Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ଖୋଲାଖୋଲି ଉଲ୍ଲଂଘନ: କାହା ଛତ୍ରଛାୟା ତଳେ ହୋଇଛି ‘ପ୍ରମାଣ ନଷ୍ଟ’ର ଖେଳ?

ବଲାଙ୍ଗୀର,୧୨।୫: ମୁରିବାହାଲ ରେଞ୍ଜରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଏବେ କେବଳ କାଗଜ କଲମରେ। ଏ ପର୍ଯ୍ୟନ୍ତ ହାତୀ ମୃତ୍ୟୁ ରହସ୍ୟ ଘେରରେ ଥିବା ବେଳେ ଚାଉଳଫୁପୁଡ଼ା ଗାଁରେ ବାର୍‌ହା ମୃତ୍ୟୁକୁ ଯେଭଳି ଭାବେ ‘ଗୋପନୀୟ’ ରଖି ଶବ ପୋତି ଦିଆଗଲା ତାହା ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ କୁଠାରଘାତ କରିଛି। ଏହା କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ଆଇନଗତ ପ୍ରକ୍ରିୟାକୁ ହତ୍ୟା କରିବାର ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି ଅଭିଯୋଗ ହେଉଛି।
ଏହି ଘଟଣାରେ ଆଇନକୁ ଫୁ’ କରି କେଉଁ ନିୟମ ବଳରେ ମୃତ ବାରହା ର ଶବ ପୋତିଲା ମୁରିବାହାଲ ବନ ବିଭାଗ?
ବନ୍ୟପ୍ରାଣୀ ସଂରକ୍ଷଣ ଆଇନ, ୧୯୭୨ ସେକ୍ସନ୍ ୫୦ ଏବଂ ୫୧ ଅନୁଯାୟୀ, ଯଦି କୌଣସି ବନ୍ୟପ୍ରାଣୀର ଅସ୍ୱାଭାବିକ ମୃତ୍ୟୁ ଘଟେ, ତେବେ କେତେକ ବାଧ୍ୟତାମୂଳକ ନିୟମ ପାଳନ କରିବାକୁ ପଡ଼ିଥାଏ ।
ପଞ୍ଚନାମା ଓ ଭିଡିଓଗ୍ରାଫି: ଶବ ମିଳିବା ପରେ ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ପଞ୍ଚନାମା ହେବା ସହ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି ହେବା ଜରୁରୀ। କିନ୍ତୁ ମୁରିବାହାଲ ବନ ବିଭାଗ କେଉଁ ସାକ୍ଷୀଙ୍କ ଉପସ୍ଥିତିରେ ଏବଂ କାହା ଅନୁମତିରେ ତରବରିଆ ଭାବେ ଶବ ପୋତିଲା?
ମେଡିକାଲ ବୋର୍ଡ ନିୟମ ଅନୁଯାୟୀ, ଅତିକମରେ ଦୁଇଜଣ ସରକାରୀ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ହେବା କଥା। ଏଠାରେ କେବଳ ଜଣେ ଡାକ୍ତରଙ୍କୁ ଡାକି କାମ ସାରିଦେବା ପଛର ରହସ୍ୟ କଣ?
ବ୍ୟବଚ୍ଛେଦ ପରେ ପୋଷ୍ଟମର୍ଟମ୍ ରିପୋର୍ଟ ସାର୍ବଜନୀନ ନହେବା ପର୍ଯ୍ୟନ୍ତ ଶବ ପୋତିବା ଆଇନତଃ ଅପରାଧ।
ଉଚ୍ଚପଦସ୍ଥ ଅଧିକାରୀଙ୍କ ‘ଅଜ୍ଞତା’ ଦାୟିତ୍ୱହୀନତା ନା ସହମତି?
