ମୁରିବାହାଲ ରେଞ୍ଜରେ ଆଇନକୁ ‘ଦଫନ’ କରୁଛି ବନ ବିଭାଗ: ଦୁଇ ବାର୍ହା ମୃତ୍ୟୁ ମାମଲାରେ ଉଠିଲା ତଦନ୍ତ ଦାବି ।
ବଲାଙ୍ଗୀର,୨୨।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ବ୍ୟବସ୍ଥା ଏବେ ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିବା ବେଳେ ବନ ବିଭାଗର କାର୍ଯ୍ୟଶୈଳୀ ଏବେ ସନ୍ଦେହ ଘେରରେ। କିଛି ଦିନ ତଳେ ହାତୀ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିନଥିବା ବେଳେ, ଏବେ ଲଗାତାର ଦୁଇଟି ବାର୍ହା ମୃତ୍ୟୁ ଘଟଣାକୁ ଯେଭଳି ଭାବେ ଗୋପନୀୟ ଭାବେ ଚପାଇ ଦେବାକୁ ଚେଷ୍ଟା କରାଯାଇଛି, ତାହା ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ର ସୁଆଙ୍ଗ ରଚିଛି। ଶିକାରୀଙ୍କୁ ଧରିବା ପରିବର୍ତ୍ତେ ନିଜର ବିଫଳତା ଲୁଚାଇବା ପାଇଁ ବନ ବିଭାଗ ତତ୍ପରତା ଦେଖାଉଥିବା ନେଇ ସଙ୍ଗୀନ ଅଭିଯୋଗ ଉଠିଛି।
ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ, ଯଦି କୌଣସି ବନ୍ୟଜନ୍ତୁର ଅସ୍ୱାଭାବିକ ମୃତ୍ୟୁ ହୁଏ, ତେବେ ବନ ବିଭାଗ ପାଇଁ କିଛି ନିର୍ଦ୍ଦିଷ୍ଟ ଏସଓପି ବାଧ୍ୟତାମୂଳକ କରାଯାଇଛି। ମାତ୍ର ମୁରିବାହାଲ ରେଞ୍ଜରେ ଏହି ଆଇନକୁ କେଉଁଭଳି ଭାବେ ଉଲ୍ଲଂଘନ କରାଯାଇଛି ।
ଘଟଣା ସମ୍ପର୍କରେ ଡିଏଫ୍ଓ, ଏସିଏଫ୍ ଏବଂ ସ୍ଥାନୀୟ ପୋଲିସକୁ ତୁରନ୍ତ ଜଣାଇବା କଥା। ପ୍ରଥମ ଘଟଣାର ୩ ଦିନ ପର୍ଯ୍ୟନ୍ତ ଖୋଦ୍ ବଲାଙ୍ଗୀର ଡିଏଫ୍ଓ ଅଜିତ୍ ବିଶି କିଛି ଜାଣିନଥିବା କହିଛନ୍ତି।
ଗତ ୭ ତାରିଖ ରାତିରେ ହଳଦୀ ପଞ୍ଚାୟତ ଚାଉଳଫୁପୁଡ଼ା ଗାଁ ନିକଟରେ ବିଦ୍ୟୁତ ଫାଶରେ ପଡ଼ି ପ୍ରଥମ ବାର୍ହାଟିର ମୃତ୍ୟୁ ହୋଇଥିଲା। ୮ ତାରିଖ ଦିନ ବନ କର୍ମଚାରୀ କାହା ନିର୍ଦ୍ଦେଶରେ ଏତେ ଶୀଘ୍ର ଶବ ପୋତିଲେ? ଯଦି ଫରେଷ୍ଟର ଧୃବ ଚରଣ ବଗର୍ତ୍ତି କହୁଛନ୍ତି ନମୁନା ସଂଗ୍ରହ ହୋଇଛି, ତେବେ ତଦନ୍ତ ସରିବା ପୂର୍ବରୁ ପଞ୍ଚନାମା ନକରି ଶବ ପୋତିବା କଣ ବେଆଇନ୍ ନୁହେଁ କି? ଜିଲ୍ଲାର ମୁଖ୍ୟ ଡି.ଏଫ୍.ଓ ଏତେ ବଡ଼ ଘଟଣା ବାବଦରେ ଅଜ୍ଞ ରହିବା ବିଭାଗୀୟ ସମନ୍ୱୟର ଅଭାବ ନା ଅପରାଧକୁ ପ୍ରଶ୍ରୟ ଦେବାର ସୁଚିନ୍ତିତ ଚକ୍ରାନ୍ତ?
