୭୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ: ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସର ଦୁଇ କର୍ମଚାରୀ
ବଲାଙ୍ଗୀର,୨୧।୫: ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବାକି ଥିବା ଦରମା କରାଇଦେବା ନାଁରେ ଲାଞ୍ଚ ନେବା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସର୍କଲର ସହକାରୀ ସମବାୟ ସମିତି ନିବନ୍ଧକ (ARCS) କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ୭୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ଦ୍ୱୟ ରଙ୍ଗେହାତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ARCS କାର୍ଯ୍ୟାଳୟର ବରିଷ୍ଠ ସହକାରୀ (ସିନିୟର ଆସିଷ୍ଟାଣ୍ଟ) ଅନିଲ କୁମାର ପଣ୍ଡା ଏବଂ ପିଅନ ହରେକୃଷ୍ଣ ମାଝୀ।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ କାର୍ଯ୍ୟାଳୟର ଜଣେ କର୍ମଚାରୀ ଗତ ୨୦୨୫ ଜାନୁଆରୀ ମାସରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତାଙ୍କର ‘ମୋଡିଫାଇଡ୍ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ’ (MACP) ଯୋଜନା ଅଧୀନରେ ବହୁ ପରିମାଣର ବାକି ଦରମା ପ୍ରାପ୍ୟ ଥିଲା। ଏହି ବାକି ଅର୍ଥ ରାଶିର ମଞ୍ଜୁରୀ ପାଇଁ ସେ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହୋଇଥିଲେ। ବରିଷ୍ଠ ସହକାରୀ ଅନିଲ କୁମାର ପଣ୍ଡା ଫାଇଲ୍ ଆଗକୁ ନବଢ଼ାଇ ଏହି କାମ ବଦଳରେ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ।
ହଇରାଣ ହରକତ ହେବା ପରେ ଶେଷରେ ଅଭିଯୁକ୍ତଙ୍କ ସହ ଅଭିଯୋଗକାରୀଙ୍କର ଏକ ଚୁକ୍ତି ହୋଇଥିଲା। ଯୋଜନା ମୁତାବକ, ପ୍ରଥମ କିସ୍ତି ବାବଦକୁ ୭୦,୦୦୦ ଟଙ୍କା ପିଅନ ହରେକୃଷ୍ଣ ମାଝୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ଅନିଲ ପଣ୍ଡା ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଅଭିଯୋଗକାରୀ ଜଣକ ଏଭଳି ମାନସିକ ନିର୍ଯାତନା ସହି ନପାରି ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସ୍ୱେଶାଲ୍ ଟିମ୍ ଗଠନ କରାଯାଇ ଫାନ୍ଦ ପ୍ରସ୍ତୁତ କରାଯାଇଥିଲା। ବ୍ୟାଙ୍କ ଜମା ମାଧ୍ୟମରେ ସେହି ୭୦,୦୦୦ ଟଙ୍କାର ଲାଞ୍ଚ ଅର୍ଥ ଆକାଉଣ୍ଟକୁ ଆସିବା ମାତ୍ରେ ହିଁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଉଭୟ ପଣ୍ଡା ଏବଂ ମାଝୀଙ୍କୁ ଅଟକ ରଖିଥିଲା। ପରବର୍ତ୍ତୀ ସମୟରେ ଉପଯୁକ୍ତ ପ୍ରମାଣ ସହ ଦ୍ୱୟଙ୍କୁ ଗିରଫ କରାଯାଇଛି।
ସଫଳ ଟ୍ରାପ୍ ଅପରେସନ ପରେ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ଦ୍ୱୟଙ୍କ ବିଭିନ୍ନ ଠିକଣା ଉପରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ତଲାସୀ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି।
ଏହି ଦୁର୍ନୀତି ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ର ଧାରା ୭ ଏବଂ ୧୨ ଅଧୀନରେ କେସ୍ ନମ୍ବର ୦୬ ତାରିଖ: ୨୦ ମେ, ୨୦୨୬ ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ନେଇ ଭିଜିଲାନ୍ସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