ଘଟଣାର ୩ ଦିନ ପରେ ମଧ୍ୟ ବଲାଙ୍ଗୀର ଡିଏଫ୍ଓ ଅଜିତ୍ ବିଶି ସୂଚନା ନାହିଁ ବୋଲି କହିବା ଅତ୍ୟନ୍ତ ସନ୍ଦେହଜନକ। ଏନ୍.ଟି.ସି.ଏ ଗାଇଡ୍ ଲାଇନ୍ ଏବଂ ବନ୍ୟପ୍ରାଣୀ ସୁରକ୍ଷା ନିୟମ ଅନୁଯାୟୀ, କୌଣସି ବନ୍ୟପ୍ରାଣୀ ମୃତ୍ୟୁର ୨୪ ଘଣ୍ଟା ମଧ୍ୟରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ କରିବା ରେଞ୍ଜରଙ୍କ ଦାୟିତ୍ୱ।
ଯଦି ରେଞ୍ଜର ରିପୋର୍ଟ କରିନାହାନ୍ତି, ତେବେ ତାଙ୍କ ବିରୁଦ୍ଧରେ ‘ସମ୍ପୃକ୍ତି’ “ଅପରାଧରେ ସହାୟତା କରିବା (Abetment of Crime) ଆଧାରରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ?
ମୃତ ବାରହାକୁ ପୋତାଯିବା ସମୟରେ ଏ ସି ଏଫ୍ ମୁରାରୀ ପଣ୍ଡା ନିଜେ ଉପସ୍ଥିତ ନ ରହି କେବଳ ସୂଚନା ପାଇ ଚୁପ୍ ରହିବା କଣ ଦର୍ଶାଉଛି?
ଘଟଣାସ୍ଥଳରୁ ଜବତ ବିଦ୍ୟୁତ ତାର ଓ ଶିକାର ସାମଗ୍ରୀକୁ କୋର୍ଟରେ ହାଜର କରିବା ପରିବର୍ତ୍ତେ ଗୋପନ ରଖିବା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୨୦୧ ଅନୁଯାୟୀ ପ୍ରମାଣ ନଷ୍ଟ କରିବାର ଅପରାଧ। ଶିକାରୀଙ୍କ ସୁରାକ ପାଇବା ପରେ ମଧ୍ୟ ସେମାନଙ୍କୁ ଗିରଫ ନ କରିବା ବନ ବିଭାଗ ଓ ଶିକାରୀ ଗୋଷ୍ଠୀ ମଧ୍ୟରେ ଥିବା ‘ମଧୁଚନ୍ଦ୍ରିକା’କୁ ସ୍ପଷ୍ଟ କରୁଛି। ପ୍ରଶ୍ନ ଉଠୁଛି ପ୍ରମାଣ ନଷ୍ଟ ତଥା ଶିକାରୀଙ୍କୁ ସୁରକ୍ଷା ଦେଉଛି କି ବିଭାଗ?
ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋତା ଯାଇଥିବା ବାରହା ଶବକୁ ପୁଣି ବାହାର କରାଯାଇ ଏକ ନିରପେକ୍ଷ ଡାକ୍ତରୀ ଦଳ ଦ୍ୱାରା ପୁନଃ-ବ୍ୟବଚ୍ଛେଦ କରାଯିବା ସହ ତଥ୍ୟ ଲୁଚାଇଥିବା ଏବଂ ପ୍ରମାଣ ନଷ୍ଟ କରିଥିବା ସମ୍ପୃକ୍ତ ଫରେଷ୍ଟର ଓ ରେଞ୍ଜରଙ୍କୁ ତୁରନ୍ତ ନିଲମ୍ବନ କରାଯିବାକୁ ସ୍ଥାନୀୟ ପରିବେଶବିତ୍ ଏବଂ ବନ୍ୟଜନ୍ତୁ ପ୍ରେମୀ ଦାବୀ କରିଛନ୍ତି ।
ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ RCCF ସନ୍ତୋଷ ଯୋଷୀ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ଏକ “ସ୍ୱତନ୍ତ୍ର ତଦନ୍ତକାରୀ ଦଳ” ଗଠନ କରି ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।
ଅନ୍ୟପକ୍ଷରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କାର ସରକାରୀ ପାଣ୍ଠି କୁଆଡ଼େ ଯାଉଛି? ଯଦି ରକ୍ଷକ ହିଁ ଭକ୍ଷକ ସାଜି ପ୍ରମାଣ ନଷ୍ଟ କରିବେ, ତେବେ ମୁରିବାହାଲ ଜଙ୍ଗଲରେ ବନ୍ୟଜନ୍ତୁ ସୁରକ୍ଷିତ ରହିବେ କେମିତି? ବଲାଙ୍ଗୀର ବନ ବିଭାଗର ଏହି ଚରମ ଅବହେଳା ବିରୁଦ୍ଧରେ ସ୍ଥାନୀୟ ଜନତା ଏବେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories