ମୁରିବାହାଲ ରେଞ୍ଜରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଫସରଫାଟ୍: ପୁଣି ବାର୍ହା ମୃତ୍ୟୁ; ଫରେଷ୍ଟରଙ୍କ ‘ଗାଡ଼ି ଧକ୍କା’ ବାହାନା, ଡିଏଫ୍ଓଙ୍କ ଅଜବ ଯୁକ୍ତି !
ବଲାଙ୍ଗୀର,୨୦।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନଖଣ୍ଡରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଏବେ ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ହାତୀ ମୃତ୍ୟୁ ରହସ୍ୟ ଘେରରେ ଏବେବି ଥିବା ବେଳେ ଏବେ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏବଂ ସନ୍ଦେହଜନକ ପରିସ୍ଥିତିରେ ଲଗାତାର ଦୁଇଟି ବାର୍ହାର ମୃତ୍ୟୁ ଘଟଣାକୁ ବନ ବିଭାଗ ଯେଉଁଭଳି ଭାବେ ତରବରିଆ ଓ ଗୋପନୀୟ ଭାବେ ‘ଦଫନ’ କରିବାକୁ ଚେଷ୍ଟା କରିଛି, ତାହା ବିଭାଗୀୟ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିକାରୀଙ୍କ ମୁକାବିଲା କରିବା ପରିବର୍ତ୍ତେ ନିଜର ବିଫଳତା ଲୁଚାଇବା ପାଇଁ ବନ ବିଭାଗ ତତ୍ପରତା ଦେଖାଉଥିବା ସଙ୍ଗୀନ ଅଭିଯୋଗ ହେଉଛି।
ପ୍ରଥମ ଘଟଣା: ବିଦ୍ୟୁତ ଫାଶରେ ଶିକାର, ଅନ୍ଧାରରେ ଡିଏଫ୍ଓ!
ସୂଚନା ଅନୁଯାୟୀ, ଗତ ୭ ତାରିଖ ରାତିରେ ହଳଦୀ ପଞ୍ଚାୟତ ଚାଉଳଫୁପୁଡ଼ା ଗାଁ ନିକଟରେ ଶିକାରୀଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ ଫାଶରେ ଫସି ଏକ ବାର୍ହାର ମୃତ୍ୟୁ ଘଟିଥିଲା। ମାତ୍ର ଆଶ୍ଚର୍ଯ୍ୟର ବିଷୟ, ଘଟଣାର ପରଦିନ ଅର୍ଥାତ ୮ ତାରିଖ ଦିନ ବନ ବିଭାଗ କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁପସ୍ଥିତିରେ ଅତି ଗୋପନୀୟ ଭାବେ ବାର୍ହାଟିକୁ ପୋତି ଦେଇଥିଲା।
ଘଟଣାକୁ ୩ ଦିନ ବିତିଯାଇଥିଲେ ମଧଁ ସ୍ଥାନୀୟ ଡି.ଏଫ୍.ଓ ଅଜିତ୍ ବିଶି ଗଣମାଧ୍ୟମ ଆଗରେ ଏ ସମ୍ପର୍କରେ କିଛି ଜାଣି ନଥିବା କହିବା ସମସ୍ତଙ୍କୁ ଚକିତ କରିଛି। ଜିଲ୍ଲାର ଜଣେ ଦାୟିତ୍ୱବାନ ଅଧିକାରୀ ନିଜ ଅଧୀନରେ ଚାଲିଥିବା ଏଭଳି ଏକ ସଙ୍ଗୀନ ମାମଲା ବିଷୟରେ ଜାଣିନପାରିବା ବିଭାଗୀୟ ସମନ୍ୱୟର ଅଭାବ ଅପେକ୍ଷା ଘଟଣାକୁ ଚପାଇ ଦେବାର ଏକ ସୁଚିନ୍ତିତ ପ୍ରୟାସ ଭଳି ମନେହେଉଛି। ମୁରିବାହାଲ ଫରେଷ୍ଟର ଧୃବ ଚରଣ ବଗର୍ତ୍ତି କହିଛନ୍ତି ଯେ ନମୁନା ସଂଗ୍ରହ କରାଯାଇଛି, ମାତ୍ର ପ୍ରଶ୍ନ ଉଠୁଛି ଯଦି ଶିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଥିଲା, ତେବେ ତରବରିଆ ଭାବେ ବାର୍ହାଟିକୁ କାହିଁକି ପୋତାଗଲା? ବାରମ୍ବାର ଏହି ଅଞ୍ଚଳରେ ହାତୀ ଓ ବାର୍ହା ଶିକାର ହେଉଥିବା ବେଳେ ବନ ବିଭାଗର ପାଟ୍ରୋଲିଂ କେବଳ କାଗଜପତ୍ରରେ ସୀମିତ କି?