ଏହି ବିବାଦ ଚାଲିଥିବା ବେଳେ ଦ୍ଵିତୀୟ ଘଟଣା ଗତ ୧୯ ତାରିଖ (ମଙ୍ଗଳବାର) ରାତିରେ ଯମୁନା-ହଳଦୀ ମୁଖ୍ୟ ରାସ୍ତାର ସୁନାଦେଇ ପାହାଡ଼ ତଳୁ ଆଉ ଏକ ବାର୍ହାର ମୃତଦେହ ମିଳିଲା। ଫରେଷ୍ଟର କହିଲେ- “ଅଜଣା ଗାଡ଼ି ଧକ୍କା ଦେଇଛି”। ମାତ୍ର ସନ୍ଦେହ ହେଉଛି, ଗାଡ଼ି ଧକ୍କା ହେଲେ ମଧ୍ୟ ସେଠାରେ ଉପରିସ୍ଥ କର୍ମଚାରୀ କାହିଁକି ରହିଲେ ନାହିଁ?
ଖୋଦ୍ ବଲାଙ୍ଗୀର ଡିଏଫ୍ଓ ଅଜିତ୍ ବିଶି ସ୍ୱୀକାର କରିଛନ୍ତି ଯେ ସେ କିମ୍ବା ଏସିଏଫ୍ ସେଠାରେ ନଥିଲେ ଏବଂ ଯୁକ୍ତି ବାଢ଼ିଛନ୍ତି, “ରେଞ୍ଜ ଅଫିସର ରହିଲେ ମଧ୍ୟ ଶବ ପୋତା ଯାଇପାରିବ”। ମାତ୍ର ପ୍ରକୃତ ପ୍ରଶ୍ନ ହେଉଛି, ସେଠାରେ ଆଇନଗତ ପଞ୍ଚନାମା କିମ୍ବା ସଠିକ୍ ପୋଷ୍ଟମର୍ଟମ ଆଦୌ ହୋଇଛି କି? ନା କେବଳ ମିଛ ଦୁର୍ଘଟଣାର ବାହାନା ଦେଖାଇ ଶିକାର ଘଟଣାକୁ ଚପାଇ ଦିଆଯାଉଛି?
ଏନେଇ ମୁରିବାହାଲ ରେଞ୍ଜର ପଦ୍ମନାଭ କୁମ୍ଭାରଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ବଙ୍ଗୋମୁଣ୍ଡାରେ ଅଫିସ କାମରେ ବ୍ୟସ୍ତ ଅଛି ମୁରିବାହାଲ ଫରେଷ୍ଟରଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ସନ୍ତୋଷ ଯୋଷୀଙ୍କୁ ଏନେଇ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ୍ କଲ୍ ଉଠାଇ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
ବନ୍ୟପ୍ରାଣୀ ସୁରକ୍ଷା ଏବଂ ପାଟ୍ରୋଲିଂ ପାଇଁ ସରକାରଙ୍କ ପକ୍ଷରୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାର ଫଣ୍ଡ୍ ବାସ୍ତବରେ କେଉଁଠି ଖର୍ଚ୍ଚ ହେଉଛି? ବନ ବିଭାଗ ଶିକାରୀଙ୍କୁ ସୁରକ୍ଷା ଦେଉଛି ନା ବନ୍ୟଜନ୍ତୁଙ୍କୁ? ମୁରିବାହାଲ ଅଞ୍ଚଳବାସୀ ଏବେ ଏହି ସମଗ୍ର ମାମଲାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦୃଢ଼ ଦାବି କରିଛନ୍ତି। ଯଦି ତୁରନ୍ତ ରାଜ୍ୟ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ ନକରେ, ତେବେ ଆଗାମୀ ଦିନରେ ମୁରିବାହାଲ ରେଞ୍ଜ ସମ୍ପୂର୍ଣ୍ଣ ବନ୍ୟପ୍ରାଣୀ ଶୂନ୍ୟ ହେବା ସୁନିଶ୍ଚିତ।

