Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀପଲ ବାହାନାରେ ଅଘୋଷିତ ବିଦ୍ୟୁତ୍ କାଟ୍: ଲଗାତାର ଦ୍ୱିତୀୟ ଦିନ ପାଇଁ ଅଞ୍ଚଳବାସୀଙ୍କ ଆନ୍ଦୋଳନ ।

ବଲାଙ୍ଗୀର,୧୧।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଅଞ୍ଚଳରେ ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବାକୁ ନେଇ ଜନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ହାତୀପଲଙ୍କ ଗତିବିଧିକୁ ଆଳ କରି ବିଭାଗ ପକ୍ଷରୁ କରାଯାଉଥିବା ଲଗାତାର ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଆଜି ଦ୍ୱିତୀୟ ଦିନ ପାଇଁ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗୁଡ଼ିଘାଟ ଗ୍ରୀଡ୍ ଘେରାଉ କରିବା ସହ ଗୁଡ଼ିଘାଟ-ମୁରିବାହାଲ ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ଅଭିଯୋଗ ଅନୁଯାୟୀ, ମୁରିବାହାଲ ବ୍ଲକ୍‌ର ବଡ଼ସାଇମରା, ଇଚ୍ଛାପରା, ଚଳକୀ , ବାନ୍ଧୁପଲା ଓ ଗୁଡିଘାଟ ଭଳି ୫ଟି ପଞ୍ଚାୟତର ୨୦ରୁ ଅଧିକ ଗ୍ରାମରେ ସନ୍ଧ୍ୟା ହେଲେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦିଆଯାଉଛି। ବିଦ୍ୟୁତ୍ ବିଭାଗ ଏହାକୁ ହାତୀ ସୁରକ୍ଷା ପାଇଁ ଏକ ପଦକ୍ଷେପ ବୋଲି କହୁଥିବା ବେଳେ, ଗ୍ରାମବାସୀ ଏହାକୁ ବିଭାଗର ମନମୁଖୀ କାର୍ଯ୍ୟ ବୋଲି ଦର୍ଶାଇଛନ୍ତି। ହାତୀ ଯେଉଁ ଅଞ୍ଚଳରେ ରହୁଛନ୍ତି ସେଠାରେ ସତର୍କତାମୂଳକ କାଟ୍ କରାଯାଉ, କିନ୍ତୁ ବିନା କାରଣରେ ସମଗ୍ର ଅଞ୍ଚଳକୁ ଅନ୍ଧାରରେ ରଖିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଲଗାତାର ଦିନ ଦିନ ଧରି ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ସାଧାରଣ ଜନଜୀବନ ଦୁର୍ବିସହ ହୋଇପଡିଛି।
ଗୁଳୁଗୁଳି ଓ ଗରମରେ କୁନି ପିଲାଙ୍କଠାରୁ ଆରମ୍ଭ କରି ରୋଗୀ ଓ ବୃଦ୍ଧବୃଦ୍ଧାମାନେ ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି।
ସନ୍ଧ୍ୟା ସମୟରେ ବିଜୁଳି ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ବିଦ୍ୟୁତ୍ ସେବା ବ୍ୟାହତ ଯୋଗୁଁ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି, ଯାହାକୁ ନେଇ ଲୋକେ ହାହାକାର ହେଉଛନ୍ତି।
ଗତ ସୋମବାର ଇଚ୍ଛାପରା ଓ ସତୀଘାଟ ଅଞ୍ଚଳର ଲୋକେ ଆନ୍ଦୋଳନ କରିଥିବା ବେଳେ, ଆଜି ପୁଣି ବଡ଼ସାଇମରା, ଗୁଡିଘାଟ, ଚଳକୀ ଓ ବାନ୍ଧୁପଲା ଗ୍ରାମବାସୀ ଏକଜୁଟ ହୋଇ ଗୁଡ଼ିଘାଟ ଗ୍ରୀଡ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଖବର ପାଇ ମୁରିବାହାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ହେଁ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।
ଯଦି ତୁରନ୍ତ ବିଦ୍ୟୁତ୍ ସେବା ସ୍ୱାଭାବିକ କରା ନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ବ୍ୟାପକ ରୂପ ନେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ବିଦ୍ୟୁତ୍ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ କି ପଦକ୍ଷେପ ଗ୍ରହଣ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories