ ବର୍ଷର ପୁଅ ଏବଂ ଗୋଟିଏ ୩ ବର୍ଷର ଝିଅ ଥିବା ବେଳେ ସେମାନେ କୁନି ବୟସରେ ନିଜ ବାପା ମା’ଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ସରକାର ସେମାନଙ୍କୁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ତାଙ୍କ ସମ୍ପର୍କୀୟ ଦାବୀ କରିଛନ୍ତି ।

