ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର; ବଲାଙ୍ଗିରରୁ ରାୟପୁର ସ୍ଥାନାନ୍ତର, ଅଞ୍ଚଳରେ ଆତଙ୍କ ।
ବଲାଙ୍ଗିର,୨୮।୪: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଞ୍ଚଳରେ ପୁଣି ଦେଖାଦେଇଛି ଭାଲୁ ଆତଙ୍କ। ତୁରେକେଲା ଥାନା ଅନ୍ତର୍ଗତ ଝରଣୀ ପଞ୍ଚାୟତ ନୂଆପଡା ଗାଁରେ ଜଣେ ବୃଦ୍ଧ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ମହୁଲବହଲି ଗାଁ ନିକଟସ୍ଥ ନୂଆପଡାର ଟିକେ କେତକୀ (୬୨)।
ସୂଚନା ଅନୁସାରେ, ଆଜି ସକାଳ ସମୟରେ ଟିକେ କେତକୀ ଶୌଚ ପାଇଁ ଗାଁ ନିକଟସ୍ଥ ଜଙ୍ଗଲ ପାର୍ଶ୍ୱକୁ ଯାଇଥିଲେ। ସେଠାରେ ହଠାତ୍ ଏକ ଜଙ୍ଗଲୀ ଭାଲୁ ତାଙ୍କ ସମ୍ମୁଖକୁ ଆସିବା ସହ ଅତର୍କିତ ଭାବେ ଆକ୍ରମଣ କରିଥିଲା। ବୃଦ୍ଧଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଭାଲୁଟି ଜଙ୍ଗଲ ଭିତରକୁ ପଳାଇଥିଲା। ଗ୍ରାମବାସୀମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
କଣ୍ଟାବାଞ୍ଜିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେଠାରୁ ବୁର୍ଲା ଭିମସାର୍ ଏବଂ ଶେଷରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ଛତିଶଗଡ଼ର ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଲୋକେ ଜଙ୍ଗଲ ପାର୍ଶ୍ୱକୁ ଯିବାକୁ ଭୟ କରୁଛନ୍ତି। କଣ୍ଟାବାଞ୍ଜି ବନ ଅଧିକାରୀ ସିଦ୍ଧାନ୍ତ କୁମାର ସାହୁ କହିଛନ୍ତି ଯେ, ବନ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଆହତ ବ୍ୟକ୍ତିଙ୍କୁ ସରକାରୀ ନିୟମ ଅନୁଯାୟୀ ଯଥାଶୀଘ୍ର ସହାୟତା ଯୋଗାଇ ଦିଆଯିବ।
ସ୍ଥାନୀୟ ଅଞ୍ଚଳବାସୀ ଭାଲୁ ଆତଙ୍କରୁ ରକ୍ଷା ପାଇବା ପାଇଁ ବନ ବିଭାଗ ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

