Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିନ୍ଧେକେଲା – ଚାନ୍ଦୋତରା ଉଁନ୍ଦେର ନଦୀରୁ ବେଆଇନ୍ ବାଲି ଚୋରାଚାଲାଣ ଘଟଣା ! କାହା ବଳରେ ବଳିୟାନ୍ ବାଲି ମାଫିଆ ଚାନ୍ଦ ଅଗ୍ରୱାଲ ?

ବଲାଙ୍ଗୀର,୨୭।୪: ରାଜ୍ୟରେ ପ୍ରଶାସନିକ କଟକଣା ଓ ସ୍ୱଚ୍ଛତାର ଡିଣ୍ଡିମ ପିଟାଯାଉଥିବା ବେଳେ, ବଲାଙ୍ଗୀର ଜିଲ୍ଲାରେ ବାଲି ମାଫିଆଙ୍କ ଉଦ୍ଧତ ସବୁ ସୀମା ଟପିଛି। ପ୍ରଶ୍ନ ଉଠୁଛି, କାହା ଛତ୍ରଛାୟା ତଳେ ରହି ଦିନ ଦ୍ୱିପ୍ରହରରେ ସରକାରୀ ସମ୍ପତ୍ତିକୁ ଲୁଟ୍ କରୁଛନ୍ତି ବାଲି ମାଫିଆ ଚାନ୍ଦ ଅଗ୍ରୱାଲ? କାହିଁକି ପ୍ରଶାସନ ସବୁ ଜାଣିଶୁଣି ଆଖିରେ ଅନ୍ଧପୁଟୁଳି ବାନ୍ଧି ଶୋଇ ରହିଛି? ଦୀର୍ଘ ଦିନ ଧରି ବଙ୍ଗୋମୁଣ୍ଡାର ଚାନ୍ଦ ଅଗ୍ରୱାଲ ନାମକ ବ୍ୟକ୍ତି ବେଆଇନ ବାଲି ଚୋରା ଚାଲାଣର ମୁଖ୍ୟ କାର୍ପଟଦାର ସାଜିଛନ୍ତି। ନଦୀ ଶଯ୍ୟାରୁ ଜେସିବି ମେସିନ ଲଗାଇ ନିତିଦିନ ଦିନରାତି ଶହ ଶହ ଟ୍ରିପ୍ ହାଇୱା ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର, ପୋଲିସ୍ ଏବଂ ଜିଲ୍ଲା ଖଣି ବିଭାଗ ପକ୍ଷରୁ କାହିଁକି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏହି ବେଆଇନ କାରବାର ଯୋଗୁଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ପରିବେଶ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଯେଉଁଠି ସାଧାରଣ ଲୋକଟିଏ ଘର ଖଣ୍ଡେ କରିବା ପାଇଁ ବାଲି ମୁଠାଏ ଆଣିଲେ ଜୋରିମାନା ଆଦାୟ କରାଯାଉଛି, ସେଠି ଚାନ୍ଦ ଅଗ୍ରୱାଲଙ୍କ ଭଳି ମାଫିଆଙ୍କୁ କିଏ ଦେଉଛି ଅଭୟ ବରଦାନ? ପ୍ରଶାସନ ସହ ବାଲି ମାଫିଆ ଚାନ୍ଦ ଅଗ୍ରୱାଲ ର କଣ ହୋଇଛି ଡ଼ିଲ। ବାଲି ମାଫିଆଙ୍କ ଗାଡି ସାମ୍ନାରେ କାହିଁକି ପୋଲିସର ନାଲି ଆଖି ନରମ ପଡିଯାଉଛି? କାହିଁକି ସବୁକିଛି ଜାଣିଶୁଣି ନିରବ ସ୍ଥାନୀୟ ତହସିଲଦାର? ଏହି ବେଆଇନ କାରବାର ପଛରେ କୌଣସି ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି କି? ମାଫିଆଙ୍କ ଏଭଳି ଦୌରାତ୍ମ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବେଆଇନ୍ ବାଲି ବୋଝେଇ ଟ୍ରକ ଯୋଗୁଁ ଗାଁ ରାସ୍ତା ଘାଟ ନଷ୍ଟ ହେବା ସହ ଦୁର୍ଘଟଣାର ଭୟ ମଧ୍ୟ ବଢିବାରେ ଲାଗିଛି। ଯଦି ପ୍ରଶାସନ ତୁରନ୍ତ ଏହି ବାଲି ମାଫିଆଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନନିଏ, ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜପଥକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲାପାଳ ଏହି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରି ମାଫିଆରାଜର ଅନ୍ତ କରିବେ ନା ଚାନ୍ଦ ଅଗ୍ରୱାଲଙ୍କ ଏହି ‘କଳା ସାମ୍ରାଜ୍ୟ’ ଏମିତି ଚାଲୁ ରହିବ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories