ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ କଳା ପାଇଁ ସମର୍ପିତ ଗୁରୁ ହୃଷୀକେଶ ସାହୁ, ପଶ୍ଚିମ ଓଡ଼ିଶାରୁ ଛତିଶଗଡ଼ ଯାଏଁ ବିଞ୍ଚିଛନ୍ତି ଓଡ଼ିଶୀର ମହକ
ଝାରସୁଗୁଡ଼ା ୨୭/୪ (ଓଡ଼ିଶା ନ୍ୟୁଜ୍) କଳା ପ୍ରତି ଅହେତୁକ ଭଲ ପାଇବା ଏବଂ ଗୁରୁଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାର ଦୁର୍ବାର ଜିଦ୍ ଜଣେ ମଣିଷକୁ କିଭଳି କର୍ମଯୋଗୀରେ ପରିଣତ କରେ, ତାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଉପାନ୍ତ ଅଞ୍ଚଳ ୧୯ ଖଣ୍ଡ ମୌଜାର ଗୁରୁ ହୃଷୀକେଶ ସାହୁ । ସୁନାମଧନ୍ୟ ସଙ୍ଗୀତଜ୍ଞ ଗୁରୁ ସ୍ୱର୍ଗତ ବିକଳ ସାହୁଙ୍କ ପଟ୍ଟଶିଷ୍ୟ ହୃଷୀକେଶ ଆଜି ବି ରେମତା ପଞ୍ଚାୟତର ମୁହୁଦି ଭଳି ଏକ କ୍ଷୁଦ୍ର ଗ୍ରାମରେ ରହି ଓଡ଼ିଶୀ ନୃତ୍ୟର ବିଜୟ ଧ୍ୱଜାକୁ ଉଡ଼ାଇ ଚାଲିଛନ୍ତି।
ଗୁରୁ ହୃଷୀକେଶ କେବଳ ଯେ ଜଣେ ନୃତ୍ୟଶିଳ୍ପୀ ନୁହନ୍ତି, ସେ ଏକାଧାରରେ ଜଣେ ସଙ୍ଗୀତ ବିଶାରଦ, ନାଟ୍ୟ ନିର୍ଦ୍ଦେଶକ ଏବଂ ଜଣେ ନିଷ୍ଠାପର ସମର୍ପିତ କଳାକାର। ନିଜ ଗୁରୁଙ୍କ ଠାରୁ ଶିଖିଥିବା ପବିତ୍ର ଶିକ୍ଷାକୁ ପାଥେୟ କରି ସେ ଓଡ଼ିଶା ଓ ପଡ଼ୋଶୀ ଛତିଶଗଡ଼ ମଧ୍ୟରେ ଏକ “‘ସାଂସ୍କୃତିକ ସେତୁ” ସାଜିଛନ୍ତି । ଉଭୟ ରାଜ୍ୟର ବିଭିନ୍ନ ଗ୍ରାମରେ ନାଟକ, ସଂକୀର୍ତ୍ତନ ଏବଂ ଯାତ୍ରା ମାଧ୍ୟମରେ ସେ କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛନ୍ତି।
ତାଙ୍କ ପାଖରେ ଥିବା ପୁରୁଣା ମାନପତ୍ର ଗୁଡ଼ିକ ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ବର୍ଣ୍ଣନା କରେ। ନିଜର ଦୀର୍ଘ ବର୍ଷର କଳା ସାଧନା ମଧ୍ୟରେ ସେ ଅନେକ ବେସରକାରୀ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇଛନ୍ତି ।
ସେଥିମଧ୍ୟରୁ ଜାତୀୟ ସ୍ତରରେ ସ୍ୱୀକୃତି- ଭୋପାଳ ଠାରେ ଅନୁଷ୍ଠିତ ୨ୟ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଭଳି ପ୍ରତିଷ୍ଠିତ ମଞ୍ଚରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ସେହିଭଳି ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲ୍ଦୁଲି’, ବ୍ରଜରାଜନଗରର ପଥୋତ୍ସବ ଏବଂ ଝାରସୁଗୁଡ଼ା ଜିଲ୍ଲା କଳାକାର ସଂଘ ପକ୍ଷରୁ ତାଙ୍କୁ ଜଣେ ଦକ୍ଷ ନୃତ୍ୟ ଗୁରୁ ଭାବେ ସମ୍ବର୍ଦ୍ଧିତ କରା ଯାଇଛି।
ଏଥିସହ ଛତିଶଗଡ଼ର ଚନ୍ଦ୍ରପୁର, ବେଲପାହାଡ଼, ବନ୍ଧବାହାଲ ଏବଂ ଝାରସୁଗୁଡ଼ାର ଅନେକ ସାମାଜିକ ଅନୁଷ୍ଠାନ ତାଙ୍କୁ ‘ଗୁରୁ ପ୍ରତିଭା’ ଭାବେ ମାନ୍ୟତା ଦେଇଛନ୍ତି।
ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦ ଝାରସୁଗୁଡ଼ା ଏବଂ ସଂସ୍କାର ଭାରତୀ ଭଳି ଅନୁଷ୍ଠାନ ତାଙ୍କର ନିଷ୍ଠାପର କଳା ସେବା ପାଇଁ ସମ୍ମାନିତ କରିଛନ୍ତି।
ଆଜି ଭଳି ସମୟରେ ଯେଉଁଠି କଳାକାର ମାନେ ସରକାରୀ ପ୍ରୋତ୍ସାହନ ବିନା ପାଦେ ଆଗେଇବାକୁ କୁଣ୍ଠାବୋଧ କରନ୍ତି, ସେଠାରେ ହୃଷୀକେଶ ନିଜର ସୀମିତ ସମ୍ବଳରେ ଏହି ମହାନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ମାତ୍ର ୨୦୦୦ ଟଙ୍କାର ମାସିକ ଭତ୍ତା ତାଙ୍କ ପ୍ରତିଭା ଓ ସାଧନା ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ।
ଆଗକୁ “ଆନ୍ତର୍ଜାତିକ ନୃତ୍ୟ ଦିବସ” ଆସୁଥିବା ବେଳେ ଉପାନ୍ତ ଅଞ୍ଚଳର ଏହି ମହାନ ପ୍ରତିଭାଙ୍କୁ ଉପଯୁକ୍ତ ସରକାରୀ ସ୍ୱୀକୃତି ଓ ଆର୍ଥିକ ପୃଷ୍ଠପୋଷକତା ଯୋଗାଇ ଦେବାକୁ ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି। ଯଦି ସରକାର ଏହି ପ୍ରତିଭାଙ୍କ ପ୍ରତି ଦୃଷ୍ଟି ଦିଅନ୍ତି, ତେବେ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓ ନାଟ୍ୟ ପରମ୍ପରା ଆହୁରି ସମୃଦ୍ଧ ହୋଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