ଦ୍ୱିତୀୟ ଘଟଣା: ପୁଣି ବାର୍ହା ମୃତ୍ୟୁ, ଗାଡ଼ି ଧକ୍କାର ବାହାନା ଓ ଡିଏଫ୍ଓଙ୍କ ଅଜବ ଯୁକ୍ତି
ଏହି ବିବାଦ ଥମିନଥିବା ବେଳେ ମୁରିବାହାଲ ରେଞ୍ଜ ମୁରିବାହାଲ ସେକ୍ସନ ଅଞ୍ଚଳରେ ଗତ ମଙ୍ଗଳବାର ରାତିରେ ଅର୍ଥାତ୍ ୧୯ ତାରିଖ ରାତିରେ ପୁଣି ଏକ ବାର୍ହାର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଗତ ମଙ୍ଗଳବାର ରାତିରେ ଏହି ବାର୍ହାର ମୃତଦେହ ଯମୁନା ଏବଂ ଚାଉଳଫୁପୁଡ଼ା ଗାଁ ନିକଟସ୍ଥ ସୁନାଦେଇ ପାହାଡ଼ର ତଳେ ଯମୁନା-ହଳଦୀ ମୁଖ୍ୟ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ମଧ୍ୟ ଘଟଣାସ୍ଥଳରୁ ମୃତ ବାର୍ହାଟିର ମୃତଦେହକୁ ମୁରିବାହାଲ ବନ ବିଭାଗ ଉଦ୍ଧାର କରି ଏହାକୁ ମଧ୍ୟ ବେଆଇନ୍ ଭାବେ ତରବରିଆ ପୋତି ଦେଇଥିବା ଅଭିଯୋଗ ହେଉଛି।
ଏନେଇ ମୁରିବାହାଲ ଫରେଷ୍ଟର ଧୃବ ଚରଣ ବଗର୍ତ୍ତୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଉକ୍ତ ବାର୍ହାଟିକୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇଛି ଏବଂ ଏଥିଯୋଗୁଁ ତାର ମୃତ୍ୟୁ ଘଟିଛି। ମାତ୍ର ବନ ବିଭାଗର ଏହି ଗାଡ଼ି ଧକ୍କା କାହାଣୀ ପଛର ସତ୍ୟତାକୁ ନେଇ ଗଭୀର ସନ୍ଦେହ ସୃଷ୍ଟି ହୋଇଛି। ଉକ୍ତ ଘଟଣା ବାବଦରେ ବଲାଙ୍ଗୀର ଡିଏଫ୍ଓ ଅଜିତ୍ କୁମାର ବିଶିଙ୍କୁ ପଚାରିବାରୁ ସେ ମୁରିବାହାଲ ରେଞ୍ଜର ଏହି ଘଟଣା ବାବଦରେ ସେ ଅବଗତ ଥିବା କହିଛନ୍ତି। ମାତ୍ର ଏହି ବାର୍ହାର ମୃତଦେହକୁ ପୋତା ଯିବା ସମୟରେ ମଧ୍ୟ ନିଜେ ଡିଏଫ୍ଓ କିମ୍ବା ଏସିଏଫ୍ ଘଟଣାସ୍ଥଳରେ ଉପସ୍ଥିତ ନଥିବା ସେ ସ୍ୱୀକାର କରିଛନ୍ତି।
ମୃତଦେହ ପୋତା ଯିବା ସମୟରେ କାହିଁକି ଉପରିସ୍ଥ କର୍ମଚାରୀ ଉପସ୍ଥିତ ରହିଲେ ନାହିଁ ବୋଲି ପଚାରିବାରୁ, ସେ ଏକ ଅଜବ ଯୁକ୍ତି ବାଢ଼ି କହିଛନ୍ତି ଯେ “ବାର୍ହାର ମୃତଦେହ ପୋତିବା ସମୟରେ ରେଞ୍ଜ ଅଫିସର ରହିଲେ ମଧ୍ୟ ବାର୍ହା ମୃତ୍ୟୁ ମାମଲାରେ ଶବ ପୋତା ଯାଇପାରିବ”। ଅନ୍ୟ ପକ୍ଷରେ ଉକ୍ତ ବାର୍ହାର ମୃତଦେହ ପୋତା ଯିବା ସମୟରେ ଆଇନଗତ ପଞ୍ଚନାମା, ମୃତ ବାର୍ହାର ପ୍ରକୃତ ପୋଷ୍ଟମର୍ଟମ ହୋଇଛି ନା ନାହିଁ ଏବଂ ରେଞ୍ଜର ନିଜେ ସେଠାରେ ଉପସ୍ଥିତ ଥିଲେ କି ନାହିଁ, ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ସନ୍ଦେହ ଘେରରେ ରହିଛି।
ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ, କୌଣସି ବନ୍ୟଜନ୍ତୁର ଅସ୍ୱାଭାବିକ ମୃତ୍ୟୁ ଘଟିଲେ ନିମ୍ନଲିଖିତ ପ୍ରକ୍ରିୟା ପାଳନ କରିବା ବାଧ୍ୟତାମୂଳକ ।
ଦାୟିତ୍ୱରେ ଥିବା ବନ କର୍ମଚାରୀ ତୁରନ୍ତ ଉଚ୍ଚପଦସ୍ଥ ଅଧିକାରୀ ଡି.ଏଫ୍.ଓ, ଏ.ସି.ଏଫ୍ ଓ ସ୍ଥାନୀୟ ପୋଲିସକୁ ସୂଚନା ପ୍ରଦାନ କରିବା କଥା।
ଅତିକମରେ ଦୁଇଜଣ ସରକାରୀ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବା ସହ ସଂପୂର୍ଣ୍ଣ ଭିଡିଓଗ୍ରାଫି ହେବା ଆବଶ୍ୟକ।
ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଶିକାର ବା ଦୁର୍ଘଟଣା ସ୍ଥଳରୁ ବିଦ୍ୟୁତ ତାର କିମ୍ବା ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ଫରେନସିକ୍ ପରୀକ୍ଷା ପାଇଁ ପଠାଇବା ଜରୁରୀ।
ତଦନ୍ତ ସରିବା ପୂର୍ବରୁ କିମ୍ବା ପଞ୍ଚନାମା ନହେବା ଯାଏଁ ଶବକୁ ପୋତିବା ବା ପୋଡ଼ିବା ଆଇନତଃ ସଙ୍ଗୀନ ଅପରାଧ।
ମାତ୍ର ମୁରିବାହାଲ ରେଞ୍ଜରେ ବନ ବିଭାଗ ନିଜେ ଏହି ସମସ୍ତ ଆଇନଗତ ନିୟମକୁ ଜଳାଞ୍ଜଳି ଦେଇଛି। ପ୍ରଥମ ମାମଲାରେ ଡିଏଫ୍ଓ ନିଜର ଅଜ୍ଞତା ପ୍ରକାଶ କରିବା ଏବଂ ଦ୍ୱିତୀୟ ମାମଲାରେ ଘଟଣାସ୍ଥଳକୁ ନଯାଇ ନିମ୍ନପଦସ୍ଥ କର୍ମଚାରୀଙ୍କ ବେଆଇନ୍ କାର୍ଯ୍ୟକୁ ସମର୍ଥନ କରିବା, ବିଭାଗର ସନ୍ଦେହଜନକ କାର୍ଯ୍ୟଶୈଳୀକୁ ସ୍ପଷ୍ଟ ପ୍ରମାଣିତ କରୁଛି।
ବନ୍ୟପ୍ରାଣୀ ସୁରକ୍ଷା ନାଁରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ବାସ୍ତବରେ କେଉଁଠି ଖର୍ଚ୍ଚ ହେଉଛି ଏବଂ ବନ ବିଭାଗ କାହା ସ୍ୱାର୍ଥରେ ଏଭଳି ସଙ୍ଗୀନ ମାମଲାଗୁଡ଼ିକୁ ଚପାଇବାକୁ ଚେଷ୍ଟା କରୁଛି, ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦୃଢ଼ ଦାବୀ କରିଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଓ ଉପରିସ୍ଥ ବନ କର୍ତ୍ତୃପକ୍ଷ ତୁରନ୍ତ ଏଥିରେ ହସ୍ତକ୍ଷେପ ନକରନ୍ତି, ତେବେ ଆଗାମୀ ଦିନରେ ମୁରିବାହାଲ ରେଞ୍ଜ ସମ୍ପୂର୍ଣ୍ଣ ବନ୍ୟପ୍ରାଣୀ ଶୂନ୍ୟ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

