ସଂଗଠିତ ଅପରାଧୀଙ୍କୁ ପୋଲିସର ଚେତାବନୀ; ବଲାଙ୍ଗିରରେ ଲାଗୁ ହେଲା ବିଏନ୍ଏସ୍ର କଠୋର ଧାରା, ୧୧୯ ଗିରଫ ।
ବଲାଙ୍ଗିର,୧୫।୫: ବଲାଙ୍ଗିର ଜିଲ୍ଲାରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ପୋଲିସ ଏବେ ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ସଂଗଠିତ ଅପରାଧୀ ଓ ପେଶାଗତ ଦୁର୍ବୃତ୍ତଙ୍କୁ ମୂଳପୋଛ କରିବା ପାଇଁ ଭାରତୀୟ ନ୍ୟାୟ ସଂହିତା (BNS) ର ନୂତନ ଓ କଠୋର ଧାରାକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବଲାଙ୍ଗିର ଏସପି ଅଭିଳାଷ ଜୀ ଏହି ସୂଚନା ଦେବା ସହ ଅପରାଧୀଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ଏସପିଙ୍କ ସୂଚନା ଅନୁଯାୟୀ, ଏଣିକି ସଂଗଠିତ ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବିଏନ୍ଏସ୍ ଧାରା ୧୧୧ ଏବଂ ୧୧୨ କଡ଼ାକଡ଼ି ଭାବେ ଲାଗୁ କରାଯିବ।
ଆର୍ଥିକ ଲାଭ କିମ୍ବା ସିଣ୍ଡିକେଟ୍ ମାଧ୍ୟମରେ କରାଯାଉଥିବା ଅପହରଣ, ଡକାୟତି, ସାଇବର ଅପରାଧ, ମାନବ ଚାଲାଣ, ବାଲିଚୋରି ଓ ନିଶା କାରବାର ଭଳି ସଂଗଠିତ ଅପରାଧ।
ଏହି ଧାରାରେ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି।
କେବଳ ମୁଖ୍ୟ ଅପରାଧୀ ନୁହେଁ, ବରଂ ଅପରାଧୀଙ୍କୁ ଆଶ୍ରୟ ଦେବା, ଚୋରା ସାମଗ୍ରୀ କିଣିବା କିମ୍ବା ପରୋକ୍ଷରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ସମାନ ଦଫା ଲଗାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବିଏନ୍ଏସ୍ର ଏହି ନୂଆ ଦଫାରେ ବର୍ତ୍ତମାନ ସୁଦ୍ଧା ୧୧୯ ଜଣଙ୍କୁ ଗିରଫ କରାଯାଇଛି।
କେବଳ ଧାରା ୧୧୧ ଓ ୧୧୨ରେ ୩୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ଗତ ତିନି ଦିନ ମଧ୍ୟରେ ୮୨ ଜଣ ଜାମିନ୍ ବିହୀନ ପରୱାନା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରତିଷେଧକ ମୂଳକ ଅଟକ ଧାରା ୧୨୬ ଓ ୧୨୯ରେ ୧୧୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ, ନିକଟରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ଲକ୍ଷ୍ମୀମାଲ ଗ୍ରାମର ନିବେଶ ଦୀପ, ବେଲପଡ଼ା ଥାନା ବଜରଙ୍ଗବଲି ପଡ଼ାର କାର୍ତ୍ତିକ ହଂସ ଏବଂ ଟାଉନ ଥାନା ଅଞ୍ଚଳର ସୌମ୍ୟ ପରିଡ଼ାଙ୍କୁ ପୋଲିସ ଗିରଫ କରିଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସମେତ ସଦର ଏସଡିପିଓ ସରୋଜ ଉପାଧ୍ୟାୟ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଏଭଳି କଠୋର ପଦକ୍ଷେପ ଜାରି ରଖିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

