Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାସ୍ଥ୍ୟ ବିଭାଗରେ ଚାକିରି ନାଁରେ ବଡ଼ ଧରଣର ଠକେଇ: ଦେଓଗାଁ ଥାନାରେ ଏତଲା ।

ବଲାଙ୍ଗୀର,୧୨।୫: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଯୁବକମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରାଯାଉଥିବା ନେଇ ଏକ ସଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବକ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।
ଅଭିଯୋଗ ଅନୁସାରେ, ଦେଓଗାଁ ଥାନା ଅନ୍ତର୍ଗତ ବଗଡ଼ା ଗାଁର ଶମ୍ଭୁ ପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତି ନିଜକୁ ପ୍ରଭାବଶାଳୀ ଦର୍ଶାଇ ସ୍ୱାସ୍ଥ୍ୟ ବିଭାଗରେ ସରକାରୀ ଚାକିରି କରାଇଦେବା ନାଁରେ ବିଭିନ୍ନ ଗ୍ରାମରୁ ବେକାର ଯୁବକମାନଙ୍କୁ ଶିକାର କରୁଥିଲେ। ଏହି କ୍ରମରେ ସେ ତୁଷୁରା ଥାନା ଗୁଡ଼କାପଲା ଅଞ୍ଚଳର ସଚ୍ଚିଦାନନ୍ଦ କାଲସାଏଙ୍କଠାରୁ ‘ଫୋନ୍ ପେ’ ମାଧ୍ୟମରେ ୭୦ ହଜାର ଟଙ୍କା ହାତେଇଥିଲେ।
ଚାକିରି ମିଳିବାରେ ବିଳମ୍ବ ହେବାରୁ ସଚ୍ଚିଦାନନ୍ଦ ନିଜ ଟଙ୍କା ଫେରସ୍ତ ମାଗିବା ପାଇଁ ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ। ମାତ୍ର ଟଙ୍କା ଫେରାଇବା ବଦଳରେ ଅଭିଯୁକ୍ତ ଶମ୍ଭୁ ସାହୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି। କେବଳ ସେତିକି ନୁହେଁ, ଅଭିଯୁକ୍ତ ଜଣକ ପ୍ରାୟ ୩୦ ରୁ ୪୦ ଜଣ ଯୁବକଙ୍କଠାରୁ ସମାନ ଢଙ୍ଗରେ ଟଙ୍କା ଅସୁଲ କରିଥିବା ସଚ୍ଚିଦାନନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବରୁ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଜଣେ ଏଏନ୍‌ଏମ୍ କର୍ମୀଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ପଛରେ ମଧ୍ୟ ଏହି ଚାକିରି ଠକେଇର ସଂପୃକ୍ତି ଥିବା ଚର୍ଚ୍ଚା ହେଉଥିଲା। ସେହି ସମୟର ପୁଲିସ ତଦନ୍ତରେ ଶିଥିଳତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ, ଏହି ନୂତନ ଅଭିଯୋଗ ଦଲାଲରାଜ୍‌ର କାୟା କେତେ ଦୂର ବ୍ୟାପିଛି ତାହା ପ୍ରମାଣିତ କରୁଛି।
ସଚ୍ଚିଦାନନ୍ଦଙ୍କ ଅଭିଯୋଗକୁ ଭିତ୍ତି କରି ଦେଓଗାଁ ପୁଲିସ ଏକ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହି ଠକେଇ ରାକେଟ୍‌ରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ କେତେ ପରିମାଣର ଅର୍ଥ କାରବାର ହୋଇଛି, ସେ ନେଇ ଖୁବଶୀଘ୍ର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories