ପ୍ରଶାସନ ପକ୍ଷରୁ ଉଁନ୍ଦେର ନଦୀରେ ମାଫିଆଙ୍କ ବେଆଇନ୍ ରାସ୍ତା କଟାଗଲା; ଦେଖାଣିଆ କାର୍ଯ୍ୟାନୁଷ୍ଠାନ୍ ନା; ମାଫିଆକୁ ସୁରକ୍ଷା ?
ବଲାଙ୍ଗୀର,୨୯।୪: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସିନ୍ଧେକେଲା-ଚାନ୍ଦୋତରା ଉଁନ୍ଦେର ନଦୀରେ ଚାଲିଥିବା ବେଆଇନ୍ ବାଲି ଲୁଟ୍ ଖବର ପ୍ରସାରଣ ପରେ ଶେଷରେ ପ୍ରଶାସନର ଚେତା ପଶିଛି। ଲଗାତାର ଖବର ପ୍ରସାରଣର ପ୍ରଭାବ ସ୍ୱରୂପ ଆଜି ବଲାଙ୍ଗୀର ଖଣି ବିଭାଗ ଓ ସିନ୍ଧେକେଲା ପୋଲିସର ମିଳିତ ଚଢ଼ାଉରେ ନଦୀ ଗର୍ଭରେ ମାଫିଆଙ୍କ ଦ୍ଵାରା ନିର୍ମିତ ବେଆଇନ୍ ମୋରମ ରାସ୍ତାକୁ ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ କଟାଯାଇଛି। ମାତ୍ର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ବାଲି ମାଫିଆ ଚାନ୍ଦ ଅଗ୍ରୱାଲ କୌଣସି ବୈଧ ଲିଜ୍ କିମ୍ବା କାଗଜପତ୍ର ନଥାଇ ଦୈନିକ ଶହ ଶହ ଟ୍ରିପ୍ ବାଲି ଚୋରାଚାଲାଣ କରୁଥିଲେ। ନଦୀର ଗତିପଥକୁ ଅବରୋଧ କରି ମୋରମ ରାସ୍ତା ନିର୍ମାଣ କରିବା ଏକ ସଙ୍ଗୀନ ଅପରାଧ ହୋଇଥିଲେ ସୁଦ୍ଧା, ପ୍ରଶାସନ କେବଳ ରାସ୍ତା କାଟି ନିଜର ଦାୟିତ୍ୱ ଶେଷ କରିଦେଇଛି କି?
ଏହି ଘଟଣାରେ ଚାନ୍ଦ ଅଗ୍ରୱାଲ ନିଜେ ବାଲି ଉଠାଉଥିବା କଥା ସ୍ୱୀକାର କରିବା ସହ ରଏଲ୍ଟି (Royalty) ଦେଉଥିବା ଦାବୀ କରିଛନ୍ତି ହେଲେ ବଲାଙ୍ଗୀର ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତ ସ୍ପଷ୍ଟ କରିଛନ୍ତି ଯେ, ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରେ କୌଣସି ବୈଧ କାଗଜପତ୍ର ନାହିଁ।
ଯଦି କାଗଜପତ୍ର ନାହିଁ, ତେବେ ଜଣେ ବ୍ୟକ୍ତି କିଭଳି ଦିନ ଦ୍ୱିପ୍ରହରରେ ସରକାରୀ ରାଜସ୍ୱ ଲୁଟ୍ କରିବା ସହ ପରିବେଶର ବିନାଶ କରୁଥିଲେ? କେଉଁ ଅଦୃଶ୍ୟ ଶକ୍ତିର ବଳରେ ଏହି ବେଆଇନ୍ କାରବାର ବଳବତ୍ତର ରହିଥିଲା, ତାହା ଏବେ ବଡ଼ ପ୍ରଶ୍ନ। ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନ କେବଳ ରାସ୍ତା କାଟି “ଆଇୱାଶ୍” ବା ଦେଖାଣିଆ କାର୍ଯ୍ୟାନୁଷ୍ଠାନ କରୁଛି। ଯେଉଁ ଗାଡ଼ି ଓ ଜେସିବି ସାହାଯ୍ୟରେ ନଦୀର ବୁକୁ ଚିରାଯାଉଥିଲା, ସେଗୁଡ଼ିକୁ ଜବତ କରାଗଲା ନାହିଁ କାହିଁକି? ମୁଖ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ନିଜ ଆଡୁ ମାମଲା ରୁଜୁ କରି ଗିରଫ କରିବାରେ ପ୍ରଶାସନକୁ କିଏ ବାଧା ଦେଉଛି?
୧. କେବଳ ରାସ୍ତା କାଟିଦେଲେ ବାଲି ଚୋରାଚାଲାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ କି?
୨. ବେଆଇନ୍ ରାସ୍ତା ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତି ଓ ଗାଡ଼ିକୁ କାହିଁକି ଜବତ କରାଗଲା ନାହିଁ?
୩. ଜଣେ ସ୍ୱୀକୃତିପ୍ରାପ୍ତ ଅପରାଧୀ (ବାଲି ଚୋରି କରୁଥିବା ମାନୁଥିବା ବ୍ୟକ୍ତି) ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ ହେବ?
ଏନେଇ ସିନ୍ଧେକେଲା ଥାନା ଅଧିକାରୀ ଫୁଲଜେନ୍ସ ଲାକ୍ରାଙ୍କୁ ପଚାରିବାରୁ ସେ ଖଣି ଅଧିକାରୀଙ୍କ ତରଫରୁ ସଂପୃକ୍ତ ମାଫିଆଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେନେଇ ଆମେ ତାଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀ ଏବଂ ବଲାଙ୍ଗୀର ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତଙ୍କୁ ଏନେଇ ଯୋଗାଯୋଗ କରାଯାଇ ଥିବା ବେଳେ ସେମାନେ ଫୋନ୍ କଲ୍ ଉଠାଇ ନଥିବାରୁ ଏହି ଘଟଣା ବାବଦରେ ଉଭୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଉଁନ୍ଦେର ନଦୀର ସୁରକ୍ଷା ଓ ସରକାରୀ ରାଜସ୍ୱର ସୁରକ୍ଷା ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କୁ ଦଣ୍ଡ ପ୍ରଦାନ କରିବେ ବୋଲି ସାଧାରଣରେ ଦାବି ହେଉଛି। ପ୍ରଶାସନିକ ଶିଥିଳତା ଯଦି ଜାରି ରହେ, ତେବେ ଆଗାମୀ ଦିନରେ ଏହା ଏକ ବଡ଼ ଜନ ଆନ୍ଦୋଳନର ରୂପ ନେବାର ସମ୍ଭାବନା ରହିଛି।

